ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପ୍ରାୟ ୨୦ ଜଣ କର୍ମଚାରୀ ୨୦ ବର୍ଷ ଧରି ଠିକାରେ କାମ କରୁଛନ୍ତି । ଏମାନେ କାମ ନ କଲେ ବିଶ୍ୱବିଦ୍ୟାଳୟର ପ୍ରଶାସନଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସବୁ କାମ ଅଚଳ ହୋଇଯିବ । ଅଥଚ ଏହି କର୍ମଚାରୀମାନଙ୍କୁ ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବି କର୍ତ୍ତୃପକ୍ଷ ନିୟମିତ କରୁନାହାନ୍ତି କିମ୍ବା ସେମାନଙ୍କୁ ସମାନ କାମକୁ ସମାନ ବେତନ ନୀତିରେ ପାରିଶ୍ରମିକ ଦେଉନାହାନ୍ତି ।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୧୯୯୯ ମସିହାରେ ବିଧାନସଭାରେ ପାରିତ ସ୍ୱତନ୍ତ୍ର ଆଇନ୍ ବଳରେ ସ୍ଥାପିତ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଚୟନ କମିଟି ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ବାଛି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ଦେଇଥିଲେ । ୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ବିଭିନ୍ନ ବର୍ଷରେ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟ ପାଇଁ ଅନେକଗୁଡ଼ିଏ ପଦବୀ ସୃଷ୍ଟି କରିଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଏହି ପଦବୀରେ ରଖାଯାଉନାହିଁ କିମ୍ବା ପଦବୀଗୁଡ଼ିକ ପାଇଁ ଥିବା ହାରରେ ବେତନ ବି ଦିଆଯାଉନି ।
ନାମମାତ୍ର ଠିକା ମଜୁରୀରେ ଏହି କର୍ମଚାରୀମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଗୋତି ଖଟିବା ଭଳି କାମ କରୁଛନ୍ତି । ପ୍ରଥମେ ସଚିବାଳୟ ନିକଟରେ ଥିବା ସର୍ଦ୍ଦାର ପଟେଲ ହଲ୍ ପରିସରରେ ଏହି ବିଶ୍ୱବିଦ୍ୟାଳୟ ଚାଲୁଥିଲା ଓ ପରବର୍ତ୍ତୀ ସମୟରେ ମଦନପୁରଠାରେ ନିର୍ମିତ ନୂତନ ସୌଧକୁ ଏହା ସ୍ଥାନାନ୍ତରିତ ହୋଇଛି । କୋଠାବାଡ଼ି ବଢ଼ି ଚାଲିଥିବା ବେଳେ କିନ୍ତୁ କର୍ମଚାରୀଙ୍କ କଥା କର୍ତ୍ତୃପକ୍ଷ ଏକପ୍ରକାର ଭୁଲି ଯାଇଛନ୍ତି ।
ଏହି ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପରିଚାଳନା କମିଟି ପୂର୍ବରୁ ସୁପାରିଶ କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହା ଗ୍ରହଣ କରିବାକୁ ନାରାଜ । ଏମିତିକି କେତେକ କର୍ମଚାରୀ ହାଇକୋର୍ଟକୁ ଯାଇ ସେମାନଙ୍କୁ ନିୟମିତ କରିବା ଲାଗି ମାମଲା ରୁଜୁ କରିଥିଲେ ଏବଂ ଏହି କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଏହା ସତ୍ତ୍ୱେ ବି ସଂସ୍କୃତି ବିଭାଗ ଏମାନଙ୍କୁ ନିୟମିତ କରିବା ପରିବର୍ତ୍ତେ ସେମାନଙ୍କ ଆବେଦନକୁ ନାକଚ କରିଦେବାରୁ ସେମାନେ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ମାମଲାରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରିକରି ଅଦାଲତଙ୍କ ବିନା ଅନୁମୋଦନରେ ଏହି ଠିକା କର୍ମଚାରୀମାନଙ୍କୁ ବିଦା କରାଯାଇପାରିବ ନାହିଁ ବୋଲି କହିଛନ୍ତି ।
ଏହାଛଡ଼ା ସଂସ୍କୃତି ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତି ଆଇନ୍ ଆଧାରରେ ସେମାନେ ୬ ବର୍ଷ ଚାକିରି ପୂରଣ କରିବା ପରଠାରୁ ନିୟମିତ ହେବାକୁ ହକ୍ଦାର ବୋଲି ଯୁକ୍ତିବାଢ଼ି ଆଉ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ପୂର୍ବରୁ ଜଗବୀର ସିଂ ମାମଲାରେ ସୁପ୍ରିମ୍କୋର୍ଟ ଏଭଳି ଅସ୍ଥାୟୀ କର୍ମଚାରୀମାନେ ସମାନ କାମକୁ ସମାନ ଦରମା ପାଇବାକୁ ହକ୍ଦାର ବୋଲି ରାୟ ଶୁଣାଇଥିଲେ । ଏହି ରାୟକୁ ଆଖି ଆଗରେ ରଖି କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହାଇକୋର୍ଟ ପୁଣିଥରେ ନିର୍ଦ୍ଦେଶ ଦେଇ ସମୟସୀମା ଧାର୍ଯ୍ୟ କରିଥିଲେ ମଧ୍ୟ ସରକାର ଏଯାବତ୍ ଏହି ଅସ୍ଥାୟୀ କର୍ମଚାରୀମାନଙ୍କ ବେତନ ବୃଦ୍ଧି କରୁନାହାନ୍ତି ।
ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ କାର୍ଯ୍ୟରତ ଏହି ଅସ୍ଥାୟୀ ଠିକା କର୍ମଚାରୀମାନେ ଅଭିଯୋଗ କରୁଛନ୍ତି ଯେ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ବାହାରୁ ଡେପୁଟେସନ୍ରେ ଆସୁଥିବା ବରିଷ୍ଠ ଅଧିକାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ମୋଟା ଅଙ୍କର ଦରମା ପାଉଥିବା ବେଳେ ଠିକା କର୍ମଚାରୀମାନଙ୍କ ପ୍ରତି କିନ୍ତୁ ଅବିଚାର କରାଯାଉଛି ।