ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇଛି । ଜୟ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବାବେଳେ ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜେଡି ପ୍ରାର୍ଥୀନୀ ଏଠାରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାଷିରାମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଏହାଥିଲା ପ୍ରଥମ ଉପନିର୍ବାଚନ । ତେଣୁ ସମ୍ମାନ ଦୃଷ୍ଟିରୁ ଉଭୟ ଶାସକ ବିଜେପି ଓ ବିଜେଡି ଏହାକୁ ହାତେଇବା ପାଇଁ ଲାଗି ପଡିଥିବାବେଳେ କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଥିଲା । ବିଜେଡି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଶେଷ ମୂହୂର୍ତ୍ତରେ ବିଜେପି ନିଜର ପ୍ରାର୍ଥୀ କରିଥିବାବେଳେ ପ୍ରାର୍ଥୀ ସଙ୍କଟର ସମ୍ମୁଖୀନ ହୋଇଥିଲା ବିଜେଡି । ତେବେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାନସଭା ଆସନରୁ ହାରିଯାଇଥିବା ସ୍ନେହାଙ୍ଗିନୀଙ୍କ ଆଣି ଦଳ ନୂଆପଡାରେ ପ୍ରାର୍ଥୀ କରିଥିଲା । କଂଗ୍ରେସ କିନ୍ତୁ ଗତ ନିର୍ବାଚନରେ ଦଳୀୟ ଟିକଟ ନପାଇ ବିଦ୍ରୋହୀ ସାଜି ଦ୍ୱିତୀୟ ସ୍ଥାନରେ ଥିବା ଘାଷିରାମଙ୍କ ଦଳକୁ ଫେରାଇ ଆଣି ପ୍ରାର୍ଥୀ କରିଥିଲା ।
ତିନି ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋଦର ଦାର ଥିଲା । ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦୁଇ ଥର ପ୍ରଚାରକୁ ଯାଇଥିବାବେଳେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଜଣେ ଦୁଇ ଜଣଙ୍କୁ ବାଦ ନେଲେ ଅନ୍ୟ ସମସ୍ତ ମନ୍ତ୍ରୀ ନୂଆପଡାରେ ପ୍ରଚାର କାର୍ଯ୍ୟରେ ରହିଥିଲେ । ଶାସକଦଳର ଏକାଧିକ ବିଧାୟକ ବି ନିର୍ବାଚନ ମଙ୍ଗ ଧରିଥିଲେ । ସେହଭଳି ବିରୋଧିଦଳନେତା ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡା ପ୍ରଚାରରେ ଯାଇଥିବାବେଳେ ଦଳର ବିଧାୟକ ଓ ତୁଙ୍ଗ ନେତାମାନେ ନୂଆପଡାରେ ଡେରା ପକାଇଥିଲେ । ନିର୍ବାଚନ ଆରମ୍ଭରୁ ହିଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ନୂଆପଡାରେ ରହୁଥିଲେ ।
ତେବେ ର୍ନିବାଚନର ଫଳାଫଳ ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟଚକିତ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏଠାରେ ୧,୨୩,୮୬୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି । ତାଙ୍କର ଭୋଟ ପରିମାଣ ଗତ ଥର ବିଜେପି ପାଇଥିବା ଭୋଟର ପ୍ରାୟ ୩ଗୁଣ । ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଘାଷିରାମ ମାଝୀ ୪୦,୧୨୧ ଖଣ୍ଡ ଭୋଟ ପାଇଛନ୍ତି । ଗତଥର ସେ ପାଇଥିବା ଭୋଟ ଠାରୁ ଏଥର ପ୍ରାୟ ୧୦ ହଜାର କମ୍ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ମିଳିଛି ୩୮,୪୦୮ ଖଣ୍ଡ ଭୋଟ । ଗତଥର ବିଜେପଡି ଏଠାରେ ୬୧,୮୨୨ ଖଣ୍ଡ ଭୋଟ ପାଇଥିଲା ।
ଜୟଙ୍କର ଏହି ବିଜୟ ପରେ ରାଜ୍ୟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚି ଥିବାବେଳେ ବିଜେଡିର ବିଧାୟକ ସଂଖ୍ୟା ୫୦କୁ ହ୍ରାସ ପାଇଛି । ଯଦିଓ ସଂଖ୍ୟା ଗଣିତରେ ଏହି ବିଜୟ ବିଜେପି କିମବା ବିଜେଡି ଉପରେ ସେଭଳି କୌଣସି ପ୍ରଭାବ ପକାଇବ ନାହିଁ, କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟ ତିନି ପ୍ରମୁଖ ଦଳ ପାଇଁ ଏହାର ସୁଦୂର ପ୍ରସାରୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

