ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କ ବିରଦ୍ଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ।
୨୦୦୯ ଓ ୨୦୧୪ ନିର୍ବାଚନରେ ଜୀବନ ପ୍ରଦୀପ ବାଲେଶ୍ୱର ବିଧାନସଭା ଆନସନରୁ ବିଜେଡି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ କିନ୍ତୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଶ୍ରୀ ଦତ୍ତଙ୍କ ଅକାଳ ବିୟୋଗ ପରେ ସଦ୍ୟ ଅନୁଷ୍ଠିତ ଉପନିର୍ବାଚନରେ ଜୀବନଙ୍କୁ ଦଳ ଆଉ ଟିକସ ଦେଇନଥିଲା ।
ଦଳୀୟ ଟିକଟ ନମିଳିବା ନେଇ ଜୀବନ ପ୍ରଦୀପ ଏହା ଦଳର ନିଷ୍ପତ୍ତି ବୋଲି ପ୍ରତିକ୍ରିୟା ଦେବା ସହିତ ସେତେବେଳେ ବିଜେଡି ପାଇଁ ଭୋଟ ପ୍ରଚାର କରିଥିଲେ । ତେବେ ଉପନିର୍ବାଚନ ପାଇଁ ମତଦାନ ହେବାର ଦିନକ ପରେ ଆଜି ବିଜେଡି ଶ୍ରୀ ଦାସଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରିଛି ।
ଦଳ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବା ପରେ ନିଜର ପ୍ରତିକ୍ରିୟାରେ ଶ୍ରୀ ଦାସ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ କେହି ଚକ୍ରାନ୍ତ କରିଥାଇପାରେ । କାରଣ ସିଏ କୌଣସି ଦଳ ବିରୋଧି କାର୍ଯ୍ୟ କରିନାହାନ୍ତି । ଉପନିର୍ବାଚନରେ ସିଏ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।
ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀ ଦାସ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଜେପି ଦଳର ବିଧାୟକ ଥିବାବେଳେ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।