ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ଏକ ନୂଆ ପଦ୍ଧତିରେ ଗ୍ରାହକଙ୍କ ଠାରୁ ଅର୍ଥ ଆଦାୟ ଆରମ୍ଭ କରିଛି । ଦୁଇ ବର୍ଷର ବିଦ୍ୟୁତ୍ ବିଲ୍କୁ ହିସାବ କରି ଅଧିକ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ନୋଟିସ୍ ପଠାଇବା ଆରମ୍ଭ କରିଛି । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହା ପଇଠ ନକରିବେ ସେମାନଙ୍କ ଲାଇନ୍ କାଟି ଦିଆଯିବ ବୋଲି ଟାଟା ପାୱାର ଧମକ ବି ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ ଟାଟା ପାୱାର କର୍ତ୍ତୃପକ୍ଷ ଗ୍ରାହକମାନଙ୍କର ଗତ ଦୁଇବର୍ଷର ବିଜୁଳି ଖର୍ଚ୍ଚକୁ ହାରାହାରି ହିସାବକୁ ନେଇ କେତେ କିଲୋୱାଟ୍ ସଂଯୋଗ ନେବା ଆବଶ୍ୟକ ତାହା ଦେଖାଉଛନ୍ତି । ଏହି ହିସାବରେ ସିକ୍ୟୁରିଟି ଡିପୋଜିଟ୍ ଆଦାୟ କଥା କହୁଛନ୍ତି । ଏଥି ସହିତ ଗ୍ରାହକମାନେ ପୂର୍ବରୁ କେତେ ପରିମାଣରେ ସିକ୍ୟୁରିଟ୍ ଡିପୋଜିଟ୍ ଦେଇଛନ୍ତି ତାହାକୁ ହିସାବକୁ ନେଇ ବର୍ଦ୍ଧିତ ସିକ୍ୟୁରିଟି ଡିପୋଜିଟ୍ ଦେବାପାଇଁ ନୋଟିସ୍ ଜାରି କରିଛନ୍ତି ।
ଟାଟା ପାୱାର ଦପ୍ତରର ଗ୍ରାହକସେବା ଅଧିକାରୀମାନେ କେଉଁ ହାରରେ ଏଭଳି ଅଙ୍କ କଷାଯାଇ ବର୍ଦ୍ଧିତ ସିକ୍ୟୁରିଟି ଡିପୋଜିଟ୍ ନୋଟିସ୍ ଜାରି ହୋଇ ତାହା କହିପାରୁନଥିବାବେଳେ ଏହି ଅର୍ଥ ଏକକାଳୀନ ଆଦାୟ ହୋଇ ଜମା ରହିବ ଏବଂ ଗ୍ରାହକମାନଙ୍କୁ ଏହା ଉପରେ ସୁଧ ମିଳିବ ବୋଲି କହୁଛନ୍ତି । ହେଲେ କେଉଁ ଖାତାରେ ଅର୍ଥ ଜମା ହେବ ଏବଂ କେତେ ପରିମାଣ ସୁଧ ମିଳିବ ଗ୍ରାହକସେବା କେନ୍ଦ୍ର ସେହି ସୂଚନା ଦେଇପାରୁ ନାହିଁ ।
ଅନ୍ୟ ପକ୍ଷରେ ବିଜୁଳି ଗ୍ରାହକମାନେ ଏବେ ଦୁଇ ଦୁଇ ଥର ସିକ୍ୟୁରିଟି ଡିପୋଜିଟ୍ ଅର୍ଥ ଗଣିବାକୁ ଯାଉଛନ୍ତି । ଥରେ ବିଦ୍ୟୁତ୍ ସଂଯୋଗ ନେବାବେଳେ ଦାଖଲ କରିଥିଲେ । ସେତେବେଳେ ବିତରଣ ଦାୟିତ୍ୱରେ ଥିବା ସରକାର କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ଯେଉଁ ହାରରେ ଦାଖଲପାଇଁ କହିଥିଲେ ତଦନୁଯାୟୀ ଅର୍ଥ ଦାଖଲ ହୋଇଥିଲା । ଏବେ ଟାଟା ପାୱାର ହାତକୁ ବିତରଣ ଦାୟିତ୍ୱ ଯିବାପରେ ଆଉ ଥରେ ଲେଖାଁଏ ଗ୍ରାହକଙ୍କ ମୁଣ୍ଡରୋ ସିକ୍ୟୁରିଟି ଡିପୋଜିଟ୍ ବୋଝ ଲଦା ଆରମ୍ଭ ହୋଇଛି ।
ତେବେ ଯେଉଁ ଗ୍ରାହକମାନେ ଅଳ୍ପଦିନ ତଳେ ନିଜ ନିଜର ବିଦ୍ୟୁତ୍ ମିଟର ବଦଳାଇ ମୋଟା ନୂଆ ମିଟର ନେବା ସହିତ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ମୋଟା ଅଙ୍କର ଅର୍ଥ ଜମା କରିଥିଲେ ସେମାନଙ୍କ ନିକଟକୁ ମଧ୍ୟ ଆହୁରି ୪/୫ ହଜାର ଟଙ୍କା ଜମା କରିବାକୁ ନୋଟିସ୍ ପଠାଯାଉଛି ।
ଗୋଟିଏ ପଟେ ଟାଟା ପାୱାରର ଡିଜିଟାଲ ମିଟର ଓ ପ୍ରି-ପେଡ୍ ମିଟରକୁ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିବାବେଳେ କେତେକ ସ୍ଥାନରେ ଲୋକେ ନିଜ ଘରୁ ଡିଜିଟାଲ ମିଟର ଓପାଡି ଆଣି ଟାଟା ପାୱାର ଦପ୍ତରରେ ଫୋପାଡି ଦେଉଛନ୍ତି । ଏହି ନିଆଁ ଥମିନଥିବାବେଳେ ଏବେ ପୁଣି ସିକ୍ୟୁରିଟି ଡିପୋଜିଟ୍ ନାଁରେ ଗ୍ରାହକମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ ପାଇଁ ଜୁଲମ ଆରମ୍ଭ ହୋଇଗଲାଣି ।
ତେବେ ଏହି ବର୍ଦ୍ଧିତ ସିକ୍ୟୁରିଟ୍ ଡିପୋଜିଟ୍ ଆଦାୟ ଓଇଆରସିର ନିୟମ ମୁତାବକ ହେଉଥିବା ଟାଟା ପାୱାର ତାହାର ନୋଟିସ୍ରେ ଦର୍ଶାଇଥିବାବେଳେ ଓଇଆରସି କିନ୍ତୁ ଏ ସଂକ୍ରାନ୍ତରେ ଗ୍ରାହକମାନଙ୍କୁ କୌଣସି ସୂଚନା ଦେଇନାହିଁ । ସାଧାରଣ ଗ୍ରାହକମାନେ ଓଇଆରସିର ନିୟମ ନେଇ ସେତେଟା ସଚେତନ ନଥିବାବେଳେ ଏବେ ଟାଟା ପାୱାରର ଏହି ନୂଆ ନୋଟିସ୍ ଗ୍ରାହକଙ୍କ ଭିତରେ ଅସନ୍ତୋଷକୁ ଦୁଇଗୁଣା କରିବ ବୋଲି କୁହାଗଲାଣି । (ତଥ୍ୟ)