Home Covid ଟୀକା ପାଇଁ ଟେଣ୍ଡର ଆହ୍ଵାନ

ଟୀକା ପାଇଁ ଟେଣ୍ଡର ଆହ୍ଵାନ

ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ  କରୋନା  ଟୀକା କିଣିବା ପାଇଁ  ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ମାଧ୍ୟମରେ ପ୍ରାୟ  ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ  ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ପ୍ରଦାନ କରିଛନ୍ତି  ।

ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ଵର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।    

କୋଭିଡ ମୁକାବିଲା  ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ  ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ  ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ।  ଏହି କମିଟି  ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ  ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ  ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଡାକ୍ତର  ଦେବୀ ସେଠୀ, ଡାକ୍ତର   ରମାକାନ୍ତ ପଣ୍ଡାଙ୍କ ସମେତ  ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ଆବାହକ ରହିଛନ୍ତି ।  

ଶ୍ରୀ ମହାପାତ୍ର ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର  କୋଭିଡ ସ୍ଥିତି  ଏବଂ  ଏହାର ମୁକାବିଲା କାର୍ଯ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଏବଂ ପ୍ରତିଦିନ କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ , ବଲାଙ୍ଗିର , ଦେବଗଡ , ଗଜପତି,କଳାହାଣ୍ଡି , ନବରଙ୍ଗପୁର , ନୂଆପଡା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ହାର ପ୍ରାୟତଃ   ସ୍ଥିର ରହିଛି  ବା କମିବାକୁ ଆରମ୍ଭ କରିଛି । ତେବେ ବି ଗତ ୧୦  ଦିନ ମଧ୍ୟରେ  ରାଜ୍ୟରେ ଦୈନିକ ସଂକ୍ରମଣ୧୦ ରୁ ୧୨  ହଜାର ମଧ୍ୟରେ ରହିଛି ।  

ବର୍ତ୍ତମାନ  ସାରା ରାଜ୍ୟରେ  ଲକ ଡାଉନ  କଟକଣା ଜାରି ରହିଛି ।   ଜନ ସାଧାରଣ ଏହି  କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ  ଅନୁରୋଧ କରିଥିଲେ । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା  ସମୟରେ ଭିଡଠାରୁ ଦୂରେଇ ରହିବା ଆଦି  ନିୟମକୁ କଡ଼ାକଡ଼ି  ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଗୁରୁତ୍ଵାରୋପ  କରିଥିଲେ ।

କରୋନା ଲଢେଇରେ  ନିୟୋଜିତ  ରାଜ୍ୟର  ଡାକ୍ତର,ସ୍ୱାସ୍ଥ୍ୟ ଅଧିକାରୀ , ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ।  ନିଜର ଜୀବନକୁ ବିପନ୍ନ କରି  ସେମାନେ  ସେବା ଯୋଗାଉଛନ୍ତି ।  ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ   ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ, ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ  ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବ।  ।