Home Finance ଟଙ୍କା ଖର୍ଚ୍ଚ ନେଇ ଚିନ୍ତାରେ ସରକାର

ଟଙ୍କା ଖର୍ଚ୍ଚ ନେଇ ଚିନ୍ତାରେ ସରକାର

ଭୁବନେଶ୍ୱର : ବଜେଟ୍‍ରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟବସ୍ଥା କରୁଥିବାବେଳେ ବିଭାଗଗୁଡିକ ଆଶାନୁରୂପ ଭାବେ ବ୍ୟୟ କରୁନଥିବା ଯୋଗୁଁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଟଙ୍କା ଖର୍ଚ୍ଚ ନହେବା ସରକାରଙ୍କ ପାଇଁ ନୂଆ ସମସ୍ୟା ବି ଆଣି ଦେଉଛି ।

ସଦ୍ୟତମ ଅର୍ଥନୈତିକ ସମୀକ୍ଷାରୁ ଜଣାପଡିଛି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗତବର୍ଷ ଅପେକ୍ଷା ଏବର୍ଷ ଅଧିକ ପୁଞ୍ଜିର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଏହି କ୍ଷେତ୍ରରେ ଅର୍ଥ ବ୍ୟୟ କମ୍‍ ହୋଇଛି । ଗତ ଆର୍ଥିକ ବର୍ଷରେ ନଭେମ୍ବର ମାସ ଶେଷସୁଦ୍ଧା ଏ କ୍ଷେତ୍ରରେ ୪୪ ପ୍ରତିଶତ ବ୍ୟୟ ହୋଇଥିବାବେଳେ ଏବର୍ଷ ଏହି ସମୟ ସୁଦ୍ଧା ଏହା ୪୩ ପ୍ରତିଶତ ହୋଇଛି । ଏହି କ୍ଷେତ୍ରରେ ନଭେମ୍ବର ଶେଷ ସୁଦ୍ଧା ୮୯୨୫ କୋଟି ଟଙ୍କା ବ୍ୟୟ ହୋଇଛି । ସେହିଭଳି ସାମାଜିକ କ୍ଷେତ୍ରରେ ବ୍ୟୟ ମଧ୍ୟ କମ୍‍ ହୋଇଥିବା ଜଣାଯାଏ । ଗତ ଆର୍ଥିକ ବର୍ଷରେ ନଭେମ୍ବର ଶେଷ ସୁଦ୍ଧା ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ଏବର୍ଷ ଏହି ସମୟ ମଧ୍ୟରେ ୪୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ଏହି କ୍ଷେତ୍ରରେ ମୋଟ୍‍ ୩୫,୦୧୫ କୋଟି ଟଙ୍କା ବ୍ୟୟ ହୋଇଛି ।

ତେବେ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ଚଳିତ ବର୍ଷ ଅଧିକ ବ୍ୟୟ ହୋଇଥିବା ଜଣାପଡିଛି । ଗତବର୍ଷ ଭିତ୍ତିଭୂମି କ୍ଷେତ୍ରରେ ମାତ୍ର ୨୬ ପ୍ରତିଶତ ବ୍ୟୟ ହୋଇଥିବାବେଳେ ଚଳଚିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ୪୫ ପ୍ରତିଶତ ଖର୍ଚ୍ଚ ହୋଇଛି । ଏହି କ୍ଷେତ୍ରରେ ୧୦,୬୦୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଅନ୍ୟାନ୍ୟ କ୍ଷେତ୍ରରେ ବଜେଟ୍‍ରେ ଥିବା ଅର୍ଥ ବରାଦର ୩୦ ପ୍ରତିଶତ ଖର୍ଚ୍ଚ ହୋଇ ପାରିଛି । ତେବେ ଗତବର୍ଷ ଏହି ସମୟ ସୁଦ୍ଧା ଏହି ବ୍ୟୟ ପରିମାଣ ୩୮ ପ୍ରତିଶତ ଥିଲା ।

ପ୍ରକୃତ ପକ୍ଷେ ବିଭାଗମାନେ ବଜେଟ୍‍ର ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ଅର୍ଥ ନଭେମ୍ବର ଶେଷସୁଦ୍ଧା ଖର୍ଚ୍ଚ କରିବାକଥା । ସଂଖ୍ୟାଧିକ ବିଭାଗ ଏହା କରିପାରି ନାହାନ୍ତି । ଯାହା ଫଳରେ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ଆଗାମୀ ମାସରେ ବ୍ୟୟକୁ ତ୍ୱରାନ୍ୱିତ କରିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସଂଗେ ସଂଗେ ବିଭାଗମାନେ ଅତିରିକ୍ତ ଖର୍ଚ୍ଚ ଦାବିରେ ଯେଉଁ ଅତରିକ୍ତ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହାକୁ ପୂର୍ଣ୍ଣ ଭାବରେ ସଦୁପଯୋଗ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ । ଏଠାରେ ଉଲ୍ଲେଖ ଥାଉ କି ଅତିରିକ୍ତ ବଜେଟ୍‍ରେ ଯେଉଁ ବ୍ୟବସ୍ଥା ହୋଇଥାଏ ବର୍ଷ ଶେଷ ବେଳକୁ ସଂଖ୍ୟାଧିକ ବିଭାଗ ତାହା ଖର୍ଚ୍ଚ ନକରିପାରି ଟ୍ରେଜେରୀକୁ ଫେରାଇ ଦେଇଥାନ୍ତି । ଚଳିତ ବର୍ଷର ଅତିରିକ୍ତ ବଜେଟ୍‍ରେ ୧୬,୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାକୁ ସୁଚିନ୍ତିତ ଭାବରେ ବ୍ୟୟ କରିବା ସକାଶେ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାଯାଏ । (ତଥ୍ୟ)