ଭୁବନେଶ୍ୱର : ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ସର୍ବବୃହତ ଶ୍ରମିକ ସଂଗଠନ ଭାବେ ପରିଗଣିତ ଶ୍ରମିକ ସଂଘ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ, ଆଜି ଭୁବନେଶ୍ୱର ଟାଟା ପାୱାର ମୁଖ୍ୟ ଦପ୍ତର ଆଗରେ ବିଶାଳ ଶକ୍ତି ପ୍ରଦର୍ଶନ କରିବା ସହ ଟାଟା ମୁଖ୍ୟ ଅଧିକାରୀଙ୍କୁ ଚେତାବନୀ ଦେଇଛୁ ।
ଓଡ଼ିଶା ମାଟି ହେଉଛି ସ୍ୱାଭିମାନୀ ମାଟି । ଓଡ଼ିଆ ମାଟିରେ ଓଡ଼ିଆ ଶ୍ରମିକଙ୍କୁ ୮ ଘଣ୍ଟାର ପାଉଣା ଦେଇ ୨୪ଘଣ୍ଟିଆ କାର୍ଯ୍ୟ କରେଇବା ଚଳିବ ନାହିଁ । ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ କରିବାକୁ ଟାଟା ପାୱାରକୁ ସୁଯୋଗ ଦେଇଥିବା ରାଜ୍ୟ ସରକାର କିଛି ଭୁଲ୍ ନିଷ୍ପତ୍ତି ନେଇଛନ୍ତି କି, ତାହା ଜଣାପଡୁନାହିଁ । ଅନ୍ୟପଟେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ୪ଟି ବିତରଣ କମ୍ପାନୀର କାର୍ଯ୍ୟକଳାପ ଉପରେ ସଠିକ୍ ନଜର ରଖିବା ପାଇଁ ପୃଥକ ପୃଥକ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରିବା ସ୍ପଷ୍ଟ ଇଙ୍ଗିତ କରୁଛି, ରାଜ୍ୟ ସରକାର ଟାଟା ପାୱାର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛନ୍ତି ।
ବିଦ୍ୟୁତ୍ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଟାଟା କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ବହୁଥର ଆଲୋଚନା ପରେ ବିଦ୍ୟୁତ୍ ଶ୍ରମିକଙ୍କ ଦାବି ଗୁଡ଼ିକ ଉପରେ କୌଣସି ସ୍ଥାୟୀ ସମାଧାନର ବାଟ ନବାହାରିପାରିବାରୁ ଟାଟା ପାୱାର ଦ୍ୱାରା ପରିଚାଳିତ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ଆଗରେ ଆଜିଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା ଆରମ୍ଭ ହୋଇଛି ।
ଟାଟା ପାୱାର ଓଡ଼ିଶା ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବାପରଠାରୁ ଦିନକୁ ଦିନ ଉପଭୋକ୍ତାଙ୍କ ସମସ୍ୟା ବଢିବାରେ ଲାଗିଛି । ଯାହାପଳରେ ଉପଭୋକ୍ତାଙ୍କ ରୋଷର ଶିକାର ନିରୀହ ବିଦ୍ୟୁତ୍ ଶ୍ରମିକ ସେବାରେ ଲାଗିଛନ୍ତି । ଟାଟା ପାୱାର ଦାୟିତ୍ୱ ନେବାପରେ ଆବଶ୍ୟକତାଠାରୁ ଅଧିକ ଅଧିକାରୀଙ୍କୁ ନିଯୁକ୍ତି କରି ଚାଲିଥିବା ବେଳେ ଉପଭୋକ୍ତାଙ୍କ ସେବା ପହଞ୍ଚାଉଥିବା ବିଦ୍ୟୁତ୍ ଶ୍ରମିକ ଯଥା – ଲାଇନ୍ମ୍ୟାନ୍ ଓ ହେଲପର ନିଯୁକ୍ତି ବେଳକୁ ପଛଘୁଞ୍ଚା ଦେଉଛନ୍ତି ।
ଓ.ଇ.ଆର.ସି. ରିପୋର୍ଟରେ ମନଗଢା ଭୁଲ୍ ତଥ୍ୟ ପ୍ରଦାନ କରି ପ୍ରତ୍ୟେହ ଡିଭିଜନରେ ବିଭିନ୍ନ ବି.ଏ. ମାନଙ୍କୁ ବିଦ୍ୟୁତ୍ ସରବରାହ ଓ ମରାମତି ନାଁରେ ସମସ୍ତ ଖର୍ଚ୍ଚକୁ ମନଇଛା ଅର୍ଥ ଅନୁମୋଦନ କରି ସରକାରୀ ଅନୁଦାନଗୁଡ଼ିକୁ ହରିଲୁଟ୍ ଚାଲିଛି । ନିରୀହ ଶ୍ରମିକମାନଙ୍କୁ ଦରମା ଓ ଅନ୍ୟାନ୍ୟ ମୂଳ ସୁବିଧାରୁ ବଞ୍ଚିତ କରି କାହା ସ୍ୱାର୍ଥ ହାସଲରେ ଟାଟା ପାୱାରର ଉଚ୍ଚ କର୍ତ୍ତୃପକ୍ଷ ବ୍ୟସ୍ତ ତାହା ତଦନ୍ତର ବିଷୟ ।
ରାଜ୍ୟ ସରକାର ପ୍ରଦାନ କରୁଥିବା ଆର.ଏ.ପି.ଡି.ଆର.ପି. ସ୍କିମ୍ ଅନ୍ତର୍ଭୁକ୍ତ ଆଇ.ଟି ଆଣ୍ଡ ବିଲିଙ୍ଗ୍ ସପ୍ଟୱେର ଏସ୍.ସି.ଏ.ଡି.ଏ. କୁ ସମ୍ପୂର୍ଣ୍ଣ ନଷ୍ଟ କରି ପୁନର୍ବାର ନିଜସ୍ୱ ଆଇ.ଟି. ଆଣ୍ଡ ବିଲିଙ୍ଗ୍ ଏସ୍.ସି.ଏ.ଡି.ଏ. କୁ ନୂତନ କାପେକ୍ସ ସ୍କିମ୍ ନାମରେ ଖର୍ଚ୍ଚ କରି ଅତିରିକ୍ତ ବୋଝ ରାଜ୍ୟବାସୀଙ୍କ ଉପରେ ଯୋଡ଼ିବା, ସରକାରୀ ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ ବଜାର ଦର ଠାରୁ ଚଢା ଦରରେ ବିଦ୍ୟୁତ ସରଞ୍ଜାମକୁ କ୍ରୟ କରିବା ଭଳି ଅଭ୍ୟାସ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା କର୍ମଚାରୀଙ୍କ ମହଲରେ ଆଲୋଚନା ବେଶ୍ ଜୋର୍ ଧରିଛି ।
ବିଗତ ତିନି ବର୍ଷ ଭିତରେ ୫୦୦ ରୁ ଅଧିକ ସଂଖ୍ୟକ ବିଦ୍ୟୁତ୍ ଶ୍ରମିକ ଅବସର ଗ୍ରହଣ କରିବା ପରେ ବି ଉକ୍ତ ପଦବୀଗୁଡ଼ିକୁ ପୁରଣ ନ କରିବା, ବିଦ୍ୟୁତ୍ ସରବରାହ ମରାମତି କାମ ଯାହା କ୍ଷେତ୍ର କମର୍ଚାରୀଙ୍କଦ୍ୱାରା ସମ୍ପାଦନ କରାଯାଏ ତାହା ନ କରି ଟାଟା ପାୱାର ଅନବଶ୍ୟକ ଅଫିସର ପଦ ପଦବୀ ସୃଷ୍ଟି କରି ସମ୍ପୂର୍ଣ୍ଣ ଭାବେ ଠିକାଦାର ଓ ବି.ଏ. ଏଜେନ୍ସି ଉପରେ ନିର୍ଭର କରିବାଟା ହିଁ ଓଡ଼ିଶାରେ ବିଦ୍ୟୁତ୍ ବିଭ୍ରାଟର ପ୍ରକୃତ କାରଣ ଯାହା ସାରା ଓଡ଼ିଶାରେ ଆଲୋଚନାର ବିଷୟ ପାଲଟିଛି ।
ସ୍ଥାୟୀ କାର୍ଯ୍ୟରେ ଅସ୍ଥାୟୀ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ଅସ୍ଥିରତା ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ କମିଟିର ସୁପାରିଶ୍ ଅନୁଯାୟୀ ଅଭିଜ୍ଞ କର୍ମଚାରୀଙ୍କ ବେତନକୁ ଅଭିଜ୍ଞତା ଆଧାରରେ ବୃଦ୍ଧି କରିବା, ବଞ୍ଚିବା ପାଇଁ ଆବଶ୍ୟକୀୟ ପାରିଶ୍ରମିକ ବା ଲିଭିଙ୍ଗ୍ ୱେଜ୍ ପ୍ରଦାନ କରିବା, ଦୈନିକ ବିଭାଗର କାର୍ଯ୍ୟ ସମ୍ପାଦନ ପାଇଁ ଅତ୍ୟନ୍ତ ୧୦୦ ଟଙ୍କା ପେଟ୍ରୋଲ୍ ଭଡ଼ା ପ୍ରଦାନ ଭଳି ଦାବି ସହ ସ୍ଥାୟୀ ବିଦ୍ୟୁତ୍ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ସହ ହୋଇଥିବା ଚୁକ୍ତି ମୁତାବକ ପୂର୍ବ ପ୍ରଚଳିତ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ କାର୍ଯ୍ୟଭାର ପ୍ରଦାନ କରିବା, ଅନ୍ୟ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ସହ ସମକକ୍ଷ ସୁବିଧା ତଥା ଗୃହ ଋଣ, ଇଲେକ୍ଟ୍ରିକ୍ ଯାନ କ୍ରୟ ନିମନ୍ତେ ଋଣ ପ୍ରଦାନ ସହ କର୍ମଚାରୀଙ୍କ କ୍ୟାଡର ରିଷ୍ଟ୍ରକଚରିଂ କରିବା, ଭବିଷ୍ୟନିଧି ପାଣ୍ଠିରେ ଥିବା ସମସ୍ୟାକୁ ଦୂର କରି ପେନ୍ସନ୍ ସୁନିଶ୍ଚିତ କରେଇବା, ଜରୁରୀକାଳୀନ ସେବା ନାଁରେ ଦୈନିକ ୮ ଘଣ୍ଟା ପରିବର୍ତ୍ତେ ୨୪ ଘଣ୍ଟା ଖଟିବାକୁ ବାଧ୍ୟ କରିବା ଭଳି ଦାବି ସହ ରାଜ୍ୟ ସରକାରଙ୍କର ଶ୍ରମ ବିଭାଗ ଦ୍ୱାରା ପ୍ରଦତ୍ତ ଆଇନକୁ ଅବମାନନା କରି ମିଟର ରିଡର ଓ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଥିବା କର୍ମଚାରୀଙ୍କୁ କୁଶଳୀ ବର୍ଗର ଦରମା ପ୍ରଦାନରେ ଟାଳଟୁଳ ନୀତି ଆପଣେଇବା ସହ, ଟାଟା ପାୱାର ଅଧିକାରୀଙ୍କ ଅନ୍ଫେୟାର ଲେବର ପ୍ରାକ୍ଟିସ୍ କାର୍ଯ୍ୟ ଯଥା – ରେଗୁଲାର ଓ ବି.ଏ. ବା ଠିକା କର୍ମଚାରୀଙ୍କ ଭିତରେ ଭ୍ରମାତ୍ମକ ଫାଠ ସୃଷ୍ଟି କରି କର୍ମ କ୍ଷେତ୍ରରେ ଭାଇଚାରାକୁ ନଷ୍ଟ କରିବା ଭଳି ଘୃଣ୍ୟ କାର୍ଯ୍ୟକୁ ବିରୋଧ କରି ଅଣ ଓଡ଼ିଆ ଅଧିକାରୀ ଯିଏ ନା ଓଡ଼ିଆ କହିପାରୁଛନ୍ତି ନା ଓଡ଼ିଆ ବୁଝିପାରୁଛନ୍ତି, ସେପରି ଅପାରଗ ଅଣଓଡ଼ିଆ ଅଧିକାରୀ କିପରି ଜଣେ ଓଡ଼ିଆ ଶ୍ରମିକର ଦୁଃଖକୁ ବୁଝିପାରିବ ।
ତେଣୁ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଓଡ଼ିଶା ରାଜ୍ୟ ସରକାର ତଥା ଓଡ଼ିଶାର ସମସ୍ତ ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟୁତ ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ନିବେଦନ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି ।