Home Health ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଲୋଚନାର ସୁଯୋଗ

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଲୋଚନାର ସୁଯୋଗ

ଭୁବନେଶ୍ୱର : ମାସାଧିକକାଳ ଧରି ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ଦବାଇବାପାଇଁ ରାଜ୍ୟ ସରକାର ଏସ୍‍ମା ଲାଗୁ କରିଥିବାବେଳେ ଆନ୍ଦୋଳନ କିନ୍ତୁ ଥମି ନାହିଁ । ତେବେ ଡାକ୍ତରମାନେ ଆଉ ଆନ୍ଦୋଳନ କରିବେ କି ନାହିଁ ସେ ସଂକ୍ରାନ୍ତରେ ବିଚାର ଆଲୋଚନା କରିବାଲାଗି ଏକ ସୁଯୋଗ ସୃଷ୍ଟି ହୋଇଛି ।

ଅନ୍ୟ ପକ୍ଷରେ ଡାକ୍ତରମାନେ କାମବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ କାମରେ ଯୋଗଦେବା ଏବଂ ଆଲୋଚନା ଭିତ୍ତିରେ ସମସ୍ୟାର ସମାଧାନ ଲାଗି ଆଗେଇ ଆସିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଖୋଲା ନିବେଦନ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମ୍‍ସା) ପକ୍ଷରୁ ଡାକ୍ତରମାନଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ପ୍ରଥମ ପର୍ଯ୍ୟାୟରେ ଘଣ୍ଟିକିଆ ଆଉଟଡୋର ବର୍ଜନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଘଣ୍ଟିଆ ଆଉଟଡୋର ବର୍ଜନ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏଥିଯୋଗୁଁ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ତେବେ ଆୟୁଷ ଡାକ୍ତରମାନଙ୍କ ଭରସାରେ ସରକାରୀ ଡାକ୍ତରଖାନାଗୁଡିକୁ ଚଳାଯାଉଥିବାବେଳେ ସେମାନେ ବି ସେମାନଙ୍କର ବହୁଦିନର ଦାବି ଉଠାଉଛନ୍ତି । ଏମିତିକି ହୋମିଓପାଥିକ ମେଡିକାଲ କଲେଜଗୁଡିକରେ ବି ଡାକ୍ତରୀ ଛାତ୍ର ଆନ୍ଦୋଳନ ଦାନା ବାନ୍ଧିଛି ।

ପୁରୁଖା ପ୍ରଶାସକମାନେ କହୁଛନ୍ତି ଯେ ପୂର୍ବରୁ ଓମ୍‍ସାର ଡାକ୍ତରମାନେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ପାଉଥିଲେ । ଏବେ ସେମାନଙ୍କ ଦାବିକୁ ଅତୀତରେ ସରକାର ଗ୍ରହଣ କରି ସେମାନଙ୍କ ପ୍ରତ୍ୟକ୍ଷ ନିଯୁକ୍ତିକୁ ପ୍ରଥମଶ୍ରେଣୀ ପାହ୍ୟାରେ ରଖିଛନ୍ତି । ଏହା ଫଳରେ ସେମାନଙ୍କ ପଦୋନ୍ନତିର ସୁଯୋଗ ବଢିଛି । ତେବେ ଘରୋଇ ଡାକ୍ତରଖାନାଗୁଡିକ ତୁଳନାରେ ସରକାରୀ ଡାକ୍ତରଖାନାଗୁଡିକର ଡାକ୍ତରମାନେ ଢେର କମ୍‍ ପାରିଶ୍ରମିକ ପାଉଛନ୍ତି । ଅଧିକ ଆର୍ଥିକ ପ୍ରୋତ୍ସାହନ ପାଇଁ ଡାକ୍ତରମାନଙ୍କର ଯେଉଁ ଦାବି ରହିଛି ତାହା କେନ୍ଦ୍ରୀୟ ହାରରେ କରାଯିବା ସହିତ ଏମ୍‍ସର ଡାକ୍ତରମାନେ ଯେଉଁ ହାରରେ ବେତନ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି ଏବଂ ଘରୋଇ ଚିକିତ୍ସା ବ୍ୟବସାୟରୁ ନିଜକୁ ଦୂରେଇ ରଖୁଛନ୍ତି ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ଡାକ୍ତରମାନଙ୍କ ପ୍ରତି ତାହା ଲାଗୁ କରିବାପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।

କେତେକ ପୁରୁଖା ଡାକ୍ତର ସ୍ୱୀକାର କରୁଛନ୍ତି ଯେ ପ୍ରାୟ ୧୫ବର୍ଷ ତଳେ ଓମ୍‍ସା ନେତୃତ୍ୱରେ ଡାକ୍ତରମାନେ ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଥିବାବେଳେ ସେମାନଙ୍କ ନେତାମାନଙ୍କୁ ବର୍ଷ ମଝିରେ ଦୂର ଦୂରାନ୍ତକୁ ଆଖିବୁଜା ବଦଳି କରାଯାଇଥିଲା । ଏହା ସତ୍ୱେ ବି ଆନ୍ଦୋଳନ ଥମିନଥିଲା । ତେବେ ଏହି ଗଣବଦଳି ବିରୁଦ୍ଧରେ ଅନେକ ଡାକ୍ତର ସ୍ୟାଟ୍‍ରେ ମାମଲା ରୁଜୁ କରିଥିଲେ ମଧ୍ୟ ସରକାରୀ ପକ୍ଷର ଦୃଢ ବିରୋଧ ଯୋଗୁଁ ଏହି ମାମଲା ଖାରଜ ହୋଇଯାଇଥିଲା । ଏମିତିକି ସେତେବେଳେ ଏ ପ୍ରସଙ୍ଗ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବଦଳି ହୋଇ ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ କିଛି ଲାଭ ମିଳିନଥିଲା ।

ଏବେ ଏସ୍‍ମା ଲାଗୁ ପାଇଁ ସରକାର ଘୋଷଣା କରିସାରିଛନ୍ତି । ଯଦି ସରକାରଙ୍କ ଘୋଷଣାକୁ ଅମାନ୍ୟ କରି ଡାକ୍ତରମାନେ ଆନ୍ଦୋଳନ ଜାରି ରଖନ୍ତି ତେବେ ଆଇନାନୁଯାୟୀ ସେମାନଙ୍କ ବିରୁଦ୍ଧରେ ଅତ୍ୟାବଶକୀୟ ସେବା ଆଇନ୍‍ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ରହିଛି । ତେବେ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ପ୍ରାୟ ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଏସ୍‍ମା ଆଧାରରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଗିରଫ କରାଗଲେ ରୋଗୀସେବା ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ହେବ ତାହା ଚିନ୍ତାର ବିଷୟ । ଏ ପ୍ରସଙ୍ଗରେ ଉଭୟ ସରକାର ଓ ଆନ୍ଦୋଳନକାରୀ ଡାକ୍ତରମାନେ ଜିଦରୁ ଓହରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାଲାଗି ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)