Home News in Odia ଜାପାନରେ ନିଯୁକ୍ତି ସୁଯୋଗ

ଜାପାନରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଓଡ଼ିଶାର କୁଶଳୀ ଚାଳକଙ୍କ ନିଯୁକ୍ତି ସୁଯୋଗକୁ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ଆଉ ଏକ ପାଦ ଆଗକୁ ବଢିଛି। ଏହିକ୍ରମରେ ଆଜି ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ନାଭିସ ଏଚଆର୍ ସଂସ୍ଥା ଅଧ୍ୟକ୍ଷ ରାଜକୁମାର ସମ୍ବଦମ ଓ ରାଜ୍ୟ ପରିବହନ ପ୍ରାଧିକରଣ ଆୟୁକ୍ତ  ଅମିତାଭ ଠାକୁରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ସୁବାହକ ଯୋଜନା ଆଧାରରେ ପ୍ରଶିକ୍ଷିତ ଚାଳକମାନଙ୍କୁ ଜାପାନରେ ନିଯୁକ୍ତି ପ୍ରଦାନର ସମ୍ଭାବନା ସୃଷ୍ଟି କରିଛି ।

 ଏଠାରେ ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ଵାରା ପିପିପି ମୋଡରେ ରାଜ୍ୟର ଚାରିଟି ସ୍ଥାନରେ ନିଃଶୁଳ୍କ ଭାରିଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ରହିଛି । ମୁଖ୍ୟତଃ ସଡ଼କକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଏହି  ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