Home Health ଟିକା ଭଣ୍ଡାର ଉଦ୍‌ଘାଟିତ

ଟିକା ଭଣ୍ଡାର ଉଦ୍‌ଘାଟିତ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏମ୍‌) ବୃନ୍ଦା ଡି., ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍‌ ଓଡ଼ିଶାର ଆଞ୍ଚଳିକ ଅଫିସ ମୁଖ୍ୟ ୱିଲିୟମ୍‌ ହାନ୍‌ଲୋନ୍‌, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ, ରାଜ୍ୟ ପ୍ରତିନିଧି (ୟୁନିସେଫ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି ଏବଂ ଜେଏସ୍‌ଆଇ) ଯୋଗଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ଆମ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ର ଲକ୍ଷ୍ୟ ହାସଲ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣ ହାର ୯୦.୫% ଅଟେ, ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ।

ଏହି ଅବସରରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ଗୁଣାତ୍ମକ ଟିକା ଯୋଗାଣ ସମ୍ବନ୍ଧୀୟ ପୁସ୍ତିକା ମାନ୍ୟବର ମନ୍ତ୍ରୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉନ୍ମୋଚନ କରିଥିଲେ ।
କମିଶନର ତଥା ଶାସନ ସଚିବ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ପାଞ୍ଚବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି ।

ଏସ୍‌ଆର୍‌ଏସ୍‌ ତଥ୍ୟ ଅନୁସାରେ ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ (୮୯ରୁ ୩୯କୁ) ହ୍ରାସ ପାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ ଆମ ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କର ଶତପ୍ରତିଶତ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ।

ୟୁନିସେଫ୍‌ ଓଡ଼ିଶାର ୱିଲିୟମ୍‌ ହାନ୍‌ଲୋନ୍‌ ଓଡ଼ିଶାର ସମ୍ପୂର୍ଣ୍ଣ ଟିକାକରଣର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରି ଓଡ଼ିଶାର ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ପାଇଁ ୟୁନିସେଫ୍‌ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

ଏନ୍‌ଏଚ୍‌ଏମ୍‌ର ନିର୍ଦ୍ଦେଶିକା ବୃନ୍ଦା ଡି କହିଛନ୍ତି ଯେ ଏହି ଟିକା ଭଣ୍ଡାରରେ ଟିକା ଓ ଲଜିଷ୍ଟିକ୍‌ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ଅଛି । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ରାଜ୍ୟ, ଆଞ୍ଚଳିକ, ଜିଲ୍ଲା ଭ୍ୟାକ୍ସିନ୍‌ ଷ୍ଟୋରଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଅଧୀନରେ ପର୍ଯ୍ୟାପ୍ତ ମାନବସମ୍ବଳ ନିୟୋଜିତ ହୋଇଛନ୍ତି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ପାଣିଗ୍ରାହୀ କହିଛନ୍ତି ଯେ ପର୍ଯ୍ୟାପ୍ତ ଭିତ୍ତିଭୂମି, ମାନବସମ୍ବଳ ସହିତ ଓଡ଼ିଶାର କୋଲଡ୍‌ ଚେନ୍‌ ଓ ଭ୍ୟାକ୍ସିନ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ଼ ଅଟେ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଭ୍ୟାକ୍ସିନ୍‌ ଏବଂ ଲଜିଷ୍ଟିକ୍‌ ଉପଲବ୍ଧ ହେବା ସ୍ଥିତି ତଥା କୋଲଡ୍‌ ଚେନ୍‌ ଉପକରଣର ତାପମାତ୍ରା ଇମିନ୍‌ (ଇ ଭିନ୍‍) ମାଧ୍ୟମରେ ନିରୀକ୍ଷଣ କରାଯାଉଛି ।

ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ନିରବଚ୍ଛିନ୍ନ ଭାବେ ଉପଯୁକ୍ତ ତାପମାତ୍ରାରେ ଯୋଗାଣ ନିଶ୍ଚିତ କରାଯାଉଅଛି । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ୟୁନିସେଫ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍‌ଡିପି, ଆଇଏସ୍‌ଆଇର ସମର୍ଥନକୁ ଡାକ୍ତର ପାଣିଗ୍ରାହୀ ପ୍ରଶଂସା କରିଥିଲେ ।