ଭୁବନେଶ୍ୱର : ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରି ଜୀବନ ରକ୍ଷା କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରୁଛନ୍ତି ସରକାର । ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରାଧାନ୍ୟ ଦେଇଛି । ଏ କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ନିକଟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ତାରସିଂ ଥାନା ଘୋଗଡ଼ ଏକ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଦୁଇ ଯୁବକଙ୍କୁ ସମ୍ମାନ ସହ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ । ଏଥିପାଇଁ ଗୁଡ୍ ସମରିଟାନ୍ ଭାବଗ୍ରାହୀ ମଲ୍ଲିକ ଓ ବସନ୍ତ ଜାନୀଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପ୍ରଶଂସା କରାଯାଇଛି । ଏଭଳି ମାନବିକତା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବ ବୋଲି ଆଶା ପ୍ରକଟ କରାଯାଇଛି । ସେହିଭଳି ଗଞ୍ଜାମ ଏସପିଙ୍କ ପ୍ରସ୍ତାବ କ୍ରମେ ଗୁଡ୍ ସମରିଟାନ୍ ବା ଉତ୍ତମ ସାହାଯ୍ୟକାରୀଙ୍କୁ ସମ୍ମାନିତ କରିବାକୁ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ଭଞ୍ଜନଗର ଆରଟିଓଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି ।
ସଡ଼କ ଦୁର୍ଘଟଣା ଘଟିବାର ପ୍ରଥମ ଏକ ଘଣ୍ଟା ବା ଗୋଲ୍ଡେନ ଆଓ୍ୱାର ମଧ୍ୟରେ ଯଦି ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ପହଞ୍ଚାଯାଇପାରେ ତେବେ ଜୀବନ ରକ୍ଷାର ଆଶା ବୃଦ୍ଧି ପାଏ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ମାନବିକତାଙ୍କୁ ସମ୍ମାନ ଜଣାଇ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ଓ ଦୁଇ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଏ । ଏହାସହ ସାହାଯ୍ୟକାରୀ ମଧ୍ୟ ଗୁଡ୍ ସମରିଟାନ ଆଇ ଅନୁଯାୟୀ କୌଣସି ଅନାବଶ୍ୟକ ମାମଲାରେ ଛନ୍ଦି ହୁଅନ୍ତି ନାହିଁ ।
ତେଣୁ ଭୟ ନ କରି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏପରିକି ଆଗାମୀ ପିଢ଼ି ମଧ୍ୟରେ ଏହି ମାନବିକତା ଓ ସାହାଯ୍ୟ ମନୋବୃତ୍ତି ସୃଷ୍ଟି କରିବାକୁ ଏନସିସି କ୍ୟାଡେଟ୍ ଛାତ୍ରଛାତ୍ରୀଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସେମାନେ ମଧ୍ୟ କୌଣସି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା କରି ଜୀବନ ରକ୍ଷା କଲେ ଗୁଡ୍ ସମରିଟାନ ଭାବରେ ସମ୍ମାନିତ ହୋଇପାରିବେ ।