ଭୁବନେଶ୍ୱର : ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ଗୁଡ଼ିକରେ ମାଳ ମାଳ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ନିୟମିତ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ବର୍ଷବର୍ଷ ଧରି ଅତିଥି ଶିକ୍ଷକଙ୍କ ଭରସାରେ ପାଠ ପଢ଼ା ଚାଲିଛି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ବି ଅବସ୍ଥା ତଦ୍ରୁପ ।
ଆଶା କରାଯାଉଥିଲା ୨୦୨୫-୨୬ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସମେତ ଯୁକ୍ତତିନି ଓ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ନିୟମିତ ଶିକ୍ଷକ ନିଯୁକ୍ତି ହୋଇଯିବେ ବୋଲି । କିନ୍ତୁ ଏହି ଆଶା ଏବେ ଆଶଙ୍କାରେ ପରିଣତ ହେଉଛି । ପୁଣି ନୂଆ ଶିକ୍ଷାବର୍ଷ ବି ଅତିଥି ଅଧ୍ୟାପକମାନଙ୍କ ଭରସାରେ ଚାଲିବ ।
ଇତିମଧ୍ୟରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶଳୟ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଖରାଛୁଟି ଭିତରେ ଅତିଥି ଅଧ୍ୟାପକ ନିଯୁକ୍ତି ଦେବାକୁ କୁହାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଅଧିକାଂଶ ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟକ୍ଷ ବି ନାହାନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଅତିଥି ଅଧ୍ୟାପକ ନିଯୁକ୍ତି କାମ ପାଇଁ ଏବେ ପୂରା ଦମରେ ଲାଗି ପଡିଛନ୍ତି ।
ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ମୁତାବକ ସମସ୍ତ ଯୁକ୍ତଦୁଇ କଲେଜ୍ର ଅଧ୍ୟକ୍ଷମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ବିଭିନ୍ନ ବିଷୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀରେ ଠିକା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରି ଜୁନ୍ ୧୮ ତାରିଖ ସୁଦ୍ଧା ନିଯୁକ୍ତିନାମା ପ୍ରଦାନ କରିବେ ଏବଂ ୨୦ ତାରିଖ ସୁଦ୍ଧା ଅତିଥି ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ । ଏମାନଙ୍କୁ ବର୍ଷକ ପାଇଁ ନିଯୁକ୍ତି ଦିଆଯିବ । ଯୋଗ୍ୟ ଅତିଥି ଅଧ୍ୟାପକ ବାଛିବାପାଇଁ ଅଧ୍ୟକ୍ଷମାନେ ଚୟନ କମିଟି ଗଠନ କରିବେ ଯେଉଁଥିରେ କଲେଜ୍ର ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଅଧ୍ୟାପକ ଯେଉଁ ବିଷୟ ପାଇଁ ଅଧ୍ୟାପକ ନିଯୁକ୍ତି ହେବେ ସେହି ବିଷୟର ବିଶେଷଜ୍ଞ, ଜିଲ୍ଲା ଶିକ୍ଷାଧିକାରୀ ଆଦିଙ୍କୁ କମିଟିରେ ନିଆଯିବ ।
ଯେଉଁସବୁ ହାଇସ୍କୁଲକୁ ଯୁକ୍ତଦୁଇ ସ୍ତରକୁ ଉନ୍ନୀତ କରାଯାଇଛି ସେଠାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ଅତିଥି ଅଧ୍ୟାପକମାନେ ଗୋଟିଏ ପିରିୟଡ୍ ପାଇଁ ୪୦୦ ଟଙ୍କା କରି ପାରିଶ୍ରମିକ ପାଇବେ । ତେବେ ମାସରେ ସେମାନେ ଅତି ବେଶିରେ ୫୦ଟି ପର୍ଯ୍ୟନ୍ତ ପିରିୟଡ୍ ପଢ଼ାଇପାରିବେ । ଫଳରେ ସେମାନଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କା ଭିତରେ ସୀମିତ ରହିବ ।
ଡିଗ୍ରୀ କଲେଜ୍ଗୁଡ଼ିକରେ ବି ଅଧ୍ୟାପକ ମରୁଡ଼ି ଉତ୍କଟ ଅବସ୍ଥାରେ ରହିଛି । ପ୍ରାୟ ୧୦ଟି ବିଶ୍ୱବିଦ୍ୟାଳୟର ନିୟମିତ କୁଳପତି ନଥିବାବେଳେ ଅଧ୍ୟାପକଙ୍କ କଥା ପଚାରେ କିଏ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାଳମାଳ ପ୍ରଫେସର ପଦବୀ ମଧ୍ୟ ଖାଲି ପଡିଛି । ସହଯୋଗୀ ପ୍ରଫେସରମାନଙ୍କୁ ପ୍ରଫେସର ଓ ସହକାରୀ ପ୍ରଫେସରମାନଙ୍କୁ ସହଯୋଗୀ ପ୍ରଫେସର ପଦବୀକୁ ପଦୋନ୍ନତି ଦେବାରେ ବିଳମ୍ବ କରାଯାଉଛି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୫୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଅନେକ ବିଷୟରେ ନିୟମିତ ପ୍ରଫେସର ନାହାନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ମାତ୍ର ୯ଜଣ ନିୟମିତ ପ୍ରଫେସରଙ୍କୁ ନେଇ ଚାଲୁଛି । ଯେଉଁମାନଙ୍କ ମଧ୍ୟରୁ କେତେକଙ୍କୁ କୁଳପତି ସମେତ ଅନ୍ୟାନ୍ୟ ପ୍ରଶାସନିକ ପଦବୀରେ ଅସ୍ଥାୟୀ ଭାବେ ରଖାଯାଇଛି । ଏଥିଯୋଗୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା, ଅଧ୍ୟାପନା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ।
ଅତିଥି ଅଧ୍ୟାପମାନଙ୍କର ବିଶେଷ ଉତ୍ତରଦାୟିତ୍ୱ ରହୁନାହିଁ ଏବଂ ସେମାନେ ପରୀକ୍ଷା ପରିଚାଳନା ମଧ୍ୟ କରିପାରିବେ ନାହିଁ । ଶିକ୍ଷାବିତ୍ମାନେ କହୁଛନ୍ତି ଯେ ଅତିଥି ଅଧ୍ୟାପକ ନାମରେ କମ୍ ଅର୍ଥରେ ଠିକା ଶିକ୍ଷକ ନିଯୁକ୍ତି କରି ବସ୍ତୁତଃ ଛାତ୍ରଛାତ୍ରୀଙ୍କୁ ଠକି କର୍ତ୍ତୃପକ୍ଷ ମୋଟା ଅଙ୍କର ଅର୍ଥ ସଂଚୟ କରୁଛନ୍ତି । ତେବେ ଏହା ଶିକ୍ଷା ବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହେଁ ବୋଲି ସେମାନେ ମତ ଦେଉଛନ୍ତି । (ତଥ୍ୟ)