Home Health ଟିକା ଟୋକନ ପାଇଁ ରାତି ଅନିଦ୍ରା

ଟିକା ଟୋକନ ପାଇଁ ରାତି ଅନିଦ୍ରା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍‍ ଟିକା ନେବା ପାଇଁ ଗାଁ ଗହଳରେ ଲୋକେ ଏବେ ରାତି ଅନିଦ୍ରା । କିଏ ରାତି ୪ଟାରୁ ଆସି ଧାଡ଼ି ଲଗାଉଛି ତ ଆଉ କିଏ ରାତି ୨ଟାରୁ ଯାଇ ଟିକାଦାନ କେନ୍ଦ୍ର ଚାରିପଟେ ଚକ୍କର କାଟୁଛି ।

ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ଲକ୍ଷାଧିକ ଲୋକେ ଏବେ ଦ୍ୱିତୀୟ ଡୋଜ୍‍ ନେବା ପାଇଁ ଆତୁର ହୋଇ ଚାହିଁ ରହିଛନ୍ତି । କାରଣ ଧାର୍ଯ୍ୟ ସମୟରେ ଦ୍ୱିତୀୟ ଡୋଜ୍‍ ନ ନେଲେ ପ୍ରଥମ ଡୋଜ୍‍ ଟିକା ଅକାମୀ ହୋଇଯିବ । ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ଯୋଗୁ ଠିକଣା ସମୟରେ ଦ୍ୱିତୀୟ ଡୋଜ୍‍ ଦିଆଯାଇପାରୁନଥିବା ବେଳେ ଏବେ କିଛି ପରିମାଣରେ ଟିକା ଆସିଥିବାରୁ ବିଭିନ୍ନ ସ୍ଥାନକୁ ଏହା ବାଣ୍ଟିକୁଣ୍ଟି ଦିଆଯାଉଛି ।

ସହରାଞ୍ଚଳ ଲୋକେ ଦ୍ୱିତୀୟ ଡୋଜ୍‍ ନେବା ପାଇଁ ଅନଲାଇନରେ ସ୍ଲଟ ବୁକିଂ କରିଥିବା ବେଳେ ଗାଁ ଗହଳରେ କିନ୍ତୁ ଏହା ସମ୍ଭବ ହେଉନାହିଁ । ଏପରିକି କେତେକ ସହରାଞ୍ଚଳରେ ବି ଲୋକେ ଅନ୍‍ଲାଇନରେ ସ୍ଲଟ ବୁକିଂ କରିପାରୁନାହାନ୍ତି । ତେଣୁ ଯେଉଁଠାରେ କିଛି କିଛି ଟିକା ପହଞ୍ଚୁଛି ସେଠାରେ ତୁରନ୍ତ ଲୋକଙ୍କୁ ଏହା ଦେବା ପାଇଁ ଟୋକନ ବ୍ୟବସ୍ଥା ହୋଇଛି ।

ତେବେ ଆଗତୁରା ଆସି ଟୋକନ ହାତେଇବା ଲାଗି ଏବେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି । ରାତି ଅଧରୁ ଆସି ଲୋକେ ଧାଡ଼ିରେ ଛିଡ଼ା ହୋଇ ଟୋକନ ନେଉଛନ୍ତି । ଯିଏ ଡେରିରେ ଆସୁଛି ତାହାର ଟିକାନେବାରେ ଦୁଇଦିନ ଘୁଞ୍ଚି ଯାଉଛି ।

କେବଳ ଦ୍ୱିତୀୟ ଡୋଜ୍‍ ନୁହେଁ ଟିକା ପହଞ୍ଚିବା ଖବର ଶୁଣି ପ୍ରଥମ ଡୋଜ୍‍ ନେବା ପାଇଁ ୧୮ରୁ ୪୪ ବର୍ଷ ବୟସର ଯୁବକ ବି ଟିକାଦାନ କେନ୍ଦ୍ରରେ ଭିଡ଼ ଲଗାଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିଡ଼ ଏଭଳି ହେଉଛି ଯେ ଯଦି ସେଠାରେ ଜଣେ ସଂକ୍ରମିତ ଥିବ ତେବେ ସେ ସୁପର ସ୍ପ୍ରେଡର ପାଲଟିଯିବ । ତେବେ ଟୋକନ ବ୍ୟବସ୍ଥା ବଦଳରେ ପ୍ରଥମ ଡୋଜ୍‍ ନେଇଥିବା ଲୋକଙ୍କ ଟେଲିଫୋନ୍‍ ନମ୍ବର ଥିବାରୁ ସେମାନଙ୍କୁ ଫୋନ୍‍ କରି ଡାକି ଟିକା ଦେବା ପାଇଁ ମତ ପ୍ରକାଶ ପାଉଛି ।