ଭୁବନେଶ୍ୱର : ଲୋକଙ୍କ ଘରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଟାଟା ପାୱାର ଯେଉଁ ସର୍ତ୍ତ ରଖୁଛି ସେଥିରେ ଭେଣ୍ଡରମାନେ ରାଜି ନୁହନ୍ତି । ଏଥିଯୋଗୁଁ ସରକାରଙ୍କ ମାଗଣା ବିଜୁଳି ଯୋଜନା ମନ୍ଥର ହେବା ଆଶଙ୍କା ସୃଷ୍ଟି ହେଲାଣି ।
ନିକଟରେ ହର ଘର ବିଜୁଳି ଯୋଜନାକୁ ତ୍ୱରାନିତ ଲାଗି ଟାଟା ପାୱାର ପକ୍ଷରୁ ଭେଣ୍ଡାମାନଙ୍କର ଏକ ବୈଠକ ଡକାଯାଇଥିଲା । ଏଥିରେ ସେମାନଙ୍କୁ ୧ କିଲୋୱାଟ ପ୍ରକଳ୍ପ ସ୍ଥାପନ ପାଇଁ କୁହାଯାଇଥିଲା । ହେଲେ ଏଥିରେ ଯେଉଁ ସର୍ତ୍ତ ରଖାଯାଇଛି ତାହା ପାଳନ କରିବା କଷ୍ଟକର ବୋଲି ଭେଣ୍ଡରମାନେ ଜଣାଇଛନ୍ତି । ଟାଟା ପାୱାର ସର୍ତ୍ତ ରଖିଛି ଯେ ଏହି ପ୍ରକଳ୍ପ ପାଇଁ ହିତାଧିକାରୀଙ୍କ ଘର ଗୋଟିଏ ମହଲା ହୋଇଥିବ । କାରଣ ଏଥିପାଇଁ କମ୍ ତାର ଖର୍ଚ୍ଚ ହେବା ସହିତ ଓଜନିଆ ସିମେଣ୍ଟ ବ୍ଲକ ସହଜରେ ଛାତ ଉପରକୁ ଯାଇପାରିବ । ଏଥି ସହିତ ଭେଣ୍ଡରମାନଙ୍କୁ କମ୍ପାନୀର କଟକ ନିକଟରେ ଥିବା ଗୋଦାମରୁ ସୋଲାର ପ୍ୟାନେଲ ନିଜ ଖର୍ଚ୍ଚରେ ନେବାକୁ କୁହାଯାଇଛି ।
ନାମ ଗୋପନ ସର୍ତ୍ତରେ ଜଣେ ଭେଣ୍ଡର ମତ ଦେଇଛନ୍ତି ଯେ ଆମକୁ ଯେତିକି ପାରିଶ୍ରମିକ ମିଳିବ ତାହା ଗାଡି ଭଡାରେ ଉଡିଯିବ । ଏହା ସହିତ ଟାଟା ପାୱାରର ଓଜନିଆ ସିମେଣ୍ଟ ବ୍ଲକକୁ ଛାତ ଉପରକୁ ଉଠାଇବା ଅତ୍ୟନ୍ତ କଷ୍ଟକର । ଯେଉଁମାନଙ୍କ ଦୁଇ ମହଲା ଘର ରହିଛି ସେମାନଙ୍କୁ ଆମେ କ’ଣ କହିବୁ ଜାଣିପାରୁ ନାହୁଁ । ଶସ୍ତାରେ ସୌରଶକ୍ତି ପ୍ରକଳ୍ପ ବସାଇବାପାଇଁ ଘୋଷଣା କରି ଏବେ ଭେଣ୍ଡରଙ୍କ ଉପରେ ଚାପ ଲଦିବାରେ ଲାଗିଛନ୍ତି ।
ସେହିଭଳି ଟାଟା ପକ୍ଷରୁ ଗୋଟିଏ କିଲୋୱାଟ ପ୍ରକଳ୍ପ ୫୦୦୦ ଟଙ୍କାରେ ବସାଯିବ ବୋଲି ଜୋରଦାର ଭାବେ ପ୍ରଚାର କରାଯାଉଛି । ହେଲେ ଏଥି ସହିତ ହିତାଧିକାରୀଙ୍କୁ ଆଉ ୩୫୦୦ ଟଙ୍କା ମିଟର ବାବଦକୁ ଦେବାକଥା ସିଧାସଳଖ କୁହାଯାଉ ନାହିଁ । ଭେଣ୍ଡରମାନେ ହିତାଧିକାରୀଙ୍କ ନିକଟକୁ ଗଲା ବେଳକୁ ସେମାନେ ଟାଟାପାୱାର ବିଜ୍ଞାପନ କଥା କହି ଯୁକ୍ତିତର୍କ କରୁଛନ୍ତି । ସେହିଭଳି ୨ ଓ ୩ କିଲୋୱାଟ କ୍ଷମତାର ସୌରପ୍ରକଳ୍ପ ବସାଇଲେ କେତେ ଖର୍ଚ୍ଚହେବ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟଭାବେ କୁହାଯାଉନାହିଁ । ଫଳରେ ଲୋକେ ଗୋଟିଏ କିଲୋୱାଟକୁ ୫ହଜାର ଟଙ୍କା ହୋଇଥିବାରୁ ୧୫ହଜାର ଟଙ୍କାରେ ୩ କିଲୋୱାଟ ବସାଇବାକୁ ଭେଣ୍ଡରଙ୍କୁ ବାଧ୍ୟ କରୁଛନ୍ତି । ଏହାକୁ ନେଇ ଅନେକ ଭେଣ୍ଡର ଏବେ ଅକଳରେ ପଡୁଛନ୍ତି ।
ଅନ୍ୟ ପକ୍ଷରେ ଯେଉଁସବୁ ସ୍ଥାନରେ ଭେଣ୍ଡରମାନେ ସୌରପ୍ୟାନେଲ ବସାଇ ସାରିଛନ୍ତି ସେଠାରେ ଟାଟା ପାୱାର କର୍ତ୍ତୃପକ୍ଷ ମିଟର ବସାଇବା କଥା । ମିଟର ବସିଲା ପରେ ହିତାଧିକାରୀମାନେ ୟୁନିଟ୍ ପିଛା ଅର୍ଥ ପାଇବା ସହିତ ସବସିଡ୍ ଅର୍ଥ ବି ପାଇବେ । ହେଲେ ଟାଟାପାୱାର କର୍ତ୍ତୃପକ୍ଷ ବହୁ ସ୍ଥାନରେ ମିଟର ଲଗାଇବାକୁ ଅହେତକୁ ବିଳମ୍ବ କରୁଥିବା ନେଇ ବୈଠକରେ ଭେଣ୍ଡରମାନେ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେହିଭଳି ବିଦ୍ୟୁତ୍ ବିଲ୍ରେ ହିତାଧିକାରୀଙ୍କ ନାଁ ଓ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ନାଁ ମେଳ ଖାଉନଥିବାରୁ ସୌର ପ୍ରକଳ୍ପ ବାବଦ ସବସିଡ୍ ପାଇବା କଷ୍ଟକର ହେଉଛି । ପ୍ରାୟତଃ ଅଧିକାଂଶ ବିଦ୍ୟୁତ୍ ବିଲ୍ରେ ହିତାଧିକାରୀଙ୍କ ନାଁକୁ ଅତି ସଂକ୍ଷେପରେ ଲେଖାଯାଇଛି । ଏହାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବାରୁ ଭେଣ୍ଡରମାନେ ହିଁ ଅକଳରେ ପଡୁଛନ୍ତି । କାରଣ ହିତାଧିକାରୀମାନେ ସବସିଡ୍ ପାଇବାରେ ବିଳମ୍ବ ପାଇଁ ସେମାନଙ୍କୁ ଦାୟୀ କରୁଛନ୍ତି । ତେଣୁ ଟାଟା ପାୱାର କର୍ତ୍ତୃପକ୍ଷ ତୁରନ୍ତ ଏହିସବୁ ସମସ୍ୟାର ସମାଧାନ ସହିତ ସୌର ପ୍ରକଳ୍ପ ବସାଇବା ନେଇ ଲୋକଙ୍କୁ ସଠିକ୍ ସୂଚନା ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)