ଭୁବନେଶ୍ୱର : ଜୈବିକ ଚାଷ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ସବୁଠାରୁ ଆଗରେ । ଏହି ଜିଲ୍ଲାରେ ପାଖପାଖି ୧୦ହଜାର ହେକ୍ଟର ଜମିରେ ଧାନ, ମିଲେଟ ଠାରୁ ଆରମ୍ଭ କରି ତୈଳବୀଜ, ମସଲା ଓ ବିଭିନ୍ନ କିସମର ପନିପରିବା ଜୈବିକ ପଦ୍ଧତିରେ ଚାଷ କରାଯାଉଛି । ଆଗାମୀ ଦିନରେ ଏହାକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।
ଓଡିଶାରେ ଏବେ ୪୭ହଜାର ହେକ୍ଟରରୁ ଅଧିକ ଜମିରେ ଜୈବିକ ପଦ୍ଧତିରେ ଚାଷ କରାଯାଉଛି । ରସାୟନିକ ସାର ବଦଳରେ ଜୈବିକ ଖତ ସାର ପ୍ରୟୋଗ ଜରିଆରେ ଚାଷ କରିବାପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା, ଜାତୀୟ ପ୍ରାକୃତିକ କୃଷି ମିଶନ ଓ ବଳଭଦ୍ର ଜୈବିକ ଚାଷ ମିଶନ ଯୋଜନା କରାଯାଉଛି । ଚଳିତବର୍ଷ ଏହି ଯୋଜନାରେ ୪୭ହଜାର ହେକ୍ଟରରୁ ଅଧିକ ଜମିରେ ଜୈବିକ ଚାଷ କରାଯାଉଛି ।
ରାଜ୍ୟର ୧୮ଟି ଜିଲ୍ଲାରେ ଏହିସବୁ ଜୈବିକ ଚାଷ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହିସବୁ ଜିଲ୍ଲା ମଧ୍ୟରେ ରହିଛି ଅନୁଗୁଳ, ବଲାଙ୍ଗିର, ରବଗଡ, କଟକ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋରଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡା, ସୋନପୁର ଓ ସୁନ୍ଦରଗଡ ।
ପରମ୍ପରାଗତ କୃଷି ବିକାଶ ଯୋଜନାରେ ୪ଟି ଜିଲ୍ଲା ଯଥା କନ୍ଧମାଳ, କେନ୍ଦୁଝର, କୋରାପୁଟ ଓ ମୟୁରଭଞ୍ଜରେ ୬୫୦୦ ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଥିବାବେଳେ ଜାତୀୟ ପ୍ରାକୃତିକ କୃଷି ମିଶନ ଯୋଜନାରେ ୧୦ ଜିଲ୍ଲାରେ ୨୪,୧୫୦ ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଛି । ତେବେ ବଳଭଦ୍ରଜୈବିକ ଚାଷ ମିଶନ ଅଧିନରେ ଅମୃତ ଅନ୍ନ ଯୋଜନାରେ ୪ଟି ଜିଲ୍ଲା ଯଥା ବରଗଡ, କଟକ, ଖୋରଧାରେ ମୋଟ୍ ୨୭୦ ହେକ୍ଟର ଜମିରେ ଜୈବିକ ଚାଷ ହେଉଛି । ଏଥି ସହିତ ଆଠଟି ଜିଲ୍ଲାରେ ଜୈବିକ ଚାଷକୁ ପ୍ରୋତ୍ସାହନ ଯୋଗାଯିବା ଫଳରେ ସେଠାରେ ୧୬,୬୦୦ ହେକ୍ଟର ଜମିରେ ଜୈବିକ ଚାଷ ସମ୍ଭବ ହୋଇଛି ।
ମୋଟାମୋଟି ଭାବେ ଏହି ସମସ୍ତ ଯୋଜନାରେ ରାଜ୍ୟର ୧୮ଟି ଜିଲ୍ଲାରେ ୪୭,୫୨୦ ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବାବେଳେ ଏ କ୍ଷେତ୍ରରେ କନ୍ଧମାଳ ପ୍ରଥମ ସ୍ଥାନରେ ରହିଛି । ତେବେ ବଲାଙ୍ଗିର ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମାଲକାନଗିରି ତୃତୀୟ ସ୍ଥାନରେ ରହିଛି । ସବୁଠାରୁ କମ୍ କଟକଟ ଜିଲ୍ଲାରେ ମାତ୍ର ୭୦ ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବା ଜଣାଯାଇଛି ।
ଚାଷ କାର୍ଯ୍ୟରେ ରସାୟନିକ ସାରର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଉଛନ୍ତି । ଏଥି ସହିତ ଚାଷୀମାନେ ବାଧ୍ୟହୋଇ ରସାୟନିକ ସାରର ପ୍ରୟୋଗ ବଢାଉଛନ୍ତି । କାରଣ ପ୍ରତିବର୍ଷ ଏହା ଅଧିକରୁ ଅଧିକ ଆବଶ୍ୟକ ହେଉଛି । କୃଷିଜାତ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ରସାୟନିକ ପଦ୍ଧତିରେ ଚାଷ ବାଧକ ସାଜିଥିବାବେଳେ ସମଗ୍ର ବିଶ୍ୱରେ ଏବେ ଜୈବିକ ଚାଷ ସାମଗ୍ରୀ ପ୍ରତି ଆଗ୍ରହ ବୃଦ୍ଧି ପାଉଛି । ଏଭଳି ସ୍ଥଳେ ରାଜ୍ୟରେ ୪୫ହଜାର ହେକ୍ଟର ଜମିରେ ଜୈବିକ ଚାଷ ହେଉଥିବାବେଳେ ଆଗାମୀ ଦିନରେ ଏହାକୁ ବଢାଇବାପାଇଁ ଉଭୟ ସରକାରୀ ଓ ବେସରାରୀ ସ୍ତରରେ ଉଦ୍ୟମ ହେଉଥିବା ଜଣାଯାଇଛି । (ତଥ୍ୟ)

