ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ଶେଷ ହୋଇଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଏହି ଦୁଇ ଆସନରୁ ଜିଣିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଏଠାକାର ପ୍ରାର୍ଥୀମାନଙ୍କର ଭାଗ୍ୟ ଓ ରାଜନୈତିକ ଭବିଷ୍ୟତ ଇଭିଏମ୍ରେ ବନ୍ଦହୋଇ ରହିଯାଇଥିବାବେଳେ ବାସ୍ତବରେ କିଏ ଜିଣୁଛି ଓ କିଏ ହାରୁଛି ତାହା ଆସନ୍ତା ୧୦ତାରିଖରେ ସ୍ପଷ୍ଟ ହୋଇଯିବ । ତେବେ ସପ୍ତାହେ କାଳ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଆଶା ଆଶଙ୍କାରେ କେବଳ ଅଙ୍କ କଷିବାରେ ବ୍ୟସ୍ତ ରହିବେ ।
ଗତ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ଆସନରୁ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ୯୩,୭୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରମାକାନ୍ତ ଭୋଇ ୫୩,୨୯୭ ଓ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ୨୩,୮୦୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ୪୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିଣିଥିବା ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ଫଳରେ ଏଠାରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ ବିଜେଡି ଟିକଟରେ ୫୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଏହି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅନେକ ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରୁଛନ୍ତି ।
ସେତେବେଳେ ବିଜେପି ପ୍ରାର୍ଥୀ ôତବା ରମାକାନ୍ତ ଭୋଇ ଏବେ ବିଜେଡିର ପ୍ରମୁଖ ପ୍ରଚାରକ ଥିଲେ । ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ କଂଗ୍ରେସ ନେତା ରାଜକିଶୋର ବେହେରାଙ୍କ ସପକ୍ଷରେ ପରିବର୍ତ୍ତନର ହାୱା ବୋହିଛି ବୋଲି ବିଜେପି ନେତାମାନେ କହୁଥିବାବେଳେ କଂଗ୍ରେସ ଏଥର ଏଠାରୁ ଜଣେ ସ୍ୱଚ୍ଛ ସମାଜସେବୀ ଇଞ୍ଜିନିୟର ହିମାଂଶୁ ମଲିକଙ୍କୁ ପ୍ରାର୍ଥୀ କରିଛି ଏବଂ ସେ ନିଶ୍ଚୟ ଜିଣିବେ ବୋଲି କଂଗ୍ରେସ ନେତାମାନେ ବି ଆଶାବାଦୀ ।
ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବାଲେଶ୍ୱର ବିଧାନସଭା ଆସନରୁ ୭୪,୬୧୦ ଖଣ୍ଡ ଭୋଟ ପାଇ ଜିଣିଥିବାବେଳେ ବିଜେପିରୁ ଆସି ବିଜେଡିରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ଜୀବନ ପ୍ରଦୀପ ଦାସ ୬୧,୩୦୪ ଓ କଂଗ୍ରେସ ପ୍ରାର୍ଥୀ ମାନସ ରଞ୍ଜନ ଦାସ ପଟ୍ଟନାୟକ ୧୯,୬୮୮ଖଣ୍ଡ ଭୋଟ ପାଇଥିଲେ । ମଦନ ମୋହନଙ୍କ ଅକାଳ ବିୟୋଗ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି ଏବଂ ସେ ପୂର୍ବଥର ଅପେକ୍ଷା ଅଧିକ ଭୋଟ ପାଇବେ ବୋଲି ଦଳର ମଙ୍ଗୁଆଳମାନେ ଅଙ୍କ କଷୁଛନ୍ତି ।
ଏଥର ବାଲେଶ୍ୱରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସମ୍ପୂର୍ଣ୍ଣ ନବାଗତ ସ୍ୱରୂପ ଦାସଙ୍କ ପାଇଁ ତାଙ୍କ ଦଳ ଯେଭଳି ଗୁରୁତ୍ୱ ଦେଇ ନିର୍ବାଚନ ଯୁଦ୍ଧ ଲଢିଛି ସେଥିରୁ ଏହି ଆସନଟି ବିଜେପି ଠାରୁ ବିଜେଡି ଛଡାଇନେବା ସମ୍ଭାବନା ଉଜ୍ୱଳ ବୋଲି ବାଲେଶ୍ୱରରୁ ନିର୍ବାଚନ ପ୍ରଚାର ସାରି ଫେରିଥିବା ବିଜେଡି ନେତାମାନେ କହୁଛନ୍ତି ।
କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପ୍ରତି ବାଲେଶ୍ୱର ବାସୀଙ୍କ ଢେର ମମତା ରହିଛି ଏବଂ ବିଜେପି ଓ ବିଜେଡିକୁ ଉଚିତ୍ ଜବାବ ଦେଇ ବାଲେଶ୍ୱରବାସୀ ମମତାଙ୍କୁ ଜିଣାଇବାପାଇଁ ମନସ୍ଥିର କରିସାରିଥିବା କଂଗ୍ରେସ ନେତାମାନେ କହୁଛନ୍ତି । ଏହି ଉପନିର୍ବାଚନରେ ଦୁଇଟିଯାକ ଆସନକୁ ଦଖଲ କରିବାପାଇଁ ୩ଟି ପ୍ରମୁଖ ରାଜନୈତିକଦଳ ଦାବି କରୁଥିବାବେଳେ ବାସ୍ତବରେ କିଏ ଜିଣିବ କିଏ ହାରିବ ତାହା ଆସନ୍ତା ୧୦ତାରିଖରେ ଭୋଟ ଗଣନାରୁ ସ୍ପଷ୍ଟ ହେବ ।