Home Energy ଟାଟା ପାୱାର ବିରୁଦ୍ଧରେ ବଢୁଛି ଅସନ୍ତୋଷ

ଟାଟା ପାୱାର ବିରୁଦ୍ଧରେ ବଢୁଛି ଅସନ୍ତୋଷ

ଭୁବନେଶ୍ୱର : ରାଜ୍ୟରେ ବିଜୁଳି ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର ବିରୁଦ୍ଧରେ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ଚାଷୀଙ୍କ ଠାରୁ ଆରମ୍ଭକରି ଶିଳ୍ପ ପ୍ରତିଷ୍ଠାନ ଏପରିକି ଜନ ପ୍ରତିନିଧିମାନେ ମଧ୍ୟ ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି ।

ସମଗ୍ର ରାଜ୍ୟରେ ଟାଟା ପାୱାର ବିଜୁଳି ଯୋଗାଣ ଦାୟିତ୍ୱରେ ଥିବାବେଳେ ଏବେ ପୁରୁଣା ବିଦ୍ୟୁତ୍‍ ମିଟର ବଦଳରେ ନୂଆ ସ୍ମାର୍ଟ ମିଟର ଲଗାଉଛି । ବିଜୁଳି ବିଭାଗ ପକ୍ଷରୁ ବହୁ ପରୀକ୍ଷା ନିରୀକ୍ଷା ପରେ ହିତାଧିକାରୀଙ୍କୁ ଦିଆଯାଇଥିବା ମିଟର ଚଳନକ୍ଷମ ଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ବଦଳାଇ ଦେଉଛନ୍ତି । ଯେଉଁମାନେ ପୁରୁଣା ମିଟର ବାବଦରେ ଅର୍ଥ ପ୍ରଦାନ କରିଥିଲେ ସେମାନେ ଏବେ ନୂଆମିଟର ପାଇଁ ବି ଅର୍ଥ ଦେଉଛନ୍ତି । ତେବେ ଏହି ସ୍ମାର୍ଟ ମିଟରକୁ ନେଇ ଏବେ ବରଗଡ ଜିଲ୍ଲାର ଚାଷୀମାନେ ଜୋରଦାର ପ୍ରତିବାଦ କରିଛନ୍ତି । ଏପରିକି ଶହ ଶହ ସ୍ମାର୍ଟମିଟରକୁ ଆଣି ଟାଟା ପାୱାର ଅଫିସ ଆଗରେ ଫୋପାଡି ଦେଇଛନ୍ତି । ଅଭିଯୋଗ କରିଛନ୍ତି ଯେ ସ୍ମାର୍ଟମିଟରରେ ଅଧିକ ବିଜୁଳି ବିଲ୍‍ ଆସୁଛି । ତେବେ ଚାଷୀଙ୍କ ଅଭିଯୋଗ ନେଇ କୌଣସି ସନ୍ତୋଷଜନକ ଉତ୍ତର ଆସିନାହିଁ ।

ସେହିଭଳି ରାଜ୍ୟରେ ଚିଙ୍ଗୁଡି ରପ୍ତାନି କରୁଥିବା ସଂସ୍ଥାମାନେ ମିଳିତ ଭାବେ ଟାଟା ପାୱାରର ମନମୁଖୀ ଓ ଦାଦାଗିରି କାର୍ଯ୍ୟ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଠାରୁ ଓଇଆରସି ପର୍ଯ୍ୟନ୍ତ ସବୁଠାରେ ଫେରାଦ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବି ଦାବିପତ୍ର ଦେଇ ସାରିଛନ୍ତି । ଟାଟା ପାୱାର ବିରୁଦ୍ଧରେ ସେମାନେ ଯେଉଁସବୁ ସଙ୍ଗୀନ ଅଭିଯୋଗ କରିଛନ୍ତି ତାହାର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।

ତେବେ ସବୁଠାରୁ ଉଦ୍‍ବେଗଜନକ କଥା ହେଉଛି ଚଳିତ ବିଧାନସଭା ଅଧିବେଶନ କାଳରେ ବିଜୁଳି ବିଭାଗ ଉପରେ ବିଧାୟକମାନେ ଯେତେ ପ୍ରଶ୍ନ କରିଛନ୍ତି ସେଥିରୁ ସଂଖ୍ୟାଧିକ ହେଉଛି ଟାଟା ପାୱାରର କାର୍ଯ୍ୟଶୈଳୀ ବିରୁଦ୍ଧରେ । ରାଜ୍ୟର ପ୍ରାୟ ସବୁ ଅଞ୍ଚଳର ଲୋକପ୍ରତିନିଧିମାନେ ଅଭିଯୋଗର ପାହାଡ ଛିଡା କରାଇଛନ୍ତି । ଅଧିକାଂଶ ସଦସ୍ୟ ଘନ ଘନ ବିଜୁଳିକାଟ୍‍, ଅଭିଯୋଗ ପ୍ରକୋଷ୍ଠ ଠିକଣା ଭାବେ କାର୍ଯ୍ୟକାରୀ ନହେବା ଆଦି ଅଭିଯୋଗ ଆଣିଛନ୍ତି ।

ତେବେ ନୂଆ ସରକାର ଆସିବା ପରେ ଲୋକେ ହଠାତ୍‍ ବିଜୁଳି ଯୋଗାଣକାରୀ ସଂସ୍ଥା ଟାଟା ପାୱାର ବିରୁଦ୍ଧରେ ମୁହଁ ଖୋଲିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ବିଜେଡି ସରକାର ଅମଳରେ ଟାଟା ପାୱାର ସରକାରଙ୍କ ଠାରୁ ବିଜୁଳି ବିତରଣ ଦାୟିତ୍ୱ ୨୫ବର୍ଷ ପାଇଁ ହାତେଇ ନେଇଥିବାବେଳେ ସେତେବେଳେ ଏହାକୁ ନେଇ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଥିଲେ । ହେଲେ ସରକାର କିମ୍ବା ବିତରଣ କମ୍ପାନୀ ଉପରେ କୌଣସି ପ୍ରଭାବ ପଡିନଥିଲା । ଓଲଟା ଲୋକଙ୍କର ବହୁ ଅଭିଯୋଗକୁ କମ୍ପାନୀ ଅଣଦେଖା କରି ଚାଲିଥିଲା ।

ଏବେ ନୂଆ ସରକାର ଆସିବାପରେ ଲୋକେ ଯେଭଳି ରାସ୍ତାରେ ଆସି ବିରୋଧ କରୁଛନ୍ତି ଓ କମ୍ପାନୀର ମିଟରକୁ ଫୋପାଡୁଛନ୍ତି ତାହା ଆଗାମୀ ଦିନରେ କି ପ୍ରକାର ରୂପ ନେବ ଏବଂ ସରକାର କି ପଦକ୍ଷେପ ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)