Home General ଜାରି ରହିଛି ଉଦ୍ଧାର ପରବର୍ତ୍ତୀ ସହାୟତା

ଜାରି ରହିଛି ଉଦ୍ଧାର ପରବର୍ତ୍ତୀ ସହାୟତା

ଭୁବନେଶ୍ୱର : ଗତକାଲି ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟ ଓ ପରବର୍ତ୍ତୀ ସହାୟତା ଜାରି ରହିଛି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସଂଧ୍ୟାରେ ସୂଚନା ଦେଇଛନ୍ତି ।

ଆଜି ସଂଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଅଦ୍ୟାବଧି  ମିଳିଥିବା ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ମଧ୍ୟାନ୍ନ ସୁଦ୍ଧା ଏହି ସଂଖ୍ୟ ୨୬୧ ରହିଥିଲା ।  ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଆହତ ହୋଇଥିବା ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ଵ  ଯାତ୍ରୀମାନଙ୍କୁ  ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଜାରି ରହିଥିଲା ।

ସେଥିମଧ୍ୟରୁ ଅଳ୍ପ ଆହତ ହୋଇଥିବା ଅଧିକାଂଶ  ଚିକିତ୍ସା ପରେ ଡାକ୍ତରଖାନାରୁ ନିଜ ନଜ ଘରକୁ ଯାଇଛନ୍ତି । ଆହତମାନଙ୍କୁ ବିଭିନ୍ନ ଡାକ୍ତର ଓ ପାରାମେଡିକାଲ ଷ୍ଟାଫମାନେ ଯତ୍ନ ସହକାରେ  ଚିକିତ୍ସା  କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଚିକିତ୍ସିତ ସମସ୍ତଙ୍କୁ ସରକାରୀ ସହାୟତାରେ ଉତ୍ତମମାନର  ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟରେ  ଚିହ୍ନଟ ହୋଇଥିବା କେତେକ  ମୃତ ଦେହକୁ ପ୍ରମାଣ ଆଧାରରେ ନିଜ ନିଜର ସଂପର୍କୀୟମାନେ ନେଇଛନ୍ତି ।  ଅନ୍ୟ ସମସ୍ତ ମୃତ ଦେହଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମେଡିକୋ-ଲିଗାଲ ପଦ୍ଧତି ଅନୁସାରେ ଶବ ବ୍ୟବଚ୍ଛେଦ କରାଯିବ । ଆବଶ୍ୟକ ସ୍ଥଳେ ଡି.ଏନ୍.ଏ ନମୁନା ସଂଗ୍ରହ କରାଯିବ । ଶବ ଚିହ୍ନଟ ହୋଇନପାରିଲେ ୪୮ ଘଣ୍ଟା ପରେ ମେଡିକୋ-ଲିଗାଲ ପଦ୍ଧିତ ଅନୁସାରେ ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ  ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ।

ପ୍ରାୟ  ୧୬୦ଟି ମୃତ ଦେହ ବାହାନଗାରୁ ଭୁବନେଶ୍ୱର ଅଣାଯାଇ ସେସବୁକୁ ଶବ ସଂରକ୍ଷଣ ବ୍ୟବସ୍ଥା ଥିବା ଏମସ୍ ଓ ଅନ୍ୟାନ୍ୟ ଡାକ୍ତରଖାନାରେ ରଖାଯାଇ ଚିହ୍ନଟ ପରେ ସେମାନଙ୍କର ସଂପର୍କୀୟକୁ ହସ୍ତାନ୍ତର କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କେନ୍ଦ୍ର ରାଜସ୍ୱ ସଚିବ, କେନ୍ଦ୍ର  ଗୃହ ବିଭାଗ ସଚିବଙ୍କ  ସହିତ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 ଏଭଳି ଏକ ଆହ୍ୱାନ ଜନକ ଉଦ୍ଧାର କାର୍ଯ୍ୟରେ ଏନ୍ ଡିଆରଏଫ, ଓଡ୍ରାଫ୍, ଅଗ୍ମିଶମ ସେବା , ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନର ଅଧିକାରୀ ଓ କର୍ମକର୍ତ୍ତାମାନଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।