Home Environment ଟିଟିଏସ୍‍ ଯନ୍ତ୍ରଣାରୁ ମୁକ୍ତି କେବେ?

ଟିଟିଏସ୍‍ ଯନ୍ତ୍ରଣାରୁ ମୁକ୍ତି କେବେ?

ଭୁବନେଶ୍ୱର : ସୈନିକ ସ୍କୁଲ ପଛପଟେ ଭୁବନେଶ୍ୱର ମହାନଗର ନିଗମ ବର୍ଷବର୍ଷ ଧରି ସହରର ଓଦା ଶୁଖିଲା ଆବର୍ଜନା ସବୁ ଗଦା କରୁଥିବା ପରିପ୍ରେକ୍ଷୀରେ ଏହାକୁ ହଟାଇବା ପାଇଁ ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକେ ଆନ୍ଦୋଳନ କରିଆସୁଛନ୍ତି । ଏମିତିକି ଅତୀତରେ ବିରୋଧୀ ଦଳରେ ଥିବାବେଳେ ସୈନିକ ସ୍କୁଲ ଛକ ନିକଟରେ ବିଜେପି ପକ୍ଷରୁ ମଧ୍ୟ ମାସାଧିକ କାଳ ଧରି ଆନ୍ଦୋଳନ କରାଯାଇଥିଲା । ତେବେ ଓଡ଼ିଶାରେ ବିଜେପି ଶାସନ ପ୍ରତିଷ୍ଠା ପରେ ଦୁଇ ଦୁଇଥର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇସାରିଥିବା ବେଳେ ଆଚାର୍ଯ୍ୟ ବିହାର ନିକଟବର୍ତ୍ତୀ ସୈନିକ ସ୍କୁଲ ପଛ ଅଞ୍ଚଳରୁ ଆବର୍ଜନାର ପାହାଡ଼ ହଟା ଯାଇପାରୁନାହିଁ ।

ଅତୀତରେ ରାଜଧାନୀର ଉପକଣ୍ଠରେ ଥିବା ଅନ୍ଧାରୁଆ ଅଞ୍ଚଳରୁ ଆବର୍ଜନା ପାହାଡ଼ ହଟାଇବା ପାଇଁ ବି ଗ୍ରାମବାସୀଙ୍କ ସମେତ ବିଜେପି ଆନ୍ଦୋଳନ କରୁଥିଲା । ଅନ୍ଧାରୁଆ ଲୋକଙ୍କ ଦାବି ସହ ସେତେବେଳର ବିଜେପି ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ ସ୍ୱର ମିଳାଇବାରୁ ନୂଆପଲ୍ଳୀର ନୀଳକଣ୍ଠ ନଗରରେ ଥିବା ତାଙ୍କ ବାପାଙ୍କ ବାସଭବନ ସମ୍ମୁଖରେ ଓଲଟା ବିଜେଡି ନେତାମାନେ ଟ୍ରକଟ୍ରକ ଅଳିଆ ଆବର୍ଜନା ଗଦା କରି ପାଲଟା ଜବାବ ଦେଇଥିଲେ ।

ସୈନିକ ସ୍କୁଲ ନିକଟରେ ଥିବା ଟେମ୍ପରାରୀ ଟ୍ରାନ୍ସଫର ଷ୍ଟେସନ୍‍ (ଟିଟିଏସ୍‍)ରେ ମହାନଗରର ବିଭିନ୍ନ ଅଞ୍ଚଳରୁ ଟ୍ରକ ଓ ଟ୍ରାକ୍ଟରରେ ଓଦା ଶୁଖିଲା ଆବର୍ଜନା ଆଣି ପ୍ରତିଦିନ ଗଦା କରାଯାଏ ଏବଂ ଏଠାରୁ ନିୟମିତ ବ୍ୟବଧାନରେ ବି ଅଳିଆ ଅନ୍ୟତ୍ର ପଠାଯାଏ । ଏହା ସତ୍ତ୍ୱେ ବି ଏଠାକାର ଅଳିଆ ଗଦା ଯୋଗୁ ଆଖପାଖରେ ଥିବା ସୈନିକ ସ୍କୁଲର ପିଲାମାନେ କବାଦ ଝରକା ଫିଟାଇ ଶ୍ରେଣୀରେ ପାଠ ପଢ଼ିପାରୁ ନାହାନ୍ତି କି ହଷ୍ଟେଲ୍‍ରେ ବି ଖୋଲା ପବନ ଖାଇ ପାରୁନାହାନ୍ତି । ଏମିତିକି ସେମାନଙ୍କ ଖେଳ କସରତ ଓ ପରେଡ୍‍ ଆଦି ବି ଏହି ଅଳିଆ ଗଦାର ଦୁର୍ଗନ୍ଧ ଯୋଗୁ ଠିକଣା ଭାବେ ହୋଇପାରୁ ନାହିଁ । ଅଳିଆ ହଟାଇବା ପରିବର୍ତ୍ତେ କିଛିଦିନ ତଳେ ସୈନିକ ସ୍କୁଲକୁ ତାହାର ମୂଳ ସ୍ଥାନରୁ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ପରେ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହୋଇଥିଲା ।

