Home General ଟ୍ରାକକୁ ଫେରୁଛି ମଦ କାରବାର

ଟ୍ରାକକୁ ଫେରୁଛି ମଦ କାରବାର

ଭୁବନେଶ୍ୱର : କରୋନା କାଳରେ ମାନ୍ଦା ପଡିଯାଇଥିବା ମଦ ବେପାର ପୁଣିଥରେ ଟ୍ରାକ୍‍କୁ ଫେରିଛି । ଭାରତ ତିଆରି ବିଦେଶୀ ମଦ, ବିୟର ଓ ଦେଶୀ ମଦର କାରବାର ପୁଣି ଥରେ ବଢିବାରେ ଲାଗିଛି ।

୨୦୨୦-୨୧ ମସିହାରେ ରାଜ୍ୟରେ ବିଦେଶୀ ମଦ କାରବାରରୁ ୨୧୩୬ କୋଟି ଟଙ୍କାର ଶୁଳ୍କ ମିଳିଥିଲା । ଏହା ପୂର୍ବବର୍ଷ ତୁଳନାରେ ପାଖାପାଖି ୨୨ ପ୍ରତିଶତ କମି ଯାଇଥିଲା । ତେବେ କରୋନା କମିବା ପରେ ୨୦୨୧-୨୧ରେ ବିଦେଶୀ ମଦ କାରବାର ବଢ଼ିବା ସହିତ ଆଦାୟ ଶୁଳ୍କ ପରିମାଣ ୩୪୪୬ କୋଟି ଟଙ୍କାକୁ ଟପି ଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ୬୧ ପ୍ରତିଶତରୁ ଅଧିକ ବଢ଼ିଛି ।

ସେହିଭଳି ୨୦୨୦-୨୧ ବର୍ଷରେ ରାଜ୍ୟରେ ବିୟର ବିକ୍ରିରୁ ୩୪୨ କୋଟି ୬୧ ଲକ୍ଷ ଟଙ୍କାର ଶୁଳ୍କ ମିଳିଥିଲା । କରୋନା ଯୋଗୁଁ ଏହି ଟିକସ ପରିମାଣ ପୂର୍ବବର୍ଷ ତୁଳନାରେ ୫୫ ପ୍ରତିଶତରୁ କମ୍‍ ରହିଥିଲା । ତେବେ ୨୦୨୧-୨୨ ମସିହାରେ ବିୟର ବିକ୍ରି ବୃଦ୍ଧି ପାଇବା ସହିତ ଏଥିରୁ ମିଳୁଥିବା ଶୁଳ୍କ ପରିମାଣ ୭୭୩ କୋଟି ଟଙ୍କାକୁ ଟପି ଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ୧୨୫.୬୭ ପ୍ରତିଶତ ଅଧିକ ।

ବିଦେଶୀ ମଦ ଓ ବିୟର ଭଳି ଦେଶୀ ମଦ କାରବାର ବି କରୋନା ଥମିବା ପରେ ରାଜ୍ୟରେ ବଢ଼ି ଚାଲିଛି । ୨୦୨୦-୨୧ ମସିହାରେ ଦେଶୀ ମଦ କାରବାରରୁ ମାତ୍ର ୯୩ କୋଟି ୧୦ଲକ୍ଷ ଟଙ୍କାର ଶୁଳ୍କ ମିଳିଥିଲା । ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୩୪ ପ୍ରତିଶତ କମ୍‍ ଥିଲା । ତେବେ କରୋନା ଥମିବା ପରେ ଦେଶୀ ମଦ କାରବାର ବଢ଼ିବା ସହିତ ଏଥିରୁ ମିଳିଥିବା ରାଜସ୍ୱ ପରିମାଣ ୨୦୨୧-୨୨ ବର୍ଷରେ ୧୬୦ କୋଟି ୮୪ଲକ୍ଷ ଟଙ୍କାରେ ପହଞ୍ôଚଛି । ଯାହାକି ପୂର୍ବବର୍ଷ ତୁଳନାରେ ୭୨.୭୬ ପ୍ରତିଶତ ଅଧିକ ।

ରାଜ୍ୟରେ ମଦ ବିକ୍ରି ନେଇ ମିଳୁଥିବା ସୂଚନାରୁ ଜଣାଯାଏ ଯେ ୨୦୧୯-୨୦ ମସିହା ଅର୍ଥାତ୍‍ କରୋନା ନଥିବା ବର୍ଷରେ ୮୧ ଲକ୍ଷ ପେଟି ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ କରୋନା ଯୋଗୁଁ ଏହି ବିିକ୍ରି ପରିମାଣ ୬୨ଲକ୍ଷ ପେଟିକୁ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିବା ପରେ ଏହା ୨୦୨୧-୨୨ ବର୍ଷରେ ୮୦ ଲକ୍ଷ ପେଟିକୁ ବୃଦ୍ଧି ପାଇଛି । ସେହିଭଳି ବିୟର ବିକ୍ରିର ପରିମାଣ ବି ୨୦୧୯-୨୦ ବର୍ଷରେ ୧୦୭ ଲକ୍ଷ ପେଟି ଥିବାବେଳେ କରୋନା ବେଳେ ଏହା ୫୪.୬୭ ଲକ୍ଷ ପେଟିକୁ ହ୍ରାସ ପାଇଥିଲା । ତେବେ କରୋନା ପ୍ରକୋପ କମିବା ପରେ ୨୦୨୧-୨୨ ବର୍ଷରେ ୮୭ଲକ୍ଷ ପେଟିରୁ ଅଧିକ ବିୟର ବିକ୍ରି ହୋଇଛି । ବିକ୍ରି ହୋଇଥିବା ବିୟର ପରିମାଣ ୭ କୋଟି ୪୬ ଲକ୍ଷ ବୋତଲରୁ ଅଧିକ ।

ବିଦେଶୀ ମଦ ଓ ବିୟର ଭଳି କରୋନା ବେଳେ ଲୋକେ ଦେଶୀ ମଦରୁ ବି ମୁହଁ ଫେରାଇ ନେଇଥିଲେ । ୨୦୧୯-୨୦ ବର୍ଷରେ ରାଜ୍ୟରେ ୨୬ଲକ୍ଷ ପେଟି ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୦ଲକ୍ଷ ପେଟିକୁ ଖସି ଆସିଥିଲା । ତେବେ କରୋନା ଥମିବା ପରେ ୨୦୨୧-୨୨ ବର୍ଷରେ ଲୋକେ ୨୩.୩୯ ପେଟି ଅର୍ଥାତ୍‍ ୧କୋଟି ୧୯ ଲକ୍ଷ ବୋତଲ ଦେଶୀ ମଦ ପିଇଛନ୍ତି । ଯାହାକି ପୂର୍ବବର୍ଷ ତୁଳନାରେ ୪୬ ପ୍ରତିଶତ ଅଧିକ ।

କରୋନା ସମୟରେ ମଦ୍ୟପାନ କଲେ ଏହା ସଂକ୍ରମିତଙ୍କ ଜୀବନ ନେଇଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର କହିବା ଏବଂ ଲକ୍‍ଡାଉନ ଓ ସଟଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ରହିବାରୁ ରାଜ୍ୟରେ ମଦ କାରବାର ଅହେତୁକ ଭାବେ ହ୍ରାସ ପାଇଥିଲା । ତେବେ କରୋନା ପ୍ରକୋପ କମିବା ପରେ ଲୋକେ ବିଶେଷଜ୍ଞଙ୍କ କଥାକୁ ହେୟଜ୍ଞାନ କରୁଥିବା ବେଳେ ମଦ ଦୋକାନଗୁଡିକ ଖୋଲି ଯିବାରୁ ମଦ କାରବାର ପୁଣିଥରେ ଟ୍ରାକ୍‍କୁ ଫେରିଥିବା ଦେଖିବାକୁ ମିଳୁଛି । (ତଥ୍ୟ)