Home Covid ଜୁଲାଇ ୧୬ଯାଏ ବଢିଲା ଲକଡାଉନ୍‍

ଜୁଲାଇ ୧୬ଯାଏ ବଢିଲା ଲକଡାଉନ୍‍

ଭୁବନେଶ୍ୱର : ଲକଡାଉନ୍‍ କଟକଣାରେ ଆଂଶିକ କୋହଳ ସହିତ ରାଜ୍ୟ ସରକାର ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଏଏହାକୁ ବୃଦ୍ଧି କରିଛନ୍ତି । କମ୍‍ ସଂକ୍ରମଣ ରହୁଥିବା ଜିଲ୍ଲା ତାଲିକାରେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ହେବାପରେ ‘ଏ’ କ୍ୟାଟେଗୋରୀ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟକୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ଏଥି ସହିତ ଏହି ଜିଲ୍ଲା ଭିତରେ ବସ୍‍ ଚଳାଚଳ ସମେତ ଇନ୍‍ଡୋର ଓ ଆଉଟଡୋର ଚଳଚିତ୍ର ସୁଟିଂ ଲାଗି ଅନୁମତି ମିଳିଛି । ବସରେ କେବଳ ଯେତିକି ଆସନ ରହଛି ସେତିକି ଲୋକ ଯାଇପାରିବେ । ଅଟୋ ଓ ଟ୍ୟାକ୍ସି ପରିବହନ ସହିତ ଏହିସବୁ ଜିଲ୍ଲାରେ ଦୈନିକ ଓ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି ।

‘ଏ’ କ୍ୟାଟେଗୋରୀ ଜିଲ୍ଲାରେ ସରକାର ସପ୍ତାହନ୍ତ ସଟ୍‍ଡାଉନ୍‍ କଟକଣାକୁ ଉଠାଇ ଦେଇଥିବାବେଳେ ‘ବି’ କ୍ୟାଟାଗୋରୀରେ ଥିବା ୧୦ ଜିଲ୍ଲାରେ ଏହା ବଳବତ୍ତର ରହିବ । ଏହିସବୁ ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‍ସିଂହପୁର, ପୁରୀ, ନୟାଗଡ ଓ ଖୋରଧା । ତେବେ ସମଗ୍ର ଜିଲ୍ଲାରେ ଛୋଟ ଚୋଟ ସେଲୁନ ଖୋଲିବାପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହୁଥିବା ‘ବି’ କ୍ୟାଟେଗୋରୀ ଜିଲ୍ଲାରେ ଦୋକାନ ଖୋଲିବା ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଥିବାବେଳେ ତାହାକୁ ଦିନ ୨ଟାକୁ ବଢାଇ ଦିଆଯାଇଛି । ଏହି ସମୟରେ ମଲ୍‍, ସ୍ପା ଓ ବୟୁଟିପାର୍ଲରକୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲା ରହିବ । ଏହିସବୁ ଜିଲ୍ଲାରେ ଇନ୍‍ଡୋର ସୁଟିଂ ଉପରେ କଟକଣା ଲାଗିଥିବାବେଳେ ସାପ୍ତାହିକ ହାଟ ଖୋଲିବା ଉପରେ ବି କଟକଣା ଲଗାଯାଇଛି ।

ସମଗ୍ର ରାଜ୍ୟରେ ଧାର୍ଯ୍ୟ ସମୟ ମଧ୍ୟରେ ଉଠାଦୋକାନୀମାନଙ୍କୁ ବ୍ୟବସାୟୀ କରିବାକୁ ଅନୁମତି ମିଳିଛି । ଉଠା ଖାଇବା ଦୋକାନରୁ ଲୋକମାନେ କେବଳ ଖାଦ୍ୟ ସାମଗ୍ରୀ ଘରକୁ ନେଇପାରିବେ । ଦୋକାନ ନିକଟରେ ଖାଦ୍ୟ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

କଟକଣା ସମୟ ଭିତରେ ମଲ୍‍, ବିୟୁଟିପାର୍ଲର ଓ ସ୍ପାକୁ ବାଦଦେଲେ ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ଏଠାରେ କିଭଳି କୋଭିଡ କଟକଣା ଜାରି ରହିବ ସେଥିପାଇଁ ଦୋକାନମାଲିକମାନଙ୍କୁ କୁହାଯାଇଛି । ଏଥିରେ ଖିଲାପି ହେଲେ ତୁରନ୍ତ ତାହାକୁ ସିଲ୍‍ ପାଇଁ ଅନୁମତି ଦିଆଯାଇଛି ।

ଏଥି ସହିତ ପୂର୍ବରୁ ବିବାହ, ବ୍ରତ ଓ ଶୁଦ୍ଧିଘର ପାଇଁ ଯେଉଁ କଟକଣା ଥିଲା ତାହା ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ପୂର୍ବଭଳି ଧର୍ମାନୁଷ୍ଠାନ ବନ୍ଦ ରହିବା ସହିତ ମେଳା, ସଭା ସମିତି ଆଦି ଉପରେ କଟକଣା ବଳବତ୍ତର ରହିଛି ।