Home General ଜିଦରେ ଅଟଳ ତିନିଦଳ

ଜିଦରେ ଅଟଳ ତିନିଦଳ

ଭୁବନେଶ୍ୱର: ନିଜ ନିଜ ଜିଦରେ ବିଜେଡି, ବିଜେପି ଓ କଂଗ୍ରେସ ଅଟଳ ରହିବା ଯୋଗୁ ଆଜି ବି ବିଧାନସଭା ପ୍ରଥମାର୍ଦ୍ଧରେ ଚାଲିପାରିନାହିଁ । ଶନିବାରଠାରୁ ନିଜ ନିଜ ଦାବି ପୂରଣ ଲାଗି ଏହି ତିନିଦଳ ବିଧାନସଭାକୁ ଏକପ୍ରକାର ଅଚଳ କରି ରଖିଛନ୍ତି ।

ବିଜେପି ଓ ବିଜେଡିର ବିଧାୟକମାନେ ଧାନ ସଂଗ୍ରହ ଦାବିରେ ବିଧାନସଭା ଭିତରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ଗୃହ ଚଳାଇ ନ ଦେବାକୁ ଧମକ ଦେଇଛି ।

ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଦିନଠାରୁ ଉଭୟ ବିଜେପି ଓ ବିଜେଡି ଧାନ ସଂଗ୍ରହ ପ୍ରସଙ୍ଗକୁ ନେଇ ଜୋରଦାର ହଟ୍ଟଗୋଳ କରିବାରୁ ଏହା ଉପରେ ବିବୃତ୍ତି ରଖିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ସ୍ୱାଇଁ ଗୃହରେ ବିବୃତ୍ତି ରଖୁଥିବା ବେଳେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଗୃହ ମଧ୍ୟରେ ସାନିଟାଇଜର ପିଇ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ ।

କଂଗ୍ରେସ ଓ ବିଜେପି ବିଧାୟକମାନେ ତାଙ୍କୁ ଏଥିରୁ ନିବୃତ୍ତ କରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ହାତରୁ ସାନିଟାଇଜର ବୋତଲଟି ଛଡ଼ାଇ ଆଣିଥିଲେ । ଗୃହରେ ଆତ୍ମହତ୍ୟା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ଓ ଶ୍ରୀ ପାଣିଗ୍ରାହୀ ଏଥିପାଇଁ କ୍ଷମା ମାଗିବା ଉଚିତ୍‍ ବୋଲି ବିଜେଡି ବିଧାୟକମାନେ ଅଡ଼ି ବସିଛନ୍ତି । ଯେ ପର୍ଯ୍ୟନ୍ତ ଶ୍ରୀ ପାଣିଗ୍ରାହୀ କ୍ଷମା ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚଳାଇବାକୁ ଦିଆଯିବ ନାହିଁ ବୋଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରୋକଠୋକ ଶୁଣାଇବା ପରେ ଶାସକ ଦଳର ସଦସ୍ୟମାନେ ଲଗାତର ତିନିଦିନ ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ବିକ୍ଷୋଭ ଜାରି ରଖିଛନ୍ତି ।

ତିନି ଦଳର ବିଧାୟକମାନେ ଗୃହ କାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ଆସନ ସମ୍ମୁଖରେ ହଟ୍ଟଗୋଳ କରୁଥିବାରୁ ଗୃହ ଚାଲିବା ସମ୍ଭବ ହୋଇପାରୁନାହିଁ । ଯଦିଓ ହଟ୍ଟଗୋଳ ମଧ୍ୟରେ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବା ସହିତ ୮ଟି ବିଲ୍‍ ଆଗତ ହୋଇଛି, କିନ୍ତୁ ମୁଲତବୀ ପ୍ରସ୍ତାବ କିମ୍ବା ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ହୋଇପାରୁନାହିଁ । ତିନିଦଳର ଏଭଳି ଜିଦ୍‍ ଗୃହକୁ ଅଚଳ କରି ରଖିଥିବା ବେଳେ ବାଚସ୍ପତି ଶ୍ରୀ ପାତ୍ର ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ।