ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟିପିସିଓଡିଏଲ୍ ପେ ରୋଲରେ ଯେତିକି କର୍ମଚାରୀ ରହିଛନ୍ତି ତାହାର ଦୁଇଗୁଣରୁ ଅଧିକ ଠିକା କର୍ମଚାରୀ ରହିଛନ୍ତି । ପେ ରୋଲ୍ରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୧୭୬ ଜଣ ରାଜ୍ୟ ବାହାରର ।
ଟିପିସିଓଡିଏଲ୍ କର୍ମଚାରୀଙ୍କ ସଂକ୍ରାନ୍ତରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଟିପିସିଓଡିଏଲ୍ର ପେ ରୋଲରେ ଥିବା ନିୟମିତ ଓ ଠିକା କର୍ମଚାରୀଙ୍କ ସଂଖ୍ୟା ହେଉଛି ୫୩୫୨ । ବିଭିନ୍ନ ସଂସ୍ଥାରୁ ଆସି ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ୧୨,୨୭୪ । ତେବେ ପେ ରୋଲରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୧୭୬ ଜଣ ରାଜ୍ୟ ବାହାରର ଥିବା ଜଣାଯାଇଛି ।
ସେହିଭଳି ବିଭିନ୍ନ ସଂସ୍ଥାରୁ ଆସିଥିବା ସମସ୍ତ କର୍ମଚାରୀ ଓଡିଶାର ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଟିପିସିଓଡିଏଲ୍ ରାଜ୍ୟର ୯ଟି ଜିଲ୍ଲାରେ ବିତରଣ ଦାୟିତ୍ୱରେ ଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କର୍ମଚାରୀ ନିୟୋଜିତ କରାଯାଉଛି । ତେବେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟବସାୟିକ ସଂସ୍ଥାରୁ କର୍ମଚାରୀ ଆଣି ନିଯୁକ୍ତ କରାଯାଉଥିବାବେଳେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । (ତଥ୍ୟ)