Home General ଝାରସୁଗୁଡାବାସୀଙ୍କ ପାଇଁ ୫୫୦ କୋଟି

ଝାରସୁଗୁଡାବାସୀଙ୍କ ପାଇଁ ୫୫୦ କୋଟି

ଭୁବନେଶ୍ୱର : ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରସୁଗୁଡାବାସୀଙ୍କ ପାଇଁ ୫୫୦ କୋଟି ଟଙ୍କାର ରାଜପଥ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ସ୍ୱାଗତ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଝାରସୁଗୁଡାବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି ।

ବିଧାୟକ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ ଝାରସୁଗୁଡା ସହରରୁ ଟ୍ରାଫିକ ଭିଡ ହ୍ରାସ ସହିତ ଭାରିଯାନ ଚଳାଚଳକୁ ସୁଗମ କରିବାପାଇଁ ଏକ ବାଇପାଶ୍‍ ନିର୍ମାଣ ଲାଗି ଦୀର୍ଘଦିନରୁ ଦାବିହୋଇ ଆସୁଥଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାହା ପୂରଣ କରିଛନ୍ତି । ମଞ୍ଜୁରୀ ହୋଇଥିବା ୫୫୦ କୋଟି ଟଙ୍କାରେ ତିଲେଇବଣିରୁ ରାୟଗଡ ପର୍ଯ୍ୟନ୍ତ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ବାଇପାସ୍‍ ନିର୍ମାଣ ହେବ ।

୩୦ କିଲୋମିଟର ଦୈର୍ଘ୍ୟର ଏହି ବାଇପାସ୍‍ କୋଲାବିରା ବ୍ଲକର ପତ୍ରାପାଲି ଛକରୁ ବୁଢିପଦର ପର୍ଯ୍ୟନ୍ତ ଯିବ । ଏହି ବାଇପାସ୍‍ଟି ଝାରସୁଗୁଡା ସହର ବାହାରେ ଯିବ ଏବଂ ଏହାଦ୍ୱାରା ଝାରସୁଗୁଡା ସହରରୁ ଟ୍ରାଫିକ ଭିଡ ହ୍ରାସ ପାଇବ । ଏଥି ସହିତ ମାଲ୍‍ ବୋଝେଇ ଟ୍ରକ ଓ ଅନ୍ୟାନ୍ୟ ଭାରିଯାନ ଆଉ ସହର ଭିତରେ ପ୍ରବେଶ ନକରି ବାଇପାସ୍‍ ରାସ୍ତା ଦେଇ ଯିବ ।

ଭୁବନେଶ୍ୱର ଠାରେ ଆୟୋଜିତ ସଭାସ୍ଥଳରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଝାରସୁଗୁଡାରେ ଏଥିପାଇଁ ଆୟୋଜିତ ଉତ୍ସବରେ ହଜାର ହଜାର ଜନତା ଯୋଗ ଦେଇଥିଲେ । ଏଭଳି ସଫଳତାପାଇଁ ସ୍ଥାନୀୟ ଲୋକେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସଫଳ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ।