ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ସ୍ୱୀକୃତି ପ୍ରାପ୍ତ ୪ଟି କ୍ଷେତ୍ର କର୍ମଚାରୀ (ସ୍ୱାସ୍ଥ୍ୟକର୍ମୀ) ସଂଘ, ଯଥା ଓଡିଶା ବହୁମୂଖୀ ମହିଳା ସ୍ୱାସ୍ଥ୍ୟକର୍ମୀ (ଏ.ଏନ୍.ଏମ୍.) ଓଡିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ, ଓଡିଶା ରାଜ୍ୟ ପୁରୁଷ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଓ ଓଡିଶା ବହୁମୂଖୀ ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକା ସଂଘର ସଦସ୍ୟମାନେ କରୋନା ଟୀକା ନେବେ ନାହିଁ । ସରକାରଙ୍କ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ସଂଘର ନେତୃବୃନ୍ଦ ଆଜି ଏଠାରେ ପ୍ରକାଶ କରିଛନ୍ତି । ତେବେ ଟୀକାଦାନ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିବେ ।
ସଂଘ ପକ୍ଷରୁ କୁହାଯାଇଛି ଯେ ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରୁଅଛୁ । ବନ୍ୟା, ବାତ୍ୟା ଓ କରୋନା ମୁକାବିଲା କ୍ଷେତ୍ରରେ ଓଡିଶାକୁ ବିଶ୍ୱରେ ନମ୍ବର ୱାନ୍ କରିବା ପାଇଁ ଆଗଧାଡିର ଯୋଦ୍ଧା ଭାବେ ଦିନରାତ୍ର କାର୍ଯ୍ୟ କରୁଛୁ ଓ ଆଗକୁ ମଧ୍ୟ କାର୍ଯ୍ୟ ଜାରି ରଖିବୁ । ମାଁ ଓ ଶିଶୁମାନଙ୍କ ନିୟମିତ ଟୀକାକରଣ ସୂଚାରୁରୂପେ ସମ୍ପାଦନ ସହିତ ଓଡିଶାରୁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର କମାଇ ରାଜ୍ୟକୁ ସମଗ୍ର ଦେଶରେ ସୁନାମ ଆଣିବାରେ ଏହି ୧୫୦୦୦ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ପ୍ରଶଂସନୀୟ ।
ସରକାର କ୍ଳିନିକାଲ ଷ୍ଟାଫ୍ ଯଥା, ଡାକ୍ତର, ଷ୍ଟାଫନର୍ସ ପ୍ରଭୃତିଙ୍କୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କ ପଦବୀ ପରିବର୍ତନ ସହ କ୍ୟାଡର ପୁନଃଗଠନ କରି ଚାକିରୀ କାଳରେ ପାଂଚରୁ ସାତଟି ପଦୋନ୍ନତି ବ୍ୟବସ୍ଥା କରିଛନ୍ତି, ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଦୁଃଖର କଥା, ଆମ କ୍ଷେତ୍ର ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରିଆସୁଛି । ଦୀର୍ଘ ଦଶ ବର୍ଷ ହେଲା ଆମ୍ଭେ ଚାରି ସଂଘ ତରଫରୁ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ପାଇଁ ଅନୁରୋଧ କରିଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ଚାକିରୀ କାଳରେ ଚାରି ରୁ ସାତଟି ପଦୋନ୍ନତି ପାଉଥିବାବେଳେ ଆମ୍ଭେ ବହୁମୂଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ରକର୍ମୀମାନେ ଚାକିରି କାଳରେ ମାତ୍ର ଗୋଟିଏ ପଦୋନ୍ନତି ପାଉଛୁ, ଯାହାକୁ ପ୍ରାୟ ୧୫୦୦୦ ଜଣ କ୍ଷେତ୍ର ସ୍ୱାସ୍ଥ୍ୟକର୍ମୀଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି ।
ଏଥି ସମ୍ପର୍କରେ ଆମ୍ଭେ ଚାରି ସଂଘର ସାଧାରଣ ସମ୍ପାଦକ ମିଳିତ ଭାବେ ସରକାରଙ୍କୁ ଲିଖିତ ଜଣାଇ କ୍ୟାଡର ପୁନଃଗଠନ ନିମନ୍ତେ ଆଲୋଚନା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ତେଣୁ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ/ପରିଦର୍ଶୀକାଙ୍କ ମିଳିତ ମହାସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତି ଗ୍ରହଣ କରିଅଛୁ କି କରୋନାମୁକ୍ତ ଓଡିଶା ଓ ସୁସ୍ଥ ଓଡିଶା ଗଠନ ପାଇଁ ଆମ୍ଭେ ବଦ୍ଧପରିକର ।
ତେଣୁ ଆମ୍ଭେ ସମସ୍ତେ ୧୫୦୦୦ କ୍ଷେତ୍ର କର୍ମଚାରୀ (ସ୍ୱାସ୍ଥ୍ୟକର୍ମୀ) କରୋନା ଟୀକାକରଣରେ ସମସ୍ତ ସହଯୋଗ କରିବୁ ଏବଂ ସାଧାରଣ ଲୋକଙ୍କୁ ଟୀକା ଦେବୁ, ମାତ୍ର ଆମେ ଟୀକା ନେବୁନାହିଁ । ଜାନୁୟାରୀ ୧୫ରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବୁ । ତଥାପି ସରକାର ଦାବୀ ପୁରଣ ଦିଗରେ ସନ୍ତୋଷମୂଳକ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ବାଧ୍ୟ ହୋଇ ଆଗ ଧାଡିର କରୋନା ଯୋଦ୍ଧା ୧୫୦୦୦ ସ୍ୱାସ୍ଥ୍ୟକର୍ମୀ ଫେବୃୟାରୀ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ।