Home Health ଜୋରିମାନା ଆଦାୟରେ ସୀମିତ କୋଟପା

ଜୋରିମାନା ଆଦାୟରେ ସୀମିତ କୋଟପା

ଭୁବନେଶ୍ୱର : ଶିକ୍ଷାନୁଷ୍ଠାନ ନିକଟରେ କୌଣସି ପ୍ରକାର ତମାଖୁ ଦ୍ରବ୍ୟ ବିକ୍ରିକୁ ନିଷେଧ ପାଇଁ କେନ୍ଦ୍ର ସରକାର ୨୨ବର୍ଷ ତଳେ ଲାଗୁ କରିଥିବା କୋଟ୍‍ପା ଆଇନ୍‍ ବଳରେ ନିୟମ ଉଲ୍ଲଙ୍ଘନକାରୀମାନେ ଜୋରିମାନା ଗଣିବା ସହିତ ଜେଲ ମଧ୍ୟ ଯାଉଛନ୍ତି । ହେଲେ ଏଭଳି କାରବାରକୁ ସରକାର ସମ୍ପୂର୍ଣ୍ଣ ପ୍ରତିହତ କରିପାରୁ ନାହାନ୍ତି ।

କୋଟ୍‍ପା ଆଇନ୍‍ର ଧାରା-୬ ଅନୁଯାୟୀ ୧୮ ବର୍ଷରୁ କମ୍‍ ଏବଂ ଶିକ୍ଷାନୁଷ୍ଠାନର ୧୦୦ ଗଜ ପରିଧି ମଧ୍ୟରେ କୌଣସି ପ୍ରକାର ତମାଖୁ ଦ୍ରବ୍ୟ ବିକ୍ରୟ କରିବାକୁ ବାରଣ କରାଯାଇଛି । କାଳେ କିଏ କେଉଁଠି ବିକ୍ରି କରୁଥିବ ସେଥିଘେନି ଚଢଉ ବି ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ କୋଟ୍‍ପା ଆଇନର ଧାରା ୬(କ) ଆଧାରରେ ୨୦୨୧-୨୨ ବର୍ଷରେ ୨୦୧ ଜଣ ଉଲ୍ଲଙ୍ଘନକାରୀଙ୍କୁ ଧରାଯାଇ ସେମାନଙ୍କ ଠାରୁ ୩୬ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଥିବାବେଳେ ଧାରା ୬-(ଖ) ଆଧାରରେ ୩୯୧୮ ଜଣଙ୍କ ଠାରୁ ଲକ୍ଷ ୧୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଆଇନ୍‍ରେ ଥିବା ଧାରା ୬(ଗ) ବଳରେ ସେହିବର୍ଷ ୨ଜଣ ଆଇନ୍‍ ଉଲ୍ଲଙ୍ଘନକାରୀ ଜେଲ୍‍ ଯାଇଥିଲେ ।

ପ୍ରତିବର୍ଷ ଏଭଳି ଚଢଉ ଓ ଜୋରିମାନା ଆଦାୟ ଜାରିରହିଛି । ୨୦୨୪-୨୫ ବର୍ଷରେ ଏହି ଆଇନ୍‍ ବଦଳରେ ୧୫ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ହୋଇଛି । ତେବେ ୨୦୨୧-୨୨ ପରଠାରୁ ଆଉ କେହି ଜେଲ୍‍ ଦଣ୍ଡ ଭୋଗି ନାହାନ୍ତି । ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ଜୋରିମାନା ଆଦାୟ ୨ଲକ୍ଷ ଟଙ୍କାକୁ ଟପିଗଲାଣି ।

ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ପ୍ରଶାସନ ଆଇନ୍‍ ବଳରେ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ ଜୋରିମାନା ଆଦାୟରେ ମାତୁଛି । ଜେଲ୍‍ ଭୟ ରହୁନଥିବାରୁ ବ୍ୟବସାୟୀମାନେ ଜୋରିମାନା ଦେଇ ଖସି ଯାଉଛନ୍ତି । ଚଢଉ କରୁଥିବା ଦଳ ବର୍ଷକୁ ବର୍ଷ କେଉଁ କେଉଁ ସ୍ଥାନରୁ କେତେ ଅଧିକ ଜୋରିମାନା ଆଦାୟ କରୁଛନ୍ତି ତାହାର ହିସାବ ସରକାରଙ୍କୁ ଧରାଇ ଖୁସି ହେଉଛନ୍ତି ।

ଅନ୍ୟ ପକ୍ଷରେ ଓଡିଶା ସରକାର ମଧ୍ୟ ୨୦୧୩ ମସିହାରୁ ରାଜ୍ୟର ଗୁଟ୍‍ଖା, ତମାଖୁଯୁକ୍ତ ପାନମସଲା ଆଦିର ପ୍ରସ୍ତୁତି, ମହଜୁଦ, ବିପ୍ପଣନ ଓ ବିକ୍ରୟ ଆଦି ଉପରେ କଡା କଟକଣା ଜାରି କରିଛନ୍ତି । ଏହା ସତ୍ୱେ ବି ରାଜ୍ୟର ଏହିସବୁ ସାମଗ୍ରୀର କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି ଓ ସରକାର ମଧ୍ୟ ଏଥିରୁ ଟିକସ ଆଦାୟ କରୁଛନ୍ତି ।

ସରକାରୀକଳର ଏଭଳି ଉଦାସୀନା ଓ ଦୋମୁହାଁ କାର୍ଯ୍ୟ ଯୋଗୁଁ ରାଜ୍ୟରେ ଏବେ ବଡ ଲୋକ ତ ଦୂରରକଥା ଛୋଟ ଛୋଟ ପିଲା ବି ଗୁଟ୍‍ଖା ଖାଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି । (ତଥ୍ୟ)