Home Health ଟଳିନାହିଁ କରୋନା ବିପଦ

ଟଳିନାହିଁ କରୋନା ବିପଦ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏବେ ବିପଦ ଟଳିନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଓଡ଼ିଶା କରୋନା ନିୟନ୍ତ୍ରଣରେ ଆଜି ଭଲ ସ୍ଥିତିରେ ରହିଛି । ଏ ଦିଗରେ ଆମ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ । ଏ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୁହେଁ, କାରଣ ବିପଦ ଏବେ ବି ଟଳି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକଡାଉନ ପୁଣି ଫେରିଛି । ଲକଡାଉନ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି ।

ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱାଭାବିକ ଅବସ୍ଥା ଫେରିଛି । ଆମେ କେହି ଲକଡାଉନକୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକଡାଉନକୁ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକଡାଉନ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼ ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କରିଚାଲିବା ।

ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନରେ ଭଲକରି ହାତ ଧୋଇବା । ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ।

ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି । ଏ ଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି । କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ।

କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ।