ଭୁବନେଶ୍ୱର : ମାଟ୍ରିକ ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଶିକ୍ଷାନୁଷ୍ଠାନକୁ ନେବାପାଇଁ ଘରୋଇ ଯୁକ୍ତଦୁଇ କଲେଜଗୁଡିକ ଏବେ ସକ୍ରିୟ । ଏଥିପାଇଁ ମନଲୋଭା ରଙ୍ଗ ବେରଙ୍ଗର ବିଜ୍ଞାପନ ସହିତ ବିଭିନ୍ନ ଲୋକଙ୍କୁ ନିୟୋଜିତ କରିଛନ୍ତି ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁକ୍ତଦୁଇ ବିଜ୍ଞାନ ପଢିବାକୁ ଆଗ୍ରହୀ । ବିଶେଷକରି ନିଜ ଘରପାଖରେ ପଢିବାପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଇଚ୍ଛୁକ । ହେଲେ ଘର ପାଖରେ ଥିବା ସରକାରୀ କଲେଜଗୁଡିକରେ ଆବଶ୍ୟକ ଆସନ ଅଭାବ ଓ ବିଜ୍ଞାନ ପାଠ୍ୟକ୍ରମ ନମିଳିବାର ସମ୍ଭାବନା ରହିଛି ।
ତେଣୁ ଏଭଳି ଛାତ୍ରଛାତ୍ରୀଙ୍କୁ ନିଜ ଜାଲରେ ଫସାଇବାପାଇଁ ଘରୋଇ ଯୁକ୍ତଦୁଇ ବିଜ୍ଞାନ କଲେଜ ଗୁଡିକ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଳାଇଛନ୍ତି । ବିଶେଷକରି ମାଟ୍ରିକ ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କ ଘରକୁ ଲୋକ ପଠାଇବା ସହିତ କିଛି ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବି କମିଶନ ଲୋଭ ଦେଖାଇ ନିୟୋଜିତ କରିଛନ୍ତି । ପ୍ରତିଦିନ ଏମାନେ ରଙ୍ଗ ବେରଙ୍ଗର ବିଜ୍ଞାପନ ବି ଦେଉଛନ୍ତି । ତେବେ ଏମାନଙ୍କ ବିଜ୍ଞାପନରେ କେତେ ସତ୍ୟତା ରହିଛି ତାହାର ଯାଞ୍ଚ କରିବାକୁ କେହି ନାହିଁ । ଏହି ଘରୋଇ କଲେଜଗୁଡିକ ନାମ ଲେଖା ବାବଦରେ କେତେ ଅର୍ଥ ନେଉଛନ୍ତି ତାହା ମଧ୍ୟ ଦର୍ଶାଉନାହାନ୍ତି ।
ଯୁକ୍ତ ଦୁଇରେ ବିଜ୍ଞାନ ପଢିବା ଆଶାରେ ଏବେ ଅନେଇ ଛାତ୍ରଛାତ୍ରୀ ଏହି ଘରୋଇ କଲେଜ ମୁହାଁ ହୋଇଥିବାବେଳେ ସେଠାରେ କିଭଳି ପାଠପଢା ହେଉଛି ସେ ସଂକ୍ରାନ୍ତରେ ଅଧିକାଂଶ ଅଜ୍ଞ । ବିଶେଷକରି ଏଠାରେ ବିଜ୍ଞାନ ଶିକ୍ଷାର ଭିତ୍ତିଭୂମି ଓ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି କି ନାହାନ୍ତି ସେ ସଂକ୍ରାନ୍ତରେ କାହାରି ପାଖରେ କିଛି ସଠିକ୍ ସୂଚନା ନାହିଁ । ସେହିଭଳି ଏହିସବୁ କଲେଜରେ ପଢିବାପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଆଦାୟ କରାଯାଉଛି ।
ବର୍ତ୍ତମାନ ଯୁକ୍ତ ଦୁଇ ସ୍ତରରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଆସନ୍ତା ୧୭ତାରିଖ ପରେ ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ପ୍ରଥମ ପସନ୍ଦ ଭାବେ କିଭଳି ଏହି ଘରୋଇ କଲେଜକୁ ବାଛିବେ ସେଥିପାଇଁ ଘରୋଇ ଯୁକ୍ତ ଦୁଇ କଲେଜଗୁଡିକ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । କିଏ ହଷ୍ଟେଲ ମାଗଣା ବୋଲି କହୁଛି ତ ଆଉ କିଏ କୋଚିଂ ମାଗଣା ଥିବା କହୁଛି ।
ତେଣୁ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ନଜର ରଖିବା ସହିତ ଦିଆଯାଉଥିବା ବିଜ୍ଞାପନଗୁଡିକୁ ଯାଞ୍ଚ କରିବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଅନେକ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ କି ସରକାରୀ କଲେଜରେ ଅଳ୍ପ ଅର୍ଥରେ ପଢିପାରିଥାନ୍ତେ ସେମାନେ ଏହି ଘରୋଇ କଲେଜ ଜାଲରେ ପଡି ଖର୍ଚ୍ଚାନ୍ତ ହେବ ସାର ହେବ ।
ଅନ୍ୟ ପକ୍ଷରେ ଅନେକ ଇଂରାଜୀମାଧ୍ୟମ ବିଦ୍ୟାଳୟ ମାଟ୍ରିକ ଫଳ ମାଟ୍ରିକ ଫଳ ପ୍ରକାଶ ପାଇବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇରେ ନାମଲେଖା ସହିତ ପାଠପଢା ଆରମ୍ଭ କରିଦେଇଛନ୍ତି । ତେଣୁ ଘରୋଇ ଯୁକ୍ତ ଦୁଇ କଲେଜର ନଜର ଏବେ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ଉପରେ ରହିଛି । (ତଥ୍ୟ)