Home Agriculture ଜୁଲାଇ ୩୧ ମଧ୍ୟରେ ଫସଲବୀମା କର

ଜୁଲାଇ ୩୧ ମଧ୍ୟରେ ଫସଲବୀମା କର

ଭୁବନେଶ୍ୱର : ଚଳିତ ଖରିଫ ପାଇଁ ଜୁଲାଇ ୩୧ କୁ ସମୟସୀମା ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ଖରିଫ ୨୦୨୩ରୁ ରବି ୨୦୨୫ ମଧ୍ୟରେ ରାଜ୍ୟ ସରକାର ନିଜ ଭାଗରେ ପି୍ରମିୟମ୍‌ ବହନ କରିବା ସହିତ କୃଷକମାନଙ୍କ ପି୍ରମିୟମ୍‌ ଅଂଶ ମଧ୍ୟ ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ପଦକ୍ଷେପ ଯୋଗୁ ଅଧିକ ଚାଷୀ ଓ ଅଧିକ ଫସଲ ଜମି ବୀମାଭୁକ୍ତ ହେବ ବୋଲି ଆଶା କରାଯାଉଛି ।

୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ଚଳିତ ଖରିଫରେ ଫସଲ ଧାନ, ମକା, କପା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଓ ହଳଦୀ ଆଦି ୮ ଗୋଟି ଫସଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ପାଇଁ ମୋଟ ବୀମା ପରିମାଣର ୨ ପ୍ରତିଶତ (ଋଣ ପ୍ରଦାନ ସମତୁଲ ଅର୍ଥରାଶି) ପି୍ରମିୟମ୍‌ ଆକାରରେ ପ୍ରଦାନ କରାଯାଇଥାଏ । କପା, ହଳଦୀ, ଅଦା ଆଦି ବ୍ୟବସାୟିକ ଫସଲ ପାଇଁ ଏହି ପ୍ରିମିୟମ୍‌ ମୋଟ ବୀମାରାଶିର ୫ ପ୍ରତିଶତ ଅଟେ । ଅବଶିଷ୍ଟ ପ୍ରକୃତ ପ୍ରିମିୟମ୍‌କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦:୫୦ ଅନୁପାତରେ ବହନ କରିଥାଆନ୍ତି ।

ଫସଲବୀମା ଯୋଜନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ ୩ଟି ଋତୁର ବୀମାଭୁକ୍ତ କୃଷକଙ୍କ ସଂଖ୍ୟାକୁ ବିବେଚନା କରି ବ୍ଲକ୍‌ ଓ ପଞ୍ଚାୟତୱାରୀ ବୀମାର ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥି ସହିତ କୃଷି ଓ କୃଷକ ସଶକ୍ତିକରଣ, ସମବାୟ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପାଇଁ କୁହାଯାଇଛି ।

ଖରିଫ ୨୦୨୩ରେ ବିଜ୍ଞପିତ ଫସଲ ପାଇଁ ଋଣ ଗ୍ରହଣ କରିଥିବା ଚାଷୀଙ୍କ ବୀମା କରିବା ପାଇଁ ଉଭୟ ସମବାୟ ଓ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ପାଇଁ କୁହାଯାଇଛି । ଏଥି ନିମନ୍ତେ ଫସଲବୀମା କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି ।

ପ୍ରତ୍ୟେକ ଦିନର ବୀମାର ଅଗ୍ରଗତି ରିପୋର୍ଟ ଅପ୍‌ଲୋଡ୍‌ କରିବା ସହିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ଶେଷ ଦିନରେ ଫସଲବୀମା ନିମନ୍ତେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ଭିଡରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଫସଲବୀମା କରାଇନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।