ଭୁବନେଶ୍ୱର : ବଢୁଥିବା ଯାନବାହାନ ତୁଳନାରେ ରାଜଧାନୀର ରାସ୍ତାଘାଟ ପ୍ରଶସ୍ତ ହେଉନଥିବା ଓ ରାସ୍ତାପାଶ୍ୱର୍ରେ ବିଏମ୍ସି ବ୍ୟବସାୟ ଅନୁମତି ଦେଇଥିବାରୁ ଟ୍ରାଫିକ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ବିଶେଷକରି ସକାଳ ଓ ସଂଧ୍ୟା ସମୟରେ ସହରର ବିଭିନ୍ନ ଛକରେ ଗାଡିଚାଳକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ରେ ଫସି ରହୁଛନ୍ତି ।
ରାଜଧାନୀର ଏଜି ଛକ ଠାରୁ ଆରମ୍ଭକରି କଳ୍ପନା, ରବି ଟକିଜ, ସିଆରପି, ଫାୟାରଷ୍ଟେସନ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ଶିରିପୁର, ସିଟିଓମେନ୍ସ ଆଦି ଛକ ଅଞ୍ଚଳରେ ଏଭଳି ଟ୍ରାଫିକ ଭିଡ ପରିଲକ୍ଷିତ ହେଉଛି । କଳ୍ପନା ଓ ସିଆରପି ଭଳି ବ୍ୟସ୍ତବହୁଳ ସ୍ଥାନରେ ରାସ୍ତା ସମ୍ପ୍ରସାରଣ ପରିବର୍ତ୍ତେ ଏହା ସଙ୍କୁଚିତ ହେବାରେ ଲାଗିଛି । ଗୋଟିଏ ପଟେ ରାସ୍ତା ସଙ୍କୁଚିତ ହେଉଥିବାବେଳେ ଅନ୍ୟପଟେ ଏହି ରାସ୍ତାକଡରେ ଭେଣ୍ଡିଂ ଜୋନ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରୁଛି ।
ବିଏମ୍ସିର ଭେଣ୍ଡିଂ ଜୋନ୍ ସ୍ଥାନାନ୍ତରଣ ପ୍ରକ୍ରିୟା ଶୀତଳଭଣ୍ଡାରରେ ରହିଯିବା ଫଳରେ ରାଜଧାନୀର ବିଭିନ୍ନ ଛକ ଅଞ୍ଚଳରେ ଏବେ ଟ୍ରାଫିକ ସମସ୍ୟା ଦେଖାଦେଉଛି । କାରଣ ଲୋକେ ଭେଣ୍ଡିଂ ଜୋନ୍ରେ ଥିବା ଦୋକାନକୁ ଯିବାପାଇଁ ସିଧାସଳଖ ରାସ୍ତାଉପରେ ଗାଡିରଖି ଦେଉଛନ୍ତି । ପୁଲିସ୍ ଯେତେ ଗାଡି ଉଠାଇଲେ ବି କୌଣସି ଫରକ ପଡୁନାହିଁ । ଅବସ୍ଥା ଏଭଳି ହୋଇଛି ଯେ ଗାଡି କେଉଁଠାରେ ରଖି ଦୋକାନକୁ ଯିବେ ବୋଲି ଲୋକେ ପୁଲିସ୍ ସହିତ ଯୁକ୍ତିତର୍କ କରିବାକୁ ପଛାଉ ନାହାନ୍ତି ।
ସେହିଭଳି ଏହିସବୁ ଅଞ୍ଚଳରେ ଟ୍ରାଫିକ ଭିଡ ସମ୍ଭାଳିବାପାଇଁ ପୁଲିସ୍ ପକ୍ଷରୁ ରାସ୍ତା ଉପରେ ବାଡ ପକାଇ ଦିଆଯାଉଛି । ନିକଟରେ ମାର୍କେଟ କମ୍ପେ୍ଲକ୍ସ ଓ ଦୋକାନ ବଜାର ଆଦି ଥିବାରୁ ଲୋକେ କେଉଁଠି କିଭଳି ରାସ୍ତା ଅତିକ୍ରମ କରିବେ ସେଥିପ୍ରତି ନଜର ଦିଆଯାଉ ନାହିଁ । ଫଳରେ ଗୋଟିଏ ଗାଡି ରାସ୍ତାରେ ବୁଲିଲା ବେଳକୁ ତା ପଛରେ ମାଳ ମାଳ ଗାଡି ଛିଡାହୋଇ ଯାଉଛନ୍ତି ।
ଭେଣ୍ଡିଂ ଜୋନ୍ ଯୋଗୁଁ ଟ୍ରାଫିକ ସମସ୍ୟା ବିଗୁଡୁଥିବା ଦେଖି କିଛିଦିନ ତଳେ ଏହାର ନିରାକରଣ ଲାଗି ପାର୍କିଂ ସ୍ଥାନ ଥିବା ଇଲାକାକୁ ଭେଣ୍ଡିଂ ଜୋନ୍ ଉଠାଯିବ ବୋଲି ବିଏମ୍ସି ଘୋଷଣା କରିଥିଲା । ହେଲେ ସେହି ଘୋଷଣା ଏବେ ଶୀତଳଭଣ୍ଡାରରେ । ଅନେକ ସ୍ଥାନରେ ଭେଣ୍ଡିଂ ଜୋନ୍ ବ୍ୟବସାୟୀମାନେ ଫୁଟପାଥ୍କୁ ଦଖଲ କରିଥିବାବେଳେ ସେମାନଙ୍କ ଦୋକାନକୁ ଆସୁଥିବା ଲୋକେ ଅଧା ରାସ୍ତାକୁ ଦଖଲ କରୁଛନ୍ତି । ଫଳରେ ଅଫିସ ଯିବା ଆସିବା ସମୟରେ ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ ସ୍ଥିତି ଅଣାୟତ ହେବାରେ ଲାଗିଛି ।
ରାଜଧାନୀରେ ଚାରି ଓ ଦୁଇ ଚକିଆ ଯାନକୁ ଟେକି ନେଇ ଫାଇନ୍ ଆଦାୟରେ ଟ୍ରାଫିକ ଓ ପୁଲିସ୍ ଅଧିକାରୀମାନେ ଯେତେ ଗୁରୁତ୍ୱ ଦେଉଛନ୍ତି ଅନୁରୂପ ଗୁରୁତ୍ୱ ଟ୍ରାଫିକ ପରିଚାଳନାରେ ଦେଲେ ଲୋକେ କିଛିଟା ଭିଡରୁ ରକ୍ଷା ପାଇପାରନ୍ତେ ବୋଲି ମତ ଦେଉଛନ୍ତି । (ତଥ୍ୟ)