ଭୁବନେଶ୍ୱର : ଲୋକଙ୍କ ସ୍ବାସ୍ଥ୍ୟସବେକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ସାମୟିକ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୁଦ୍ଧରେ କଠୋର ହୋଇଛନ୍ତି ରାଜ୍ୟ ସରକାର। ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ବା ଓମସା ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏସମା ଲାଗୁ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ଆସନ୍ତା ୬ ମାସ ପାଇଁ ବଳବତ୍ତର ରହିବ। ଏସମା ଲାଗୁ ସମୟରେ ଡାକ୍ତରମାନେ ଆନ୍ଦୋଳନ କିମ୍ବା କାର୍ଯ୍ୟବନ୍ଦ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୧୦ ଦଫା ଦାବି ନେଇ ଗତ କିଛି ଦିନ ହେଲା ଓମସା ଆନ୍ଦୋଳନ କରୁଛି। ପ୍ରଥମେ ଓପିଡି ଏକଘଣ୍ଟା ପାଇଁ ବନ୍ଦ କରୁଥିଲେ ଡାକ୍ତର। ଗତକାଲିଠାରୁ ଦୁଇ ଘଣ୍ଟା ପାଇଁ ଓପିଡି ବନ୍ଦ କରାଯାଇଥିଲା। ସକାଳ ୯ଟାରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ କରୁଥିଲେ ଆନ୍ଦୋଳନରତ ଡାକ୍ତର। ପୂର୍ବରୁ ସରକାର ଓମସା ସହ ଏକାଧିକ ଥର ଆଲୋଚନା ପରେ ମଧ୍ୟ ଦାବି ପୂରଣ ନେଇ ନିଷ୍ପତ୍ତି ହୋଇପାରୁନଥିଲା। ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡି ବନ୍ଦ ପରେ ୨୭ରୁ ସମ୍ପୁର୍ଣ୍ଣ ଓପିଡି ବନ୍ଦ କରିବାକୁ ଘୋଷଣା କରିଥିଲା ଓମସା।
ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଡାକ୍ତରମାନଙ୍କୁ ସମୟାନୁସାରେ ପଦୋନ୍ନତି ପ୍ରଦାନ କରିବା, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ କଡ଼ା ନିୟମ ପ୍ରଣୟନ ଏବଂ ସୁରକ୍ଷା ବାହିନୀ ନିୟୋଜନ, ଡାକ୍ତରମାନଙ୍କର ପ୍ରାରମ୍ଭିକ ମୂଳ ଦରମା ଏବଂ ଭତ୍ତାକୁ ସଂଶୋଧନ କରି ଅନ୍ୟାନ୍ୟ କ୍ୟାଡର ସହ ସମାନ କରିବା, ଡାକ୍ତରଙ୍କ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ପତି-ପତ୍ନୀ ଆଧାରରେ ବଦଳିକୁ ଅଧିକ ପ୍ରାଧାନ୍ୟ ଦେବା, ବିଭିନ୍ନ ଡାକ୍ତରଖାନାରେ ଖାଲି ପଡ଼ିଥିବା ହଜାର ହଜାର ଡାକ୍ତର ପଦବୀକୁ ତୁରନ୍ତ ପୂରଣ କରିବା, ଓଡ଼ିଶା ମେଡିକାଲ ସେବା କ୍ୟାଡରର ପୁନର୍ଗଠନ କରି ପଦୋନ୍ନତିର ସୁଯୋଗ ବୃଦ୍ଧି କରିବା, କାର୍ଯ୍ୟରତ ଡାକ୍ତରଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ରହିବା ପାଇଁ ଉନ୍ନତ ଆବାସିକ ବ୍ୟବସ୍ଥା ଯୋଗାଇବା ଏବଂ ଡାକ୍ତରଙ୍କୁ କେବଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଉପରୁ ଅଣ-ଚିକିତ୍ସା କିମ୍ବା କିରାଣି କାମର ଚାପ କମାଇବା ଭଳି ୧୦ ଦଫା ଦାବି ନେଇ ଓମସା ଆନ୍ଦୋଳନ ଡାକରା ଦେଇଥିଲା।

