ଭୁବନେଶ୍ୱର : ପୂଜା ଫୁଲ ଲାଗିବ ଠାକୁରଙ୍କ ପୂଜାରେ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଭୁବନେଶ୍ୱରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଥିବା ଗଣେଶ ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ତେବେ ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ ।
ଏହି ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସ୍ୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବି. ଏମ୍. ସି.) ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସଂଗୃହୀତ ପୁଷ୍କ ବର୍ଜ୍ୟକୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦରେ ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ । ଏହାଦ୍ୱାରା ଏକ ସ୍ୱଚ୍ଛ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି ହେବ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ଉପଯୋଗ ସୁନିଶ୍ଚିତ ହେବ ।
କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଯାନ ପ୍ରଦାନ କରାଯିବ । ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ପ୍ଲାଣ୍ଟକୁ ପରିବହନ କରାଯିବ ।
ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି । ସାନିଟାରୀ ଷ୍ଟାଫ୍ ଏବଂ ଏନ୍. ଜି. ଓ. ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପୂଜା କମିଟିର ସଦସ୍ୟମାନଙ୍କୁ ଏହି ସ୍ୱତନ୍ତ୍ର ସେବାର ଉପଯୋଗ କରିବା ପାଇଁ ସେଚେତନ କରିବା ଏବଂ ସେମାନଙ୍କ ଆବର୍ଜନାକୁ ନିର୍ବିଚାରରେ ଫିଙ୍ଗିବା ପରିବର୍ତ୍ତେ ନିର୍ଦ୍ଧାରିତ ସଂଗ୍ରହ ସ୍ଥାନରେ ସଠିକ୍ ଭାବରେ ନଷ୍ଟ କରିବା । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।
ପୂଜା କମିଟି ୧୯୨୯ରେ ସ୍ୱତନ୍ତ୍ର ହେଲ୍ପଲାଇନକୁ କଲ୍ କରି ଏହି ସେବାର ଲାଭ ଉଠାଇପାରିବେ । ଏହି ସ୍ୱତନ୍ତ୍ର ଅଭିଯାନର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀର ପରମ୍ପରା ଏବଂ ଭାବନାକୁ ସମ୍ମାନ ଜଣାଇ ଏକ ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଗଣେଶ ପୂଜା ଉତ୍ସବ ପାଳନ କରିବା । ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି ।