Home News in Odia ଟଙ୍କା ଠକେଇକୁ ନେଇ ପୁଲିସ୍‍ ଉପରେ ପ୍ରଶ୍ନବାଚୀ

ଟଙ୍କା ଠକେଇକୁ ନେଇ ପୁଲିସ୍‍ ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : କେନ୍ଦ୍ର ସରକାର ଅନ୍‍ଲାଇନ୍‍ ଜୁଆ ଖେଳ ସମେତ ବେଆଇନ୍‍ ଅର୍ଥ କାରବାରକୁ ରୋକିବାପାଇଁ ଆଇନ୍‍ ପ୍ରଣୟନ କରିବାପରେ ରାଜ୍ୟରେ ଏବେ ଆପ୍‍ ଜରିଆରେ ଅର୍ଥ କାରବାର କରୁଥିବା କିଛି ସଂସ୍ଥା ରାତାରାତି ଉଭାନ ହୋଇଯାଇଛନ୍ତି । ଏମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ପୁଲିସ୍‍ର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହ୍ୟୁଜ୍‍ ଆପ୍‍ ନାମକ ଗୋଟିଏ ଅନ୍‍ଲାଇନ୍‍ ସଂସ୍ଥା ଜଗତ୍‍ସିଂହପୁର ଜିଲ୍ଲାର ବାଲିକୁଦା ଓ କଟକ ଜିଲ୍ଲାର ନିଶ୍ଚିତକୋଇଲି ଅଞ୍ଚଳରୁ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ଠକେଇ କରିଛି । ଏଥିରେ ଟଙ୍କା ଲଗାଇଥିବା ବିଭିନ୍ନ ବର୍ଗର ଲୋକେ ଠକାମୀର ଶିକାର ହୋଇଛନ୍ତି । ପ୍ରାୟ ଆଠମାସ ହେଲା ରାଜ୍ୟର ଉପକୂଳ ଜିଲ୍ଲାରେ ଏହି ସଂସ୍ଥାର ତାହାର କାୟା ବିସ୍ତାର କରିଥିଲା ।

ଏଭଳି ଅର୍ଥ କାରବାର ସଂକ୍ରାନ୍ତରେ ପୂର୍ବରୁ ମଧ୍ୟ ଖବର ପ୍ରକାଶ ପାଇଥିଲା । ଏହା ସତ୍ୱେ ବି ଗାଁ ଗହଳର ମହିଳା, ଯୁବକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଲୋଭରେ ପଡି ଏଥିରେ ଅର୍ଥ ଲଗାଇଥିଲେ । ପ୍ରଥମେ ପ୍ରଥମେ ଅର୍ଥ ଆସୁଥିବାରୁ ଲୋକେ ଅଧିକରୁ ଅଧିକ ଟଙ୍କା ଲଗାଇଥିଲେ । ସ୍ୱାଧୀନତା ଦିବସ ସମୟରେ ସଂସ୍ଥା ଲୋଭ ଦେଖାଇ ଅଧିକ ଟଙ୍କା ଆଦାୟ କରିଥିଲା । ଏହାପରେ ହଠାତ୍‍ ରାତାରାତି ତାହାର ଆପ୍‍ ବନ୍ଦ କରିଦେଲା । ଆପ୍‍ ବନ୍ଦ କରିବା ପୂର୍ବରୁ ବି ଅନେକଙ୍କୁ ଠକିବାକୁ ପଛାଇ ନଥିଲା ।

ତେବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏଭଳି ବେଆଇନ୍‍ ଅର୍ଥ କାରବାର ଚାଲିଥିବାବେଳେ ସ୍ଥାନୀୟ ପୁଲିସ୍‍ ଓ ଗୁଇନ୍ଦା ଅଧିକାରୀମାନେ କିଭଳି ଜାଣିପାରିନଥିଲେ ତାହାକୁ ନେଇ ପ୍ରଶ୍ନନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ପୁଲିସ୍‍ ଯଦି ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥାନ୍ତେ କିମ୍ବା ନିଜ ଆଡୁ ସାଇବର ଥାନାରେ ମାମଲା ରୁଜୁ କରିଥାନ୍ତେ ତେବେ ରାଜ୍ୟର ହଜାର ହଜାର ଲୋକେ ଏବେ ଠକାମୀର ଶିକାର ହୋଇ ଥାନା ଘେରାଉ କରୁନଥାନ୍ତେ ।

ଗାଁ ଗହଳରେ ଏଭଳି ବେଆଇନ୍‍ ଅର୍ଥ କାରବାର ହେଉଥିବାବେଳେ ସେଠାରେ ଗ୍ରାମରକ୍ଷୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଥାନାର କର୍ମଚାରୀମାନେ ରହିଛନ୍ତି । ଜିଲ୍ଲା ସ୍ତରରେ ଗୁଇନ୍ଦା ପୁଲିସ୍‍ମାନେ ବି ରହିଛନ୍ତି । ଏସବୁ ସତ୍ୱେ କୋଟି କୋଟି ଟଙ୍କାର କାରବାର, ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଲୋକଙ୍କ ଆକର୍ଷିତ କରିବାପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ, ଭୋଜିଭାତ, ମାଳ ମାଳ ଉପହାର ପ୍ରଦାନ ସଂକ୍ରାନ୍ତରେ କେହି ଟେର୍‍ ନପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କେବଳ ଏହି ଗୋଟିଏ ଆପ୍‍ ନୁହେଁ, ଏହା ପୂର୍ବରୁ ୱାଇବିୱାଇ ନାମକ ଅନ୍ୟ ଏକ ଆପ୍‍ ମଧ୍ୟ ପୁରୀ ଜିଲ୍ଲାରୁ କୋଟି କୋଟି ଟଙ୍କା ଠକିନେଇ ରାତାରାତି ଉଭାନ ହୋଇଥିଲା ।

ରାଜ୍ୟରେ ଏଭଳି ନିୟମିତ ଠକେଇ ଚାଲିଥିବାବେଳେ ପୁଲିସ୍‍ କାହିଁକି ଆଗୁଆ ପଦକ୍ଷେପ ନେଉନାହାନ୍ତି ସେ ନେଇ ପ୍ରଶ୍ନବାଚୀ ଉଠିଥିବାବେଳେ ବିଦେଶରେ ରହି ଟଙ୍କା ଠକୁଥିବା ଠକମାନଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା କିଭଳି ଧରିବ ଓ ଟଙ୍କା ହରାଇଥିବା ଲୋକେ କିଭଳି ନିଜ ଝାଳବୁହା ଧନ ଫେରସ୍ତ ପାଇବେ ତାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଏଭଳି ଠକେଇ ପାଇଁ ଗାଁ ଗହଳରେ ଠକ ସଂସ୍ଥାର ଏଜେଣ୍ଟ ସାଜିଥିବା ଅନେକ ରାତାରାତି ଫେରାର ହୋଇଥିବା ଅଥବା ଲୁଚିଥିବାରୁ ସେମାନଙ୍କୁ ଟଙ୍କା ଲଗାଇଥିବା ଲୋକେ ଖୋଜୁଛନ୍ତି । ଏଥିପାଇଁ ଆଗାମୀ ଦିନରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି । (ତଥ୍ୟ)