Home General ଜିଏ ପ୍ଲଟକୁ ହାତେଇ ନେଉଛନ୍ତି ବିଲଡର

ଜିଏ ପ୍ଲଟକୁ ହାତେଇ ନେଉଛନ୍ତି ବିଲଡର

ଭୁବନେଶ୍ୱର : ରାଜଧାନୀରେ ମୁଣ୍ଡ ଗୁଞ୍ଜିବାପାଇଁ ସରକାରଙ୍କ ଠାରୁ ଜମି ଖଣ୍ଡିଏ ନେଇଥିବା ଲୋକେ ଏବେ ସେହି ଜମିକୁ ରାତାରାତି ଫ୍ରି ହୋଲ୍ଡ କରି ବିଲଡରଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ଫ୍ରି ହୋଲ୍ଡ ପାଇଁ ଟଙ୍କା ଯୋଗାଡ କରିପାରୁ ନାହାନ୍ତି ସେମାନଙ୍କ ପାଇଁ ବିଲ୍ଡର ଆଗୁଆ ପଇସା ଯୋଗାଇ ଦେଉଛନ୍ତି । ପରବର୍ତ୍ତୀ ସମୟରେ ସେହି ଜମି ଉପରେ ବଡ ବଡ ଆପାର୍ଟମେଣ୍ଟ ନିର୍ମାଣ ହୋଇ ବେପାର କରାଯାଉଛି ।

ସାଧାରଣ ପ୍ରଶାସନ ପକ୍ଷରୁ ଲୋକଙ୍କ ଘର କରି ରହିବାପାଇଁ ଶସ୍ତାରେ ଜମି ଯୋଗାଇ ଦିଆଯାଇଛି । ଜମି ନେବା ସମୟରେ ଲୋକେ ହାତକାଟି ଲେଖିଦେଇଛନ୍ତି ଯେ ସେମାନଙ୍କର ରାଜଧାନୀରେ ବାସଗୃହ ଖଣ୍ଡିଏ ନଥିବାରୁ ଘର କରି ରହିବାପାଇଁ ଜମି ଖଣ୍ଡେ ଦିଆଯାଉ । ସରକାର ଲିଜ୍‍ରେ ଯୋଗାଇ ଦେଇଥିବା ଏହି ଜମି ଉପରେ ଏବେ ମାଳ ମାଳ ଆପାର୍ଟମେଣ୍ଟ ଛିଡା ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜିଏ ପ୍ଲଟ ଉପରେ ୨୫୩ଟି ଆପାର୍ଟମେଣ୍ଟ ନିର୍ମାଣ ଲାଗି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅନୁମତି ପ୍ରଦାନ କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ୯ଟି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଆହୁରି ଅନେକ ବିଲଡର ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ପାଇବା ସକାଶେ ଧାଡି ଲଗାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୪୯ଜଣ ଆପାର୍ଟମେଣ୍ଟ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ସାରିଲାଣି ।

ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଥିବା ଜିଏ ପ୍ଲଟ ଉପରେ ଆପାର୍ଟମେଣ୍ଟ ନିର୍ମାଣ ଲାଗି ଅନୁମତି ଦିଆଯିବା ଫଳରେ ସେହିସବୁ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇମହଲା ଘର କରି ରହିଥିବା ଲୋକଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଯେଉଁ ପ୍ଲଟ ଉପରେ ଗୋଟିଏ କିମ୍ବା ଦୁଇଟି ପରିବାର ରହିବାକଥା ସେଠାରେ ଆପାର୍ଟମେଣ୍ଟ ର୍ନିମାଣ ଯୋଗୁଁ ୩୦/୪୦ ପରିବାର ରହୁଛନ୍ତି । ଫଳରେ ସେହି ଅଞ୍ଚଳରେ ସ୍ୱରେଜ ଠାରୁ ଆରମ୍ଭକରି ଜଳ ଯୋଗାଣ ଓ ପାର୍କିଂ ସମସ୍ୟା ଉପୁଜୁଛି । ଲୋକେ ରାସ୍ତା ଉପରେ ଶହ ଶହ ଗାଡି ରଖୁଛନ୍ତି ।

ଜିଏ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ସ୍ୱରେଜ ସମସ୍ୟା ଦେଖା ଦେଉଛି । କାରଣ ଜମି ଆବଣ୍ଟନ ସମୟରେ ସରକାର ଯେତିକି ଲୋକଙ୍କୁ ଦୃଷ୍ଟିରେ ରଖି ସ୍ୱରେଜ ଓ ପାଣି ଲାଇନ୍‍ ବିଛାଇଥିଲେ ଏବେ ତାହାଠାରୁ ୧୦ରୁ ୨୦ଗୁଣ ଅଧିକ ଲୋକ ରହୁଛନ୍ତି । ଫଳରେ ସ୍ୱରେଜ ଲାଇନ୍‍ ବାରମ୍ବାର ଜାମ୍‍ ହେବା ସହିତ ଜଳ ଯୋଗାଣରେ ବି ସମସ୍ୟା ଦେଖା ଦେଉଛି । ସେହିଭଳି ଅଧିକ ଲାଭ ଆଶାରେ କେତେକ ଆପାର୍ଟମେଣ୍ଟ କମ୍‍ ପାର୍କିଂ ଅଞ୍ଚଳ ରଖୁଥିବାରୁ ଲୋକେ ବାଧ୍ୟହୋଇ ରାସ୍ତା ଉପରେ ନିଜ ନିଜ ଗାଡି ରଖୁଛନ୍ତି । ଏହା ଫଳରେ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବିଶେଷକରି ଯେଉଁମାନେ ପରିବାର ସହିତ ଗୋଟିଏ କିମ୍ବା ଦୁଇ ମହଲା ଘରେ ରହୁଛନ୍ତି ସେମାନେ ଭିଡରେ ନକେଦମ ହେଉଛନ୍ତି ।

ସେହିଭଳି ଜିଏ ପ୍ଲଷ୍ଟରେ ୫/୭ ମହଲାର ଆପାର୍ଟମେଣ୍ଟ ପାଇଁ ଅନୁମତି ପ୍ରଦାନ ଫଳରେ ଏହା ଆଖପାଖରେ ଛୋଟ ଛୋଟ ଘର କରିଥିବା ଲୋକେ ଆଉ ସହଜରେ ଟିକେ ଖୋଲା ପବନ କିମ୍ବା ସୂର୍ଯ୍ୟକିରଣ ପାଉନାହାନ୍ତି । ତେବେ ଛୋଟ ଛୋଟ ଜିଏ ପ୍ଲଟରେ ବଡ ବଡ ଆପାର୍ଟମେଣ୍ଟ କିଭଳି ଅନୁମତି ଦିଆଯାଉଛି ଓ ବିଡିଓ ଏବଂ ବିଏମ୍‍ସି ଭଳି ସଂସ୍ଥା ସବୁ ଦେଖି ନଦେଖିଲା ଭଳି ରହୁଛନ୍ତି ତାହା ଏବେ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)