ଭୁବନେଶ୍ୱର : ସାଧାରଣ ର୍ନିବାଚନ ହେବାକୁ ପ୍ରାୟ ଆଉ ଛଅମାସ ସମୟ ବାକି ଥିବାବେଳେ ଏବେ ବିଭିନ୍ନ ଦଳର ୬୦ରୁ ଅଧିକ ଛାମୁଆ ନେତା ନିର୍ବାଚନ ଲଢିବାପାଇଁ ଦଳୀୟ ଟିକଟ ପାଇବେ କି ନାହିଁ ସେଥିଘେନି ଚିନ୍ତାରେ ଅଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ନୂଆ ଦାବିଦାର ଓ ପ୍ରତିଦ୍ୱନ୍ଦିମାନଙ୍କ ଦବ୍ଦବା ବଢୁଥିବା ପରିପ୍ରେକ୍ଷୀରେ ଏହି ନେତାମାନେ ଅନିଶ୍ଚିତତା ଭିତରେ ଅଛନ୍ତି ।
ବୟସାଧିକ କାରଣରୁ ଏବଂ ନିଜ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ରଖିବାରେ ବିଫଳ ହୋଇ ଗୋଷ୍ଠି କନ୍ଦଳରେ ମାତିଥିବା ବହୁ ନେତା ଏଥର ଟିକଟ ପାଇ ନପାରନ୍ତି ବୋଲି ସେମାନଙ୍କ ନଜ ଦଳ ଭିତରୁ ପ୍ରଚାର ହେଉଛି । ଏମିତିକି ସଭା ସମିତିରେ ବି କେତେକ ନେତା ଏକଥା ଖୋଲାଖୋଲି ଭାବେ କହୁଛନ୍ତି । ଅନ୍ୟ ପକ୍ଷରେ ଉଭୟ ସରକାରୀ ଓ ବିରୋଧିଦଳଗୁଡିକ ପକ୍ଷରୁ ଭିନ୍ନ ଭିନ୍ନ ସଂସ୍ଥା ମାଧ୍ୟମରେ ନିର୍ବାଚନମଣ୍ଡଳୀଗୁଡିକରେ କାହାର ଲୋକପ୍ରିୟତା କେତେ ଓ କାହାର ଜିଣିବା ସମ୍ଭାବନା ଅଧିକ ସେ ସଂକ୍ରାନ୍ତରେ ବିଭିନ୍ନ ସଂସ୍ଥା ମାଧ୍ୟମରେ ସର୍ଭେ କରାଯିବା ସହିତ ପର୍ଯ୍ୟବେକ୍ଷକମାନଙ୍କ ମାଧ୍ୟମରେ ତଥ୍ୟ ସଂଗ୍ରହ ଚାଲିଛି ।
ଏହି କ୍ରମରେ ବର୍ତ୍ତମାନର ସାଂସଦଙ୍କ ମଧ୍ୟରୁ ଅନ୍ୟୁନ ନଅ ଜଣ ପୁର୍ନବାର ଲୋକସଭା ନିର୍ବାଚନ ଲଢିବାକୁ ଟିକଟ ପାଇନପାରନ୍ତି । ଏମାନଙ୍କ ମଧ୍ୟରୁ କେତେକଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରାଯାଇପାରେ । ଏମିତିକି ଅନ୍ୟ ରାଜ୍ୟରୁ ସାଂସଦ ହୋଇ କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢିବାପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ ତାଙ୍କ ଲାଗି ଦଳର ଜଣେ ଛାମୁଆ ନେତାଙ୍କୁ ସଂସଦୀୟ ନିର୍ବାଚନରୁ ବାଦ୍ ପଡିବା ସମ୍ଭାବନା ଅଧିକ । ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ କରିବା ଘେନି ଚର୍ଚ୍ଚା ଚାଲିଛି ।
କଂଗ୍ରେସର ନଅ ଜଣ ବିଧାୟକଙ୍କ ମଧ୍ୟରୁ ଏଥର ଅନ୍ୟୁନ ୩ଜଣ ପୁର୍ନବାର ର୍ନିବାଚନ ଲଢିବାକୁ ଦଳୀୟ ଟିକଟ ପାଇନପାରନ୍ତି । ସେହିଭଳି ପୂର୍ବରୁ ବିଜେଡିର କେତେକ ବରିଷ୍ଠ ନେତା ନିଜ ନିଜ ପୁଅମାନଙ୍କୁ ନିର୍ବାଚନ ମଇଦାନକୁ ଉତାରି ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଛନ୍ତି । ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡିର ଆଉ କେତେକ ବୟସ୍କ ନେତା ନିଜ ବଦଳରେ ନିଜ ପରିବାରର କାହାକୁ ପ୍ରାର୍ଥୀ କରିବାପାଇଁ ଆଗ୍ରହୀ ଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର କରେ ।
ନିକଟରେ ବିଜେଡିର ସାଂଗଠନିକ ସମ୍ପାଦକଙ୍କ ସମେତ ଆଉ କେତେକ ନେତା ଗଣମାଧ୍ୟମରେ ଖୋଲା ବିବୃତ୍ତି ଦେଇ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ କେବଳ ଜଣଙ୍କର ଟିକଟ ନିଶ୍ଚିତ ରହିଛି, ସିଏ ହେଉଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ତାଙ୍କ ଛଡା ଆଉ କାହାର ଟିକଟ ନିଶ୍ଚିତ ନୁହେଁ । ଏଥିରୁ ସୂଚନା ମିଳୁଛି ଯେ ଆଗାମୀ ନିର୍ବାଚନରେ ବିଜେଡି ତାହାର ପ୍ରାର୍ଥୀ ତାଲିକାରେ ବଡ ଧରଣର ଅଦଳ ବଦଳ କରିପାର ।
ମିଶନ ଶକ୍ତି ଏବଂ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓ ବିଜେପି ବାକ୍ ଯୁଦ୍ଧ ଚଳାଇଥିବାବେଳେ କଂଗ୍ରେସ ମଧ୍ୟ ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନ ଏବଂ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କଥା କହୁଛି । ୨୦୧୯ ନିର୍ବାଚନରେ ବିଜେଡି ଲୋକସଭାର ୨୧ଟି ଆସନରୁ ୭ଟିରେ ମହିଳା ପ୍ରାର୍ଥୀ ଛିଡା କରାଇଥିଲା । ଏମାନଙ୍କ ମଧ୍ୟରୁ ୫ଜଣ ବି ନିର୍ବାଚନ ଜିଣି ଏବେ ସାଂସଦ ଅଛନ୍ତି ।
ଏଥର ତିନି ପ୍ରମୁଖ ରାଜନୈତିକଦଳ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀ ଦେବା ଘେନି କଳ୍ପନା ଜଳ୍ପନା ଚାଲିଛି । ଏଥିଲାଗି ବିଭିନ୍ନ ଦଳର ନାରୀନେତ୍ରୀମାନେ ମଧ୍ୟ ଜୋରଦାର ଲବି କରୁଥିବାବେଳେ ଆଉ କେତେକ ନେତା ସେମାନଙ୍କ ପତ୍ନୀ ଓ ଝିଅଙ୍କ ପାଇଁ ଟିକଟ ଦୌଡରେ ଅଛନ୍ତି । ଗତଥର ଭଳି ଏଥର ବି ରାଜ୍ୟସଭାର କିଛି ସାଂସଦଙ୍କୁ ଲୋକସଭା ଓ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପଡିପାରେ । (ତଥ୍ୟ)