ଭୁବନେଶ୍ୱର : ପଡୋଶୀ ରାଜ୍ୟ ଝାଡଖଣ୍ଡରେ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ଓଡିଶାର ବହୁ ବିଜେପି ନେତା ସେଠାରେ ଧୂଆଁଧାର ପ୍ରଚାର କରୁଥିବାବେଳେ ଓଡିଶାର କୌଣସି ପ୍ରଭାବଶାଳୀ କଂଗ୍ରେସ ନେତାଙ୍କୁ କିନ୍ତୁ ସେଠାରେ ଦେଖିବାକୁ ମିଳୁନାହିଁ । ରାଜ୍ୟ କଂଗ୍ରେସର ସଭାପତି ପଦବୀ ମାସ ମାସ ଧରି ଖାଲି ପଡିଥିବାବେଳେ ମଙ୍ଗୁଆଳ ବିହୀନ ଓଡିଶା କଂଗ୍ରେସର ପ୍ରଭାରୀ ଡକ୍ଟର ଅଜୟ କୁମାର ଝାଡଖଣ୍ଡରେ ନିର୍ବାଚନ ଲଢୁଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଓଡିଶାର ବହୁ ମନ୍ତ୍ରୀ ଏବଂ ବିଜେପି ବିଧାୟକ ଓ ସାଂସଦ ଝାଡଖଣ୍ଡରେ ଡେରା ପକାଇ ରହିଛନ୍ତି । ଏମିତିକି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘନ ଘନ ଝାଡଖଣ୍ଡ ଗସ୍ତ କରୁଛନ୍ତି ।
ଷଢେଇକଳା, ଖରସୁଆଁ, ସିଂହଭୂମ, ଜାମସେଦପୁର ଆଦି ଓଡିଆ ବହୁଳ ଅଞ୍ଚଳରେ ବିଜେପିର ମାଳ ମାଳ ନେତାଙ୍କୁ ଦେଖିବାକୁ ମିଳୁଛି । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଆଦି ଜିଲ୍ଲାରୁ ବିଜେପିର ବହୁ କର୍ମକର୍ତ୍ତା ମଧ୍ୟ ଝାଡଖଣ୍ଡରେ ପଞ୍ଚାୟତ ସ୍ତରରେ ବୁଥ୍ ଦାୟିତ୍ୱରେ ରହିଛନ୍ତି । ଝାଡଖଣ୍ଡର ଆଦିବାସୀ ଭୋଟକୁ ପ୍ରଭାବିତ କରିବାପାଇଁ ଓଡିଶା ବିଜେପିର ଆଦିବାସୀ ମୋର୍ଚ୍ଚା ସହ ସମ୍ପୃକ୍ତ ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ଏବେ ଝାଡଖଣ୍ଡରେ । ଏହାଛଡା ଦଳର ରାଜ୍ୟଶାଖା ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବି ବାରମ୍ବାର ଝାଡଖଣ୍ଡ ଯାଉଛନ୍ତି ।
ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରବଧୁ ପୂର୍ଣ୍ଣିମାସାହୁ ଦାସଙ୍କ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୁଦ୍ଧରେ ଓଡିଶା ପାଇଁ ଥିବା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଲଢୁଛନ୍ତି । ତେବେ ଜାମସେଦପୁର ଅଞ୍ଚଳରେ ପୂର୍ଣ୍ଣିମାଙ୍କ ସପକ୍ଷରେ ଓଡିଆ ଭାଷାଭାଷୀ ଓ ଆଦିବାସୀ ବହୁଳ ଅଞ୍ଚଳରେ ଓଡିଆ ନେତାମାନଙ୍କ ଭିଡ ଦେଖିବାକୁ ମିଳୁଥିବାବେଳେ ସେମିତି କେହି ପ୍ରଭାବଶାଳୀ ଓଡିଶା କଂଗ୍ରେସ ନେତା ସେଠାରେ ନିର୍ବାଚନ ପ୍ରଚାର କରୁନାହାନ୍ତି ।
ଝାଡଖଣ୍ଡ ସହିତ ମହାରାଷ୍ଟ୍ର ବିଧାନସଭା ଲାଗି ମଧ୍ୟ ନିର୍ବାଚନ ହେଉଛି । ମୁମ୍ବାଇ, ପୁଣେ, ନାଗପୁର ସମେତ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଅନେକ ଓଡିଆ ରହୁଥିବାରୁ ସେଠାକାର ଓଡିଆ ଭୋଟରମାନଙ୍କୁ ପ୍ରଭାବିତ କରିବାପାଇଁ ବି ରାଜ୍ୟ ବିଜେପିର ଅନେକ ନେତା ମହାରାଷ୍ଟ୍ର ଗସ୍ତରେ ଯାଇଥିବା କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେଉଥିବାବେଳେ ଆସାମ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତାମାନେ ଏଠାରେ ଡେରା ପକାଇ ବିଜେପି ସପକ୍ଷରେ ଭୋଟ ଯୋଗାଡ କରିବାରେ ସଫଳ ହୋଇଥିଲେ । ଏମିତିକି ଛତିଶଗଡର ବିଧାନସଭା ଓ ଲୋକସଭା ନିର୍ବାଚନବେଳେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଓଡିଆ ବିଜେପି ନେତାମାନେ ବି ଭୋଟ ଯୋଗାଡରେ ଲାଗିଥିଲେ । ବିଶେଷକରି ନିର୍ବାଚନ ପୂର୍ବରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବାପରେ ସେଠାକାର ଜଣାଶୁଣା ଓଡିଆ ନେତାଙ୍କୁ ବିଜେପି ପ୍ରାର୍ଥୀ କରି ଛତିଶଗଡରେ କଂଗ୍ରେସକୁ ଗାଦିଚ୍ୟୁତ କରିବା ସହ ସରକାର ଗଢିବାରେ ସଫଳ ହୋଇଥିଲା । ଏ ପରିପ୍ରେକ୍ଷୀରେ ଓଡିଶାର ବିଜେପି ନେତାମାନଙ୍କ ଧୂଆଁଧାର ପ୍ରଚାର ଉପରେ ଝାଡଖଣ୍ଡରେ ବିଜେପିର ସଫଳତା ବହୁ ପରିମାଣରେ ନିର୍ଭର କରୁଥିବା କୁହାଯାଉଛି । (ତଥ୍ୟ)