ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ନିୟମିତ ବ୍ୟବଧାନରେ ପୁରଣ କରାନଯାଇ ଠିକା ଓ ଅତିଥି ଶିକ୍ଷକଙ୍କ ଉପରେ ନିର୍ଭର କରିବା ଯୋଗୁ ଶିକ୍ଷା ଓ ଗବେଷଣା କାର୍ଯ୍ୟ ବ୍ୟାହାତ ହେଉଛି । ଏହି ଧାରା ଅବ୍ୟାହତ ରହିଲେ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି ହେବ ବୋଲି ଶିକ୍ଷାବିତ୍ମାନେ ଉଦ୍ବେଗର ସହ କହୁଛନ୍ତି ।
କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ବର୍ଷ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ଫଳରେ ଅଧ୍ୟାପନାକୁ ବୃତ୍ତି କରିବା ପାଇଁ କୃତୀ ଛାତ୍ରଛାତ୍ରୀମାନେ ଭରସି ନପାରି ବିଦେଶ ଚାଲିଯାଉଛନ୍ତି କିମ୍ବା ଘରୋଇ ସଂସ୍ଥାନରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଆଇଜର୍, ନାଇଜର୍, ଏମ୍ସ, ଆଇଆଇଟି ଏମିତିକି କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ବି ୪୦ରୁ ୬୦ ପ୍ରତିଶତ ଓ ସ୍ଥଳ ବିଶେଷରେ ତଦ୍ଦୁର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରତିବର୍ଷ ଅବସର, ପଦୋନ୍ନତି ଓ ଅନ୍ୟାନ୍ୟ କାରଣରୁ ଏହି ଖାଲି ପଦବୀ ସଂଖ୍ୟା ବଢୁଥିବାବେଳେ ଏକକାଳୀନ ସମସ୍ତ ଖାଲି ପଦବୀ ପୂରଣ ନକରି କେନ୍ଦ୍ରୀୟ ସଂସ୍ଥାମାନେ ମଝିରେ ମଝିରେ ଅଳ୍ପ କିଛି ପଦବୀ ପୂରଣ କରୁଛନ୍ତି ।
ସେହିଭଳି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକର ଅବସ୍ଥା ବିଧାନସଭାରେ ଗତ ବଜେଟ୍ ଅଧିବେଶନ ସମୟରେ ଅର୍ଥମନ୍ତ୍ରୀ ଯେଉଁ ତଥ୍ୟ ଦେଇଥିଲେ ତଦନୁଯାୟୀ ରାଜ୍ୟର ବିଭିନ୍ନ ସରକାରୀ ଚାକିରିରେ ସେତେବେଳେ ୨, ୨୬, ୫୫୯ଟି ପଦବୀ ଖାଲି ପଡିଥିଲା । ଏଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୬୧, ୮୩୬, ସ୍ୱାସ୍ଥ୍ୟ ବିଭାଗରେ ୩୬, ୦୪୫ ଓ ଉଚ୍ଚଶିକ୍ଷା ବିଭାଗରେ ୧୧, ୫୨୨ଟି ପଦବୀ ଖାଲି ପଡିଥିଲା । ବିଶ୍ୱ ବିଦ୍ୟାଳୟ, କଲେଜ ଓ ସ୍କୁଲଗୁଡିକ ଭଳି ମେଡିକାଲ କଲେଜ, ହୋମିଓପାଥିକ, ଆୟୁର୍ବେଦିକ, ନର୍ସିଂ, ଫାର୍ମାସିଷ୍ଟ ଆଦି ଶିକ୍ଷାନୁଷ୍ଠାନରେ ମଧ୍ୟ ମାଳ ମାଳ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲିପଡୁଛି ।
କାମ ଚଳାଇବା ପାଇଁ କଲେଜ କର୍ତ୍ତୃପକ୍ଷ ଅବସରପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷିତ ବେକାରମାନଙ୍କୁ ଠିକାରେ କିମ୍ବା ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେଇ ପିରିୟଡ୍ ପିଛା ପାରିଶ୍ରମିକ ଦେଉଛନ୍ତି । ଏମାନେ ସମାନ ପାଠ ପଢାଇଲେ ବି ନିୟମିତ ଅଧ୍ୟାପକଙ୍କ ତୁଳନାରେ ଢେର କମ ପାରିଶ୍ରମିକ ପାଇଥାନ୍ତି । ଫଳରେ ପାଠ ପଢାଇବା ପାଇଁ ଅନେକଙ୍କର ସ୍ପୃହା ନଥିବାବେଳେ ଶିକ୍ଷାନୁଷ୍ଠାନ ପରିସରରେ ବି ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ଏଭଳି କିସମର ଶିକ୍ଷକମାନଙ୍କ ନିକଟରେ ପ୍ରାୟତଃ ଗବେଷଣା କରାଯାଏନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନେ ତେଣୁ ଠିକା ଅଧ୍ୟାପକ ପାଇଁ ‘ୱାକ୍ ଇନ୍ ଇଣ୍ଟରଭିୟୁ’ରେ ଅଂଶଗ୍ରହଣ ନକରି ଅନ୍ୟତ୍ର ଚାଲିଯାଆନ୍ତି । ଏମିତିକି ନିଜ ପ୍ରିୟ ଶିକ୍ଷାନୁଷ୍ଠାନରେ ଶିକ୍ଷକ ମରୁଡି କାରଣରୁ ଗବେଷଣା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଢେର୍ ଆଶଙ୍କା ଥିବାରୁ ଏଭଳି କିସମର ବହୁ ଛାତ୍ରଛାତ୍ରୀ ବି ରାଜ୍ୟ ଓ ଦେଶ ଛାଡି ଅନ୍ୟତ୍ର କ୍ୟାରିୟର ପାଇଁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି ।
ଏଭଳି ସ୍ଥିତିରେ ନିକଟରେ କେନ୍ଦ୍ର ସରକାର ବିଶ୍ୱ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପିଏଚ୍ଡିକୁ ଆଉ ବାଧ୍ୟତାମୂଳକ ରଖିନାହାନ୍ତି । ଫଳରେ ବିନା ପିଏଚ୍ଡିରେ ବି ଜଣେ ନିଟ୍ ମାଧ୍ୟମରେ ସହକାରୀ ପ୍ରଫେସର ଚାକିରିରେ ପଶିପାରିବ । ବରିଷ୍ଠ ପ୍ରଫେସରମାନେ କହୁଛନ୍ତି ଯେ ଶିକ୍ଷା ବ୍ୟବସ୍ଥାକୁ ସରକାରୀ କଳ ଉପାର୍ଜନାକାରୀ ବିଭାଗ ଭାବେ ଗଣୁନଥିବା ଏବଂ ଅମଲାତନ୍ତ୍ର ମଧ୍ୟ ଏହା ଉପରେ ସେତେଟା ଗୁରୁତ୍ୱ ଦେଉନଥିବାରୁ ଆମୂଳଚୂଳ ବିଭ୍ରାଟ ଉପୁଜୁଛି । କେନ୍ଦ୍ର ସରକାର ନୂଆ ଶିକ୍ଷାନୀତି ସାରା ଦେଶରେ ଲାଗୁ କରୁଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିନ୍ତୁ ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ କରିବା ପରିବର୍ତ୍ତେ ଦିନକୁ ଦିନ ଏହାକୁ ଉପେକ୍ଷା କରି ଚାଲୁଛନ୍ତି ବୋଲି ଶିକ୍ଷାବିତ୍ମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । (ତଥ୍ୟ)