ଭୁବନେଶ୍ୱର : ବାସଗୃହ ନିର୍ମାଣ ପାଇଁ ସ୍ୱଳ୍ପମୂଲ୍ୟରେ ଲୋକଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ରାଜଧାନୀରେ ଯୋଗାଇଥିବା ପ୍ଲଟ ଉପରେ ମାଳ ମାଳ ଆପାର୍ଟମେଣ୍ଟ ଗଢି ଉଠୁଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏଭଳି ପ୍ଲଟ ଉପରେ ୨୫୩ଟି ଆପାର୍ଟମେଣ୍ଟ ପାଇଁ ଅନୁମତି ପ୍ରଦାନ କରିଥିବାବେଳେ ସେଥି ମଧ୍ୟରୁ ନିୟମ ବର୍ହିଭୂତ କାର୍ଯ୍ୟପାଇଁ ପ୍ରାୟ ୫୦ ଜଣ ବିଲଡରଙ୍କ ଉପରେ ମାମଲା ରୁଜୁ ହେଲାଣି । ଏହା ପରେ ବି ଜିଏ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ବନ୍ଦ ହେବାର ନା ଧରୁନି ।
ରାଜଧାନୀର ବିଭିନ୍ନ ୟୁନିଟ୍ରେ ଲୋକଙ୍କୁ ଘର ଖଣ୍ଡିଏ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ ପ୍ଲଟ ଯୋଗାଇ ଦେଇଥାନ୍ତି । ସ୍ୱଳ୍ପମୂଲ୍ୟରେ ଏହି ଜମି ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ନୟାପ୍ଲଲୀ ଠାରୁ ଆରମ୍ଭକରି ଶୈଳଶ୍ରୀବିହାର ପର୍ଯ୍ୟନ୍ତ ଲୋକଙ୍କୁ ବହୁ ପୂର୍ବରୁ ୨୦/୨୫ ହଜାର ଟଙ୍କାରେ ପ୍ଲଟ ଯୋଗାଇ ଦିଆଯାଇଛି । ଏହା ଯୋଗାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜ ପରିବାର ସହିତ ଲୋକେ ସେଠାରେ ଘରଟିଏ କରି ରହିବେ ।
ସରକାର ଜମି ଯୋଗାଇବା ସହିତ ସେଠାରେ ଗୋଟିଏ କିମ୍ବା ଅତି ବେଶିରେ ଦୁଇଟି ପରିବାରଙ୍କ ବସବାସକୁ ଦୃଷ୍ଟିରେ ରଖି ସଡକ, ପାନୀୟଜଳ, ସ୍ୱରେଜ ଓ ବିଦ୍ୟୁତ୍ ସଂଯୋଗର ବ୍ୟବସ୍ଥା କରିଛନ୍ତି । ଏଥି ସହିତ କେତେକ ଅଞ୍ଚଳରେ ପିଲାଙ୍କ ଲାଗି ବିଦ୍ୟାଳୟ, ଖେଳପଡିଆ, ଗୋଷ୍ଠି କେନ୍ଦ୍ର, କଲ୍ୟାଣମଣ୍ଡପ ଆଦି ତିଆରି କରିଛନ୍ତି ।
ହେଲେ ମାତ୍ର ୨୦/୨୫ ହଜାର ଟଙ୍କାରେ ଜମି ପାଇଥିବା ବ୍ୟକ୍ତି କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନେ ସେହି ସରକାରୀ ପ୍ଲଟକୁ ଲିଜ୍ହୋଲ୍ଡ କରିବା ସହିତ ତାହାକୁ ବିଲଡରମାନଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ଯେଉଁମାନେ ସମ୍ପୂର୍ଣ୍ଣ ଜମି ବିକ୍ରି କରୁନାହାନ୍ତି ସେମାନେ ବିଲଡରଙ୍କ ସହିତ ଚୁକ୍ତିନାମା କରି ଆପାର୍ଟମେଣ୍ଟ ନିର୍ମାଣ କରିବା ସହିତ ନିଜର ଅଂଶ ନେଇଯାଉଛନ୍ତି । ବିଲଡର ବି ମାଗଣାରେ ଜମି ପାଉଥିବାରୁ ଚୁକ୍ତି ମୁତାବକ ୩/୪ ଟି ଘର ଜମି ମାଲିକଙ୍କୁ ବିନାମୂଲ୍ୟରେ ଯୋଗାଇ ଦେଉଛି ।
ହେଲେ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ପ୍ଲଟର ଆଖପାଖରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଦୁଇ ପଟେ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ସେମାନଙ୍କ ଘରକୁ ସୂର୍ଯ୍ୟକିରଣ କିମ୍ବା ପବନ ଟିକେ ଆସିବା ମୁସ୍କିଲ ହୋଇଯାଉଛି । ସେହିଭଳି ଦୁଇ ପରିବାର ରହିବା ସ୍ଥାନରେ ୫୦/୬୦ ପରିବାର ରହିବା ଯୋଗୁଁ ସେହି ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଲୋକେ ନିଜ ନିଜ ଚାରିଚକିଆ ଏପରିକି ଦୁଇଚକିଆ ଯାନକୁ ବି ରାସ୍ତା ଉପରେ ରଖିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ସମ୍ପ୍ରସାରଣର ସୁଯୋଗ ନଥିବାରୁ ବିଭିନ୍ନ ଅଞ୍ଚଳରେ ବିଚିତ୍ର ସ୍ଥିତି ଉପୁଜୁଛି ।
ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ ଜିଏ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଆଖିବୁଜା ଅନୁମତି ଦେବାପରେ ଏବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ସେହିସବୁ ଅଞ୍ଚଳରେ ସ୍ୱରେଜ ଓ ପାନୀୟଜଳର କ୍ଷମତା ବୃଦ୍ଧି କରିବାରେ ଲାଗିଛନ୍ତି । ବିଦ୍ୟୁତ ବିଭାଗ ବି ଏ ବାବଦରେ ବିପୁଳ ଅର୍ଥ ବ୍ୟୟ କରୁଛି । ହେଲେ ସରକାରଙ୍କ ଠାରୁ ହାତଗଣତି ମାତ୍ର କେତେଟା ଟଙ୍କାରେ ପାଇଥିବା ମୂଲ୍ୟବାନ ଜମିକୁ ଯେଭଳି ଲୋକମାନେ ବିଲଡରଙ୍କ ହାତରେ କୋଟି କୋଟି ଟଙ୍କାରେ ଟେକି ଦେଉଛନ୍ତି ତାହା ଉପରେ ରୋକ ଲଗାଯାଇ ପାରୁନାହିଁ । ଯେଉଁ ହାରରେ ଜିଏ ପ୍ଲଟ ଉପରେ ଆପାର୍ଟମେଣ୍ଟ ଛିଡା ହେଉଛି ତାହା ଉପରେ ରୋକ ନଲାଗିଲେ ଅନେକ ଆବସିକ ଅଞ୍ଚଳ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଯିବ । (ତଥ୍ୟ)