Home General ଟ୍ରେଡିଂ କମ୍ପାନୀ ଟଙ୍କା ନେଇ ଛୁ

ଟ୍ରେଡିଂ କମ୍ପାନୀ ଟଙ୍କା ନେଇ ଛୁ

ଭୁବନେଶ୍ୱର : ଓଡିଶାରୁ ପୁଣି ଗୋଟିଏ ଟ୍ରେଡିଂ କମ୍ପାନୀ କୋଟି କୋଟି ଟଙ୍କା ନେଇ ଛୁ ମାରିଛି । ଗତ ଦୁଇ ଦିନ ଧରି ଟ୍ରେଡିଂ କମ୍ପାନୀର ଆପ୍‍ କାମ କରୁନଥିବାରୁ ଏଥିରେ ଅର୍ଥ ଖଟାଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଏବେ ସାଇବର ପୁଲିସ୍‍ ଏବଂ ଆର୍ଥିକ ଅପରାଧ ଶାଖା ନିକଟରେ ଅଭିଯୋଗ ପାଇଁ ପ୍ରସ୍ତୁତି ଚଳାଇଥିବାର ସୂଚନା ମିଳିଛି ।

ୱାଇବିୱାଇ ନାମରେ ଏକ ଟ୍ରେଡିଂ କମ୍ପାନୀ କିଛିଦିନ ଧରି ଓଡିଶାରେ ତାହାର କାରବାର ଆପ୍‍ ଜରିଆରେ ଚଳାଇଥିଲା । ଏଥିରେ ସର୍ବନିମ୍ନ ୬ହଜାର ଟଙ୍କା ରଖିବାର ନିୟମ ଥିବାରୁ ଗରିବ ଶ୍ରେଣୀର ଅନେକ ଲୋକ ଏଥିରେ ନିଜ ପଇସା ଲଗାଇଥିଲେ । ଯେଉଁମାନେ ଅର୍ଥ ରଖୁଥିଲେ ସେମାନଙ୍କୁ ଏହି କମ୍ପାନୀ ଦୈନିକ ୬ ପ୍ରତିଶତ ସୁଧ ପ୍ରଦାନ କରୁଥିଲା । କମ୍ପାନୀର ନିଜସ୍ୱ ଆପ୍‍ରେ ଅର୍ଥ ପରିମାଣ ବଢୁଥିଲା ଓ ଜମାକାରୀ ଚାହିଁଲେ ସେଥିରୁ କିଛି ଅର୍ଥ ଉଠାଇ ପାରୁଥିଲେ । ଲୋକଙ୍କୁ ଆକର୍ଷିତ କରିବାପାଇଁ ଏହି କମ୍ପାନୀ କେତେକ ସମୟରେ ଦିନକୁ ଦୁଇଥର ସୁଧ ଅର୍ଥ ଜମା କରୁଥିଲା ।

ଲୋକଙ୍କ ମଧ୍ୟରେ ଏହା ପ୍ରଚାର ହେବାପରେ ଧିରେ ଧିରେ ଉଚ୍ଚବର୍ଗ ଏବଂ ଶିକ୍ଷିତ ଲୋକେ ମଧ୍ୟ ଏଥିରେ ଲକ୍ଷ ଲକ୍ଷ ଟଙ୍କା ଲଗାଇଲେ । କମ୍ପାନୀ ସେମାନଙ୍କୁ ମଧ୍ୟ ଦୈନିକ ୬% ହାରରେ ସୁଧ ପ୍ରଦାନକଲା । ଏକ ଲକ୍ଷ ଟଙ୍କା ଲଗାଇଥିବା ଲୋକେ ଦିନକୁ ୬୦୦୦ ଟଙ୍କା ପାଇଲେ । କିଛି ଲୋକ ଜମା ରାଶିରୁ ଟଙ୍କା ଉଠାଇଥିବାବେଳେ ଆଉ କିଛି ଚକ୍ରବୃଦ୍ଧି ହାରରେ ସୁଧ ମିଳୁଥିବାରୁ ସେହି ଲୋଭରେ ଟଙ୍କା ଉଠାଇଲେ ନାହିଁ ।

ତେବେ ସବୁଠାରୁ ବଡ କଥା ହେଉଛି କମ୍ପାନୀ କାରବାର କରୁଥିବା ଅର୍ଥର ୩% ଆସାମ ସରକାରଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରଦାନ କରୁଥିବା ତାହାର ଆପ୍‍ରେ ଉଲ୍ଲେଖ କରୁଥିଲା । ତେଣୁ ଏହାକୁ ଅଧିକ ପରିମାଣରେ ବିଶ୍ୱାସ କରିବାରେ ଲାଗିଥିଲେ । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଲୋକ ଏହି ଆପ୍‍ରେ ଅର୍ଥ ଲଗାଇଛନ୍ତି ।

ସପ୍ତାହକ ତଳେ ୱାଇବିୱାଇ ସଂସ୍ଥା ହିତାଧିକାରୀମାନଙ୍କ କେୱାଇସି ଅପଡେଟ୍‍ ନାମରେ ପ୍ରତ୍ୟେକଙ୍କ ଠାରୁ ୬୦୦୦ ଟଙ୍କା କରି ଆଦାୟ କରିଥିଲା । ଏହା ଭାରତ ସରକାରଙ୍କ ନିୟମ ବୋଲି ଲୋକଙ୍କୁ କହିଥିଲା । କେୱାଇ ଅପଡେଟ୍‍ ନକଲେ ଲୋକେ ଜମା ପାଇବେ ନାହିଁ ବୋଲି ସ୍ପଷ୍ଟ ଦର୍ଶାଇଥିଲା । ଫଳରେ ଲକ୍ଷାଧିକ ଲୋକେ ୬୦୦୦ ଟଙ୍କା କରି ଜମା କରିଥିଲେ ।

ଏହା ପରଠାରୁ କମ୍ପାନୀର ଆପ୍‍ ଆଉ କାମ କରୁନାହିଁ କି ଲୋକେ ସେମାନଙ୍କ ଜମା ଅର୍ଥ ପାଇପାରୁ ନାହାନ୍ତି । ୬୦୦୦ ଟଙ୍କା ପାଇବାପରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଉ ନଥିବାବେଳେ ଏଥିରେ ଟଙ୍କା ଖଟାଇଥିବା ଥିବା ଲୋକେ ଗାଳିମନ୍ଦ କରି ମେସେଜ ଦେଉଛନ୍ତି ।

ତେବେ ଏହି କମ୍ପାନୀ ଓଡିଶାର ଗ୍ରାହକଙ୍କୁ ଆକର୍ଷିତ କରିବାଲାଗି ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ମେସେଜ୍‍ ଦେବା ସହିତ ହ୍ୱାଟ୍‍ସଆପ୍‍ ଗ୍ରୁପ୍‍ ମଧ୍ୟ ଖୋଲିଛି । ଯେହେତୁ ଓଡିଆ ଭାଷାରେ ନିୟମିତ ସୂଚନା ମିଳୁଥିଲା ତେଣୁ କୌଣସି ଓଡିଆ ଲୋକେ ଏଥିରେ ଥିବା ଆଶାରେ ଲୋକେ ଅର୍ଥ ଜମା କରିବାରେ ଲାଗିଥିଲେ ।

ହେଲେ ଏବେ କମ୍ପାନୀ ଚମ୍ପଟ ମାରିବାପରେ ଲୋକେ ନିଜ ନିଜର ପୁଞ୍ଜି ହରାଇ ଏବେ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଶାଖାର ଦ୍ୱାରସ୍ଥ ହେବାକୁ ଯାଉଛନ୍ତି । ଗରିବ ଲୋକେ ନିଜର କଷ୍ଟାର୍ଜିତ ଧନ ହରାଇ ମୁଣ୍ଡ ପିଟୁଥିବାବେଳେ ଆସାମ ସରକାର ଓ ଭାରତ ସରକାରଙ୍କ ନାଁକୁ ବିଜ୍ଞାପିତ କରି ଓଡିଶା ଲୋକଙ୍କୁ ଚୂନ ଲଗାଇଥିବା ଏହି କମ୍ପାନୀ ବିରୁଦ୍ଧରେ ସାଇବର ପୁଲିସ୍‍ ନିଜ ଆଡୁ ମାମଲା ରୁଜୁ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)