ଭୁବନେଶ୍ୱର : ରାଜ୍ୟରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି)ଗୁଡିକ ଆଉ କୁକୁଡା ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରିପାରିବେ ନାହିଁ । ଓଡିଶା ହାଇକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଓଡିଶା କୃଷି ବିପ୍ପଣନ ବୋର୍ଡ ପକ୍ଷରୁ ସମସ୍ତ ଆରଏମସି ଅଧ୍ୟକ୍ଷଙ୍କୁ ପତ୍ରଲେଖି ଅବଗତ କରାଯାଇଛି ।
ବୋର୍ଡ ପକ୍ଷରୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ଓଡିଶା ହାଇକୋର୍ଟ କୁକୁଡା ଉପରୁ ଟିକସ ଆଦାୟ ନକରିବାକୁ ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି । ତେଣୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ କୌଣସି ଆରଏମ୍ସି କୁକୁଡା ଉପରେ ଆଉ ଟିକସ ଆଦାୟ କରିପାରିବେ ନାହିଁ ।
ଉଲ୍ଲେଖନୀୟ ଯେ କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଆରମ୍ଏସିର ଟିକସ ଆଦାୟ ବିରୁଦ୍ଧରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ସମସ୍ତଙ୍କ ଯୁକ୍ତି ଶୁଣିବାପରେ ଗତ ମାସରେ କୁକୁଡା ବ୍ୟବସାୟରୁ ଆରଏମସିର ଟିକସ ଅଦାୟ ଉପରେ ରହିତାଦେଶ ଜାରି କରିଥିଲେ । ଏହି ମାମଲାରେ ସଂଘ ପକ୍ଷରୁ କୃଷି ବିପ୍ପଣନ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଥିଲା । ଅଦାଲତଙ୍କ ରାୟ ଆସିବାପରେ ବୋର୍ଡ ପକ୍ଷରୁ ଚଳିତ ମାସ ୬ତାରିଖରେ ସମସ୍ତ ଆରଏମସିକୁ ପତ୍ରଲେଖି ଏ ସଂକ୍ରାନ୍ତରେ ଅବଗତ କରାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରୁ ଉତ୍ପାଦିତ କୁକୁଡା ଏବେ ପଡୋଶୀ ରାଜ୍ୟଗୁଡିକୁ ବହୁଳ ଭାବେ ରପ୍ତାନି ହେଉଥିବାବେଳେ ଆନ୍ତଃରାଜ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଆରଏମସି ଜୁଲମର ଶିକାର ହେଉଥିଲେ । ଆରଏମସି କର୍ତ୍ତୃପକ୍ଷ ସେମାନଙ୍କ ସୀମା ବାହାରକୁ ଆସି ରାଜପଥ ଉପରେ କୁକୁଡା ପରିବହନ କରୁଥିବା ଯାନଠାରୁ ଜବରଦସ୍ତ ଟିକସ ଆଦାୟ କରୁଥିଲେ । ଯେଉଁ ଗାଡିଗୁଡିକ ବେଆଇନ୍ ଭାବେ ଆଦାୟ ହେଉଥିବା ଟିକସ ଦେବାକୁ ମନା କରୁଥିଲେ ସେମାନଙ୍କୁ ପୁଲିସ୍ ଭୟ ଦେଖାଇ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଅଟକାଯାଉଥିଲା । ଏଥିଯୋଗୁଁ ରାଜ୍ୟର କୁକୁଡା ବ୍ୟବସାୟୀ ଓ ଚାଷୀ ଉଭୟ କ୍ଷତିଗ୍ରସ୍ତ ହେଉଥିଲେ । କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ତାହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଉନଥିଲା ।
ଶେଷରେ ଆରଏମସିଗୁଡିକର ଜୁଲମ ବିରୁଦ୍ଧରେ ସଂଘ ବାଧ୍ୟହୋଇ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସମସ୍ତ ପକ୍ଷଙ୍କୁ ଯୁକ୍ତି ଶୁଣିବାପରେ ମାନ୍ୟବର ଅଦାଲତ ଏଭଳି ଟିକସ ଆଦାୟ ଉପରେ ରୋକ୍ ପାଇଁ ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କର ଅଦାଲତ ରାୟ ହସ୍ତକ୍ଷେପ ହେବାପରେ ଏ ନେଇ ସମସ୍ତ ଆରଏମସିକୁ ପତ୍ର ଲେଖାଯାଇଛି । ଫଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆରଏମସିଗୁଡିକ ଆଉ କୁକୁଡା ଉପରୁ ଟିକସ ଆଦାୟ କରିପାରିବେ ନାହିଁ । (ତଥ୍ୟ)