Home Judiciary ଜିଲ୍ଲା ପରିଷଦ ଆସନ ସଂରକ୍ଷଣରେ କେଁ

ଜିଲ୍ଲା ପରିଷଦ ଆସନ ସଂରକ୍ଷଣରେ କେଁ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତିପର୍ବର ବିଗୁଲ ବଜାଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଯେଉଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ତାହା ସୁପ୍ରିମ୍‍କୋର୍ଟର ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ବୋଲି ଆଇନ୍‍ ବିଶାରଦମାନେ ମତ ଦେଉଛନ୍ତି । ଏବେ ଆପତ୍ତି ଅଭିଯୋଗ ଲୋଡାଯାଇଥିବାରୁ ଏହି ଚିଠା ସଂରକ୍ଷଣ ତାଲିକା ଚୂଡାନ୍ତ ନୁହେଁ ଏବଂ ଯେଉଁମାନଙ୍କର ଏହା ଉପରେ ଆପତ୍ତି ଅଭିଯୋଗ ରହିଛି ସେମାନେ ଚଳିତମାସ ୨୫ତାରିଖ ସୁଦ୍ଧା ତାହା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକାରେ ୧୨ଟି ଆସନ ଅଣସଂରକ୍ଷିତ ଥିବାବେଳେ ଏଥିରୁ ୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ମୋଟ୍‍ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମଧ୍ୟରୁ ୧୦ଟି ଅନୁସୂଚିତ ଜନଜାତି (ଏସ୍‍ଟି) ୪ଟି ଅନୁସୂଚିତ ଜାତି (ଏସ୍‍ସି) ଓ ୪ଟି ପଛୁଆବର୍ଗ (ଏସ୍‍ଇବିସି)ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହି ଆସନଗୁଡିକ ମଧ୍ୟରୁ ପ୍ରତ୍ୟେକ ବର୍ଗର ଅଧା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ଚିଠା ତାଲିକାରେ କୁହାଯାଇଛି ।

ପୂର୍ବରୁ ସୁପ୍ରିମ୍‍କୋର୍ଟ ଏକ ଐତିହାସିକ ରାୟରେ ଜାତିଭିତ୍ତିକ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଏଥିଯୋଗୁଁ ରାଜ୍ୟ ସରକାରଙ୍କୁ ଗତ ବିଧାନସଭା ଅଧିବେଶନକାଳରେ ଆଇନ୍‍ରେ ସଂଶୋଧନ ଆଣିବାକୁ ପଡିଥିଲା । ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂରକ୍ଷଣସୀମା ଠିକ୍‍ ନରହିଲେ ମାଲିମୋକଦ୍ଦମା ସୃଷ୍ଟିହୋଇ ପଞ୍ଚାୟତିରାଜ ନିର୍ବାଚନକୁ ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଯାଇପାରେ ।

ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଅନ୍ୟୁନ ୧୫ଟି ଆସନ ଅଣସଂରକ୍ଷିତ ରହିବାକଥା । ଏହି ଆଧାରରେ ମହିଳାଙ୍କ ଲାଗି ଏଥିରୁ ୭ରୁ ୮ଟି ଜିଲ୍ଲାର ଅଧ୍ୟକ୍ଷ ପଦବୀ ମଧ୍ୟ ସଂରକ୍ଷିତ ରହିବା ଆବଶ୍ୟକ । କିନ୍ତୁ ଚିଠା ତାଲିକାରେ ୧୨ଟି ଅଣସଂରକ୍ଷିତ ଏବଂ ସେଥିମଧ୍ୟରୁ ୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବାକୁ ପ୍ରସ୍ତାବ ରହିଥିବାରୁ ଏହା କାର୍ଯ୍ୟକାରୀ ହେଲେ ଅଣସଂରକ୍ଷିତ ଆସନ ସଂଖ୍ୟା ୫୦ ପ୍ରତିଶତରୁ କମିବ ଏବଂ ସଂରକ୍ଷିତ ଆସନ ସଂଖ୍ୟା ୫୦ ପତିଶତରୁ ଅଧିକ ହେବ । ଏହି ପ୍ରସଙ୍ଗକୁ ନେଇ ପୁଣି ମାମଲା ଚାଲିଲେ ସମୟ, ସମ୍ବଳ ଓ ଶକ୍ତିର ଅପଚୟ ଘଟିବ ବୋଲି ଆଇନ ବିଶାରଦମାନେ ମତ ଦେଉଛନ୍ତି ।

ସେହିପରି ମୋଟ୍‍ ୩୧୪ଟି ବ୍ଲକ ବା ପଞ୍ଚାୟତ ସମିତି ମଧ୍ୟରୁ ଅନୁଞନ ୧୫୭ଟି ଆସନ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯିବା ସହ ଅବଶିଷ୍ଟ ୧୫୭ଟି ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯିବାକଥା । ଏ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ହେଲେ ମାମଲା ବଢିପାରେ । ସେହିପରି ସରପଞ୍ଚ ଓ ସମିତି ସଦସ୍ୟ, ୱାର୍ଡମେମ୍ବର, ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ଲାଗି ସଂରକ୍ଷଣସୀମା ବି ୫୦ ପ୍ରତିଶତକୁ ଡେଇଁବା କଥା ନୁହେଁ ।

ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଜନଂସଖ୍ୟା ଅନୁପାତ ଆଧାରରେ ୨୨.୭୫ ପ୍ରତିଶତ ପର୍ଯ୍ୟନ୍ତ ଆସନ ସଂରକ୍ଷିତ ରହିବାକଥା । ଏହାବାଦ୍‍ ୫୦ପ୍ରତିଶତ ସଂରକ୍ଷଣ ସୀମାକୁ ଆଖିଆଗରେ ରଖି ଏସ୍‍ଇବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯିବାକଥା । ତେବେ ଅଣସଂରକ୍ଷିତ ଆସନରେ ଯେକୌଣସି ସଂରକ୍ଷିତବକର୍ଗର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବାରେ କିଛି ଆଇନ୍‍ଗତ ପ୍ରତିବନ୍ଧକ ନାହିଁ । (ତଥ୍ୟ)