Home General ଜେଏସଡବ୍ଲୁ-ପୋସ୍କୋ କାରଖାନା ଜମି ହସ୍ତାନ୍ତରକୁ ବିରୋଧ

ଜେଏସଡବ୍ଲୁ-ପୋସ୍କୋ କାରଖାନା ଜମି ହସ୍ତାନ୍ତରକୁ ବିରୋଧ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାରେ ଜେଏସଡବ୍ଲ-ପୋସ୍କୋର ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ଜମି ଅଧିଗ୍ରହଣକୁ ନେଇ ସୃଷ୍ଟି ଦେଇଛି ବିବାଦ । ଏହି ଜମିର ବାରମ୍ବାର ବିକ୍ରିକୁ ନେଇ ଜମି ମାଲିକମାନେ ପ୍ରଶ୍ନ ଉଠାଇବା ସହିତ ସେମାନଙ୍କ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିବା ଇସ୍ପାତ କାରଖାନା ବଦଳରେ ପ୍ରଦୂଷଣମୁକ୍ତ କୌଣସି କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ପ୍ରସ୍ତାବିତ କାରଖାନା ଅଞ୍ଚଳର ଖଡଗପ୍ରସାଦ ଓ କୁରୁଣ୍ଟି ପଞ୍ଚାୟତର ଜମିହରା ପ୍ରଜାମାନେ ଆଜି ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଜମି କାରବାରର ଗୁମର ଖୋଲିଛନ୍ତି । ସେମାନେ କହିଛନ୍ତି ଯେ ୨୦୦୯ ମସିହାରେ ଏଠାରେ କାରଖାନା ପ୍ରତିଷ୍ଠା ଲାଗି କେନ୍ଦ୍ରୀୟ ସଂସ୍ଥା ଲାନ୍‍କୋ ୮୮୭ ଏକର ଜମି ଅଧିଗ୍ରହଣ କରିଥିଲା । ଏଥି ମଧ୍ୟରୁ ୩୦୦ ଏକର ଜମି ଇଡ୍‍କୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା । ତେବେ ଲାନକୋ କର୍ତ୍ତୃପକ୍ଷ ଏଠାରେ କାରଖାନା ପ୍ରତିଷ୍ଠାରେ ବିଫଳ ହେବାପରେ ସେହି ଜମିକୁ ରାୟପୁରର ସାଫ୍ରନ ନାମକ ଏକ ଜମି ବ୍ୟବସାୟ କରୁଥିବା ସଂସ୍ଥାକୁ ମାତ୍ର ୯୨ କୋଟି ଟଙ୍କାରେ ଦିଆଯାଇଥିଲା ।

ବର୍ତ୍ତମାନ ସେହି ଜମି ଉପରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଆଗେଇ ଆସିଥିବା ଜେଏସଡବ୍ଲୁକୁ ସାଫ୍ରନ କର୍ତ୍ତୃପକ୍ଷ ୯୨କୋଟି ଟଙ୍କାରେ କିଣିଥିବା ଜମିକୁ ୬୭୯ କୋଟି ଟଙ୍କାରେ ହସ୍ତାନ୍ତର କରିଛନ୍ତି । ଟିକସ ଫାଙ୍କିବାପାଇଁ ଜମିକୁ ବିକ୍ରି ବଦଳରେ ଅଂଶଧନ ହସ୍ତାନ୍ତର ହୋଇଛି । ଜମିହରା ପ୍ରଜାମାନେ କହିବାକଥା ଯେ ନେସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ ଇଡ୍‍କୋ ଜମି ହସ୍ତାନ୍ତର ସମୟରେ ସର୍ତ୍ତ ଥିଲା ଯେ ୬ ମାସ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାକୁ ହେବ । ଏହା ନହେଲେ ଜମି ମୂଳ ମାଲିକଙ୍କ ନିକଟକୁ ଫେରିଯିବ । ୨୦୨୩ ମସିହାରେ ଏହି ଜମି ହସ୍ତାନ୍ତର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ଇଟାଖଣ୍ଡେ ପଡିନାହିଁ । ତେଣୁ ନିୟମ ଅନୁଯାୟୀ ଜମି ମୂଳ ମାଲିକଙ୍କ ନିକଟକୁ ଫେରିଯିବା କଥା ।

ସେହିଭଳି ଜେଏସ୍‍ଡବ୍ଲୁ ୮୮୭ ଏକର ଜମି ପାଇଥିବାବେଳେ ସେମାନଙ୍କ ନିକଟରେ ହଜାରେ ଏକର ଜମି ରହିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ତେଣୁ ଏହି ଜମି ନିକଟରେ ଥିବା ଅନ୍ୟ ଘରୋଇ ଜମିକୁ ଚଞ୍ଚକତା କରି ନିଆଯାଇଥିବା ଜମି ମାଲିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ସବୁଠାରୁ ବଡକଥା ହେଲା ପ୍ରଥମେ ଲାନ୍‍କୋ ଓ ସାଫ୍ରନ କମ୍ପାନୀ ହାତକୁ ଯାଇଥିବା ଅନେକ ଜମିରେ ଏବେ ଧାନ ଚାଷ ହେଉଛି । ସ୍ଥାନୀୟ ସମବାୟ ସମିତି ଜରିଆରେ ଧାନ ବିକ୍ରି ହେଉଛି । ଜଳସେଚିତ ଅଞ୍ଚଳ ହୋଇଥିବାରୁ ଲୋକେ ନିୟମିତ ଚାଷବାସ କରୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଲୋକେ ଦାବି କରିଛନ୍ତି ଯେ ଜଳସେଚନ ସୁବିଧା ଥିବା ଏହି ଉର୍ବର ଜମିକୁ ଆଉ ଇସ୍ପାତ କାରଖାନା ପାଇଁ ଦିଆନଯାଉ । ବାହ୍ମଣୀ କୂଳରେ ଏହି ଅଞ୍ଚଳରେ ଏକାଧିକ ବୃହତ୍‍ ଶିଳ୍ପ ରହିଥିବାରୁ ଜେଏସଡବ୍ଲୁ-ପୋସ୍କୋର ବୃହତ୍‍ ଇସ୍ପାତ କାରଖାନା ବଦଳରେ ପ୍ରଦୂଷଣ ରହିତ କାରଖାନା ସ୍ଥାପନ ପାଇଁ ଦାବି କରିଛନ୍ତି । ତେବେ ଏକର ପିଛା ୧୦ଲକ୍ଷ ଟଙ୍କାରେ ଖରିଦ ହୋଇଥିବା ଜମି ବିନା ବ୍ୟବହାରରେ ଏବେ ଏକର ପିଛା ୬୭ ଲକ୍ଷ ଟଙ୍କା ଦରରେ ବିକ୍ରି ହେଉଥିବାରୁ ଏହାର ଲାଭ ମଧ୍ୟ ଜମିହରା ପ୍ରଜାମାନଙ୍କୁ ମିଳିବା ଆବଶ୍ୟକ । ଏହି ସାମ୍ବାଦିକ ସମ୍ମିଳନୀରେ ରବି ନାରାୟଣ ନାଏକ, କୈଳାଶ ଚନ୍ଦ୍ର ରାଉତ, ବିନୋଦ କୁମାର ସାହୁ, ନରୋତ୍ତମ ରାଉତ, ଲଳିତ କୁମାର ସାହୁ, ସଞ୍ଜୟ କୁମାର ସାହୁ, ସାବିତ୍ରୀ ଦଳେଇ, ଅନିତା ନାୟକ ପ୍ରମୁଖ ଉପସ୍ଥିତ ରହି ଜମି କିଣା ବିକାର ରହସ୍ୟ ଉନ୍ମୋଚନ କରିଥିଲେ ।