Home General ଟିକସ ଫାଙ୍କୁଛନ୍ତି ବିବାହ ମଣ୍ଡପ

ଟିକସ ଫାଙ୍କୁଛନ୍ତି ବିବାହ ମଣ୍ଡପ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ଅଧିକାଂଶ ବିବାହମଣ୍ଡପ ଏବେ ଟିକସ ଫାଙ୍କିର ଅନ୍ୟତମ କେନ୍ଦ୍ର ପାଲଟିଛି । ଭୋଜିଭାତରେ ଏଠାରେ ହଜାରେ ଲୋକ ଯୋଗ ଦେଉଥିବାବେଳେ ଟିକସ ଫାଙ୍କିବାପାଇଁ କାଜପତ୍ରରେ ଶହେ କି ଦୁଇଶହ ଦେଖାଯାଉଛି ।

ବିବାହ ମଣ୍ଡପରେ ଭୋଜିଭାତ ଉପରେ ଟିକସ ଦେବାକୁ ପଡିଥାଏ । ଏହି ଟିକସର ପରିମାଣ ୧୮ ପ୍ରତିଶତ ରହୁଥିବାରୁ ଏହାକୁ କିଭଳି ଦିଆନଯିବ ସେଥିପାଇଁ ମଣ୍ଡପମାନେ ବିଭିନ୍ନ ପ୍ରକାର ଗଳାବାଟର ବ୍ୟବସ୍ଥା କରିଛନ୍ତି । ବିଶେଷକରି କିଭଳି ଲୋକସଂଖ୍ୟା କମ୍‍ ଦେଖାଇ କମ୍‍ ଟିକସ ଦାଖଲ ହେବ ତାହା କରୁଛନ୍ତି ।

ବିବାହ ଭୋଜିପାଇଁ ଜଣେ ବ୍ୟକ୍ତି ମଣ୍ଡପ କର୍ତ୍ତୃପକ୍ଷଙ୍କ ସହିତ ଯୋଗଯୋଗ କଲେ ପ୍ରଥମେ ଭୋଜିରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ପଚାରୁଛନ୍ତି । ଯଦି ହଜାରେ ଲୋକଙ୍କର ଭୋଜିଭାତର ବ୍ୟବସ୍ଥା ହେଉଛି ତେବେ ଅନେକ ମଣ୍ଡପ କର୍ତ୍ତୃପକ୍ଷ ଆୟୋଜକଙ୍କ ଠାରୁ ଉଭୟ ଚେକ୍‍ ଓ ନଗଦ ଆକାରରେ ଟଙ୍କା ଦାବି କରୁଛନ୍ତି । ଚେକ୍‍ରେ ୨୦୦ ଲୋକଙ୍କର ଦେୟ ପଇଠ କରିବାକୁ କହୁଥିବାବେଳେ ଅବଶିଷ୍ଟ ଅର୍ଥ ନଗଦରେ ନେଉଛନ୍ତି । ଚେକ୍‍ରେ ନେଉଥିବା ଅର୍ଥ ଉପରେ ହିଁ ଟିକସ ପଇଠ କରୁଛନ୍ତି । ଯଦି ଆୟୋଜକ ନଗଦ ଦେବାକୁ ରାଜି ହେଉ ନାହାନ୍ତି ତେବେ ତାଙ୍କୁ ଅତିରିକ୍ତ ଭାବେ ଟିକସ ଅର୍ଥ ପଇଠ କରିବାକୁ କୁହାଯାଉଛି । ତେଣୁ ଅନେକ ଆୟୋଜକ ବି ଅର୍ଥଚାପରୁ ମୁକ୍ତି ପାଇଁ ନଗଦ ଅର୍ଥ ଯୋଗାଡ କରୁଛନ୍ତି ।

ତେବେ ରାଜଧାନୀରେ ଏହି ସମସ୍ୟା ଅଧିକ ପରିଲକ୍ଷିତ ହେଉଛି । ଶହ ଶହ ବେସରକାରୀ ଘରୋଇ ମଣ୍ଡପ ଏଭଳି ଭାବେ ଟିକସ ଫାଙ୍କୁଥିବାବେଳେ ସେମାନଙ୍କୁ ଧରିବାପାଇଁ ସରକାରୀକଳର ଆଗ୍ରହ ନାହିଁ । ଟିକସ ପଇଠ ବେଳକୁ ଭୋଜିରେ ଶହେ ଦୁଇ ଶହ ଲୋକ ଦେଖାଉଥିବା ମଣ୍ଡପଗୁଡିକ କିନ୍ତୁ ଭୋଜି ପରଦିନ ଟ୍ରକ ଟ୍ରକ ଆବର୍ଜନା ଉଠାଇବାପାଇଁ ବିଏମସିକୁ କାକୁତି ମିନତି ହେଉଛନ୍ତି ।

ସେହିଭଳି ବେସରକାରୀ ମଣ୍ଡପଗୁଡିକ ଖାଦ୍ୟର କେଉଁ ପ୍ରକାର ଦର ନେଉଛନ୍ତି ଓ ଲୋକଙ୍କୁ କିଭଳି ମାନର ଖାଦ୍ୟ ଦେଉଛନ୍ତି ତାହା ଉପରେ ବି କାହାର ନଜର ନାହିଁ । ଗୋଟିଏ ପଟେ ଟିକସ ଠକେଇ କରୁଥିବାବେଳେ ଅନ୍ୟ ପଟେ ଲୋକଙ୍କ ଠାରୁ ବି ଖାଦ୍ୟ ବାବଦରେ ମୋଟା ଅଙ୍କର ଅର୍ଥ ନେଉଛନ୍ତି । ଖାଦ୍ୟର ମାନ ଉପରେ ବିଏମ୍‍ସି କିମ୍ବା ସ୍ୱାସ୍ଥ୍ୟ ବିଭାଗ କେହି ଦୃଷ୍ଟି ଦେଉନଥିବାରୁ ଅଧିକାଂଶ ସମୟରେ ଖାଦ୍ୟ ପ୍ରସ୍ତୁତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ଆସୁଛି ।

ଯେହେତୁ ରାଜଧାନୀ ଭଳି ସହରରେ ସରକାରୀ କଲ୍ୟାଣମଣ୍ଡପ ସଂଖ୍ୟା ଅତି ନଗଣ୍ୟ ତେଣୁ ଲୋକେ ବାଧ୍ୟହୋଇ ବେସରକାରୀ ମଣ୍ଡପ ଓ ହୋଟେଲ ମୁହାଁ ହେଉଛନ୍ତି । ଲୋକଙ୍କ ବିକଳିଆ ଅବସ୍ଥା ସହିତ ସରକାରୀକଳର ଉଦାସୀନତାକୁ ଦେଖି ଏହି ମଣ୍ଡପ ଓ ହୋଟେଲ କର୍ତ୍ତୃପକ୍ଷ କେବଳ ଟିକସ ଠକେଇ କରୁନାହାନ୍ତି ଅନେକ ସମୟରେ ମୋଟା ଅଙ୍କର ଅର୍ଥ ନେଇ ଲୋକଙ୍କୁ ନିମ୍ନମାନର ଖାଦ୍ୟ ବି ପରଷୁଛନ୍ତି । ବିହାହ ଋତୁରେ ମଣ୍ଡପଗୁଡିକ ପ୍ରତିଯୋଗିତା ଭିତିରେ ଲୋକଙ୍କ ପକେଟ ଖାଲି କରୁଥିବାବେଳେ ଏମାନଙ୍କ ଉପରେ କଡାନଜର ରଖିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)