Home Finance ଜିଏସ୍‍ଟି କ୍ଷତିପୂରଣ ସାଢେ ୩ହଜାର କୋଟି ଟପିଲା

ଜିଏସ୍‍ଟି କ୍ଷତିପୂରଣ ସାଢେ ୩ହଜାର କୋଟି ଟପିଲା

ଭୁବନେଶ୍ୱର : ଜିଏସ୍‍ଟି କ୍ଷତିପୂରଣ ବାବଦରେ ଓଡିଶା ସରକାର ଆଜି ଆଉ ୧୭୩କୋଟି ୫୫ଲକ୍ଷ ପାଇବା ଫଳରେ ୪ଦିନ ମଧ୍ୟରେ ୩୮୧କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ରରୁ ପାଇଛନ୍ତି । ଏହାକୁ ମିଶାଇ ପାଇଥିବା ମୋଟ୍‍ କ୍ଷତିପୂରଣ ରାଶି ୩୫୮୪କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି । କେନ୍ଦ୍ର ସରକାର ଜାରି କରିଥିବା ଦୁଇ ପ୍ରକାର ପ୍ରସ୍ତାବ ମଧ୍ୟରୁ ପ୍ରଥମଟି ରାଜ୍ୟ ସରକାର ଗ୍ରହଣ କରିବାପରେ କେନ୍ଦ୍ର ସରକାର ବରାବର କ୍ଷତିପୂରଣ ଭରଣା ପାଇଁ ଖୋଲା ବଜାରରୁ ଟଙ୍କା ଉଠାଇ ରାଜ୍ୟମାନଙ୍କୁ ଯୋଗାଉଛନ୍ତି ।

ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦ (ଜିଏସ୍‍ଡିପି) ର ୦.୫୦ ପ୍ରତିଶତ ଅର୍ଥାତ ୨୮୫୮କୋଟି ଟଙ୍କାର ଅତିରିକ୍ତ ଋଣ ପାଇଁ ରାଜ୍ୟକୁ ଅନୁମତି ମିଳିଥିବାବେଳେ ଜିଏସ୍‍ଟି କ୍ଷତିପୂରଣ ଭରଣା ପାଇଁ କେନ୍ଦ୍ର ସରକାର ୩୫୮୪କୋଟି ୧୭ଲକ୍ଷ ଟଙ୍କା ଖୋଲା ବଜାରରୁ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ବ୍ୟୟ ବିଭାଗ ପକ୍ଷରୁ ଜିଏସ୍‍ଟି କ୍ଷତିପୂରଣ ଭରଣା ପାଇଁ ୧୬ତମ କିସ୍ତି ଭାବେ ଆଜି ୫୦୦୦ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯାଇଥିବାବେଳେ ଓଡିଶା ଆଜି ୧୭୩କୋଟି ୫୫ଲକ୍ଷ ଟଙ୍କା ପାଇଛି ଏବଂ ଗତ ଶୁକ୍ରବାର ଦିନ ୧୫ତମ କିସ୍ତି ଭାବେ ୨୦୭କୋଟି ୯୩ଲକ୍ଷ ଟଙ୍କା ପାଇଥିଲା ।

ଏହି ଅର୍ଥ ୪୫୯୭କୋଟି ୧୬ଲକ୍ଷ ଟଙ୍କା ୨୩ଟି ରାଜ୍ୟକୁ ମଞ୍ଜୁର ହୋଇଥିବାବେଳେ ୪୦୨କୋଟି ୮୪ଲକ୍ଷ ଟଙ୍କା କେନ୍ଦ୍ରଶାସିତ ଅଞ୍ଚଳ ସହିତ ଜିଏସ୍‍ଟି କାଉନସିଲର ସଦସ୍ୟ ଥିବା ଦିଲ୍ଲୀ, ଜାମ୍ମୁ କାଶ୍ମୀର ଏବଂ ପୁଡୁଚେରୀକୁ ଦିଆଯାଇଛି । ଅବଶିଷ୍ଟ ୫ଟି ରାଜ୍ୟ ଅରୁଣାଚଳପ୍ରଦେଶ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ ଏବଂ ସିକିମ୍‍ରେ ଆବଶ୍ୟକ ଜିଏସ୍‍ଟି ସଂଗୃହୀତ ହୋଇଛି । ତେଣୁ ଏମାନଙ୍କୁ କ୍ଷତିପୂରଣ ଦେବାର ଅବକାଶ ଉପୁଜିନାହିଁ ।

ବର୍ତ୍ତମାନ ସଦ୍ଧା ମୋଟ୍‍ ଜିଏସ୍‍ଟି କ୍ଷତିପୂରଣର ୮୬ ପ୍ରତିଶତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ପ୍ରଦାନ କରାଯାଇ ସାରିଛି । ଏଥି ମଧ୍ୟରୁ ୮୬,୨୭୯କୋଟି ୯୩ଲକ୍ଷ ଟଙ୍କା ରାଜ୍ୟମାନଙ୍କ ମିଳିଥିବାବେଳେ ୮୨୭୦କୋଟି ୭ଲକ୍ଷ ଟଙ୍କା କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇଛି । ଜିଏସ୍‍ଟି କାର୍ଯ୍ୟକାରୀ ଯୋଗୁଁ ନିଅଣ୍ଟ ପଡୁଥିବା ୧ ଲକ୍ଷ ୧୦ହଜାର କୋଟି ଟଙ୍କାର ରାଜସ୍ୱ ଭରଣା ଲାଗି ଭାରତ ସରକାର ୨୦୨୦ ଅକ୍ଟୋବର ମାସରେ ଖୋଲା ବଜାରରୁ ଋଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଜରିଆରେ ଋଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୬ ପର୍ଯ୍ୟାୟ ଋଣ କରାଯାଇ ସାରିଲାଣି । ଏହି ପାଣ୍ଠିରୁ ଚଳିତ ସପ୍ତାହରେ ୧୬ତମ କିସ୍ତି ପ୍ରଦାନ କରାଯାଇଛି । ଚଳିତ ସପ୍ତାହରେ ୪.୬୪୮୦ ପ୍ରତିଶତ ସୁଧରେ ଋଣ ଉଠାଣ ହୋଇଛି । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଖୋଲା ବଜାରରୁ ୯୫ହଜାର କୋଟି ଟଙ୍କା ଋଣ କଲେଣି ଯାହାକି ହାରାହାରି ୪.୭୮୩୧ ପ୍ରତିଶତ ସୁଧରେ ସଂଗୃହୀତ ହୋଇଛି ।