ବୀର ସୁରେନ୍ଦ୍ର ସାଏ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ସୈନିକ ସ୍କୁଲ ପରିସର, ବାଣୀ ବିହାର ପରିସର, ରେଳ ବିହାର, ଧୀରକୁଟି ସାହି, ଗଜପତି ନଗର, ରଙ୍ଗମାଟିଆ, ଗାଡ଼କଣ, ଲକ୍ଷ୍ମୀ ବିହାର ସମେତ ରେଳ ଡବା କାରଖାନା ଆଦି ଅଞ୍ଚଳର ଲୋକେ ଏହି ଅଳିଆ ଗଦାର ଦୁର୍ଗନ୍ଧ ଯୋଗୁ ତ୍ରାହିତ୍ରାହି ଡାକିଲେଣି । ଏମିତିକି ନିକଟରେ ଥିବା ରେଳବାଇ ଡାକ୍ତରଖାନାରେ ରୋଗୀ ମୁହଁରେ କପଡ଼ା ବାନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି ।

ବିଏମ୍‍ସି ପକ୍ଷରୁ ମଝିରେ ମଝିରେ ଏହି ଅଳିଆ ଗଦା ଉପରେ କିଛି ରାସାୟନିକ ପଦାର୍ଥ ସିଞ୍ଚନ କରାଯାଇ ଗନ୍ଧ ଚାପି ଦେବାକୁ ଉଦ୍ୟମ ହେଉଛି । ଏହା ସତ୍ତ୍ୱେ ବି ସମସ୍ୟା ସମାଧାନ ହେଉନାହିଁ । ଆଖପାଖ ଅଞ୍ଚଳରେ ଦୁର୍ଗନ୍‍ଧ ବ୍ୟାପିବା ସହିତ ମଶା, ମାଛି ଓ ଅନ୍ୟ କୀଟପତଙ୍ଗ ବ୍ୟାପୁଛନ୍ତି । ଏଥିଯୋଗୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ବ୍ୟାପୁଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମେତ ବିଭିନ୍ନ ସଂସ୍ଥା ଏହି ସମସ୍ୟା ସଂପର୍କରେ ଅବହିତ । ବର୍ତ୍ତମାନର ଓ ସେତେବେଳର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ବିଧାୟକ, ମେୟର ଆଦି ବାରମ୍ବାର ଟିଟିଏସ୍‍ ଅଳିଆ ଗଦା ଦେଖି ଯାଉଛନ୍ତି । ଏମିତିକି ସ୍ୱଳ୍ପ ସମୟ ଭିତରେ ଏହି ଅଳିଆ ଗଦା ହଟିବ ବୋଲି ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି । ଏସବୁ ସତ୍ତ୍ୱେ ଟିଟିଏସ୍‍ ସୈନିକ ସ୍କୁଲ ପାଖରୁ କେବେ ସଂପୂର୍ଣ୍ଣ ଭାବେ ଉଚ୍ଛେଦ ହେବ ସେଥିଘେନି ସ୍ଥାନୀୟ ଲୋକେ ଦଳମତ ନିର୍ବିଶେଷରେ ପ୍ରତିବାଦ ଜାରି ରଖିବା ସହିତ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ।(ତଥ୍ୟ)