ଭୁବନେଶ୍ୱର : ରାଜ୍ୟରେ ଠିକାଦାରମାନଙ୍କ ଆନ୍ଦୋଳନ ଯୋଗୁଁ ବଡ ବଡ ନିର୍ମାଣକାର୍ଯ୍ୟ ବନ୍ଦ ହୋଇଥିବାବେଳେ ସରକାରୀ କୋଠାବାଡି ଓ ବାସଗୃହର ମରାମତି ଓ ରକ୍ଷଣା ବେକ୍ଷଣା ଘୋର ପ୍ରଭାବିତ ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ଜରୁରୀକାଳୀନ ବିଦ୍ୟୁତ୍ ମରାମତି ବି ହୋଇପାରୁ ନାହିଁ ।
ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ଭଳି ଆଠଦଫା ଦାବି ପୂରଣ ନେଇ ଠିକାଦାରସଂଘ ଜାନୁଆରୀ ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛି । ଏହା ଫଳରେ ସମଗ୍ର ରାଜ୍ୟରେ ନିର୍ମାଣ କାର୍ଯ୍ୟ ଘୋର ପ୍ରଭାବିତ ହୋଇଛି । ଖୋଦ୍ ରାଜଧାନୀରେ ନିର୍ମାଣ କାର୍ଯ୍ୟ ପାଖପାଖି ମାସେ ହେଲାଣି ଅଟକି ଯାଇଛି ।
ବଡ ବଡ ନିର୍ମାଣ କାର୍ଯ୍ୟ ବ୍ୟତିତ ପୂର୍ତ୍ତ ବିଭାଗ ହାତରେ ଥିବା ସରକାରୀ କୋଠାବାଡି ଓ ସରକାରୀ କ୍ୱାଟର୍ସର ମରାମତି ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ ମଧ୍ୟ ହୋଇପାରୁ ନାହିଁ । ଏହିସବୁ କାର୍ଯ୍ୟପାଇଁ ପୂର୍ତ୍ତ ବିଭାଗ ନିକଟରେ ନିଜସ୍ୱ କର୍ମଚାରୀ ନଥିବାରୁ ସମ୍ପୂର୍ଣ୍ଣ ଭାବେ ଠିକାଦାରମାନଙ୍କ ଉପରେ ନିର୍ଭର କରିବାକୁ ହେଉଛି । ଯେହେତୁ ଠିକାଦାରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ତେବେ ଯନ୍ତ୍ରୀମାନେ ଏକ ପ୍ରକାର ହାତଟେକି ଦେଉଛନ୍ତି ।
ସବୁଠାରୁ ଅଧିକ ସମସ୍ୟା ହୋଇଛି ବିଦ୍ୟୁତ୍ ମରାମତି ଓ ରକ୍ଷଣା ବେକ୍ଷଣ କ୍ଷେତ୍ରରେ । ପୂର୍ବରୁ ଏହି କାର୍ଯ୍ୟ ଜିଇଡି ହାତରେ ଥିଲା । ନିଜସ୍ୱ କର୍ମଚାରୀଙ୍କ ଦ୍ୱାରା ଛୋଟ ମୋଟ କାର୍ଯ୍ୟ କରାଯାଉଥିବାବେଳେ ବଡ ବଡ କାମପାଇଁ ଠିକାଦାର ନିୟୋଜିତ ହେଉଥିଲେ । କିନ୍ତୁ ପୂର୍ତ୍ତ ବିଭାଗ ସହିତ ଜିଇଡିର ବିଲୟ ପରେ ସମସ୍ତ କାର୍ଯ୍ୟ ଠିକାଦାରମାନଙ୍କ ଦ୍ୱାରା ହିଁ ହେଉଛି । ଏପରିକି କୌଣସି ସରକାରୀ କ୍ୱାଟର୍ସରେ ସୁଇଚ୍ଟିଏ ଲଗାଇବାକୁ ହେଲେ ଠିକାଦାରମାନଙ୍କୁ ପଠାଯାଉଛି । ଯଦିଓ ପୂର୍ତ୍ତ ବିଭାଗରେ ଏଥିପାଇଁ କିଛି ଠିକା କର୍ମଚାରୀ ରହିଛନ୍ତି ହେଲେ ସେମାନଙ୍କ ସଂଖ୍ୟା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଅଧିକାଂଶ କାର୍ଯ୍ୟ ପାଇଁ ଠିକାଦାରଙ୍କ ଉପରେ ଯନ୍ତ୍ରୀମାନେ ନିର୍ଭରଶୀଳ ।
ସେହିଭଳି ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ଅଳ୍ପଦିନ ଥିବାବେଳେ ରାଜଧାନୀର ବିଭିନ୍ନ ଡିଭିଜନରେ ନିର୍ମାଣ ଓ ମରାମତି କାର୍ଯ୍ୟ ଜୋରସୋରରେ ହେବାକଥା । ହେଲେ ଠିକାଦାରମାନଙ୍କ ଆନ୍ଦୋଳନ ଯୋଗୁଁ ନୂଆ କାର୍ଯ୍ୟ ତ ଦୂରରକଥା, ବହୁ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଆନ୍ଦୋଳନ ପାଇଁ ଯନ୍ତ୍ରୀମାନେ ଠିକାଦାରଙ୍କୁ କିଛି କହିପାରୁ ନାହାନ୍ତି ।
ସରକାରୀ କୋଠାବାଡି ଓ କ୍ୱାଟର୍ସଗୁଡିକରେ ନିର୍ମାଣ ଓ ମରାମତି କାର୍ଯ୍ୟ ଠିକାଦାରଙ୍କ ଆନ୍ଦୋଳନ ଯୋଗୁଁ ଚଳିତବର୍ଷ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ତେଣୁ ଏଭଳି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ସରକାରୀ କୋଠାବାଡି ଓ କ୍ୱାଟର୍ସଗୁଡିକରେ ଛୋଟକାଟର ମରାମତି ଲାଗି ପୂର୍ବଭଳି ନିଜସ୍ୱ ନିୟମିତ କର୍ମଚାରୀ ନିଯୁକ୍ତି ଲାଗି ମତପ୍ରକାଶ ପାଉଛି । (ତଥ୍ୟ)

