Home News in Odia ଜିରୋ ନାଇଟ୍‍ ଉପରେ ନଜର

ଜିରୋ ନାଇଟ୍‍ ଉପରେ ନଜର

ଭୁବନେଶ୍ୱର : ନୂଆବର୍ଷ୨୦୨୪କୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ କୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସକାଶେ ଦୈତନଗରୀ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର ଡିସିପି ହୋଟେଲ ଓ ଆପାର୍ଟମେଣ୍ଟ ମାଲିକଙ୍କ ସମେତ ସଂପୃକ୍ତ ଅଂଶୀଦାରଙ୍କ ସହ ଏକ ବୈଠକ ଡାକିଛନ୍ତି। ଉତ୍ସବ ପାଇଁ ଜାରି ହୋଇଥିବା ସମୟସୀମାକୁ ପାଳନ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜକମାନଙ୍କୁ ମଦ ପିଇବା ଉପରେ ନଜର ରଖିବାକୁ କୁହାଯାଇଛି ।

ଟ୍ୱିନ୍ ସିଟି (ଭୁବନେଶ୍ୱର ଓ କଟକ)ର ନାଗରିକମାନେ ନୂଆବର୍ଷକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ତେଣୁ ବିଭିନ୍ନ ହୋଟେଲ, କ୍ଲବ, ପବ୍ ଓ ଆପାର୍ଟମେଣ୍ଟରେ ଅନେକ ପାର୍ଟିର ଆୟୋଜନ କରାଯିବ।  

ଜିରୋ ନାଇଟ୍ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ୫୦ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ।

ଉତ୍ସବ ଯେପରି ଶାନ୍ତିପୂର୍ଣ୍ଣ ରହିବ ସେଥିପାଇଁ ଆମେ ଅଧିକ ଭ୍ରାମ୍ୟମାଣ ପାଟ୍ରୋଲିଂ ମୁତୟନ କରିବୁ, ଯାହା ଦ୍ୱାରା ଆମର ପ୍ରତିକ୍ରିୟା ସମୟ ହ୍ରାସ ପାଇବ। ଏ ନେଇ ତଦାରଖ ଅଧିକାରୀଙ୍କୁ ସଚେତନ କରାଯାଇଛି। ଜିରୋ ନାଇଟ୍ ରେ ଥାନା ଦାୟିତ୍ୱରେ ଥିବା ସମସ୍ତ ଇନ୍ସପେକ୍ଟର ଓ ଏସିପି ରାସ୍ତାରେ ପାଟ୍ରୋଲିଂ କରିବେ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସିପି ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ୟା ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ପାଇଁ ଦୁଇ ସହରରେ ପାଟ୍ରୋଲିଂ ଏବଂ ବ୍ଲକ ଚେକିଂ ବୃଦ୍ଧି କରାଯାଇଛି।

ଦୁଇ ସହରର ନାଗରିକଙ୍କୁ ଆଇନ ପରିସର ମଧ୍ୟରେ ଜିରୋ ନାଇଟ୍ ଉପଭୋଗ କରିବାକୁ ନିବେଦନ କରି ପୁଲିସ କମିଶନର ଚେତାବନୀ ଦେଇଛନ୍ତି ଯେ ଦ୍ରୁତ ଗାଡିଚାଳନା ଏବଂ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ଜାନୁଆରୀ ୧ ତାରିଖ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ହୋଟେଲ, କ୍ଲବ ଓ ବାରରେ ଜିରୋ ନାଇଟ୍ ଉତ୍ସବ ପାଳନ ପାଇଁ ଅନୁମତି ମିଳିବ। ହୋଟେଲ/ବାର୍ ଗୁଡ଼ିକ ସକାଳ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଉତ୍ସବ ବଢ଼ାଇବା ପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିବ।

ଅତିଥିଙ୍କ ସଂଖ୍ୟା ଯେପରି ସେମାନଙ୍କ କ୍ଷମତା ସୀମା ଅତିକ୍ରମ ନ କରେ, ସିସିଟିଭି କ୍ୟାମେରାର ସଠିକ କାର୍ଯ୍ୟ, ପାର୍କିଂ ପଏଣ୍ଟରେ ଅତିରିକ୍ତ କର୍ମଚାରୀ ନିୟୋଜିତ କରିବା ଏବଂ ମଦ୍ୟପ ଅବସ୍ଥାରେ ଥିବା ଅତିଥିମାନଙ୍କୁ ଘରେ ଛାଡ଼ିବାର ବ୍ୟବସ୍ଥା କରିବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଡିସିପି କହିଛନ୍ତି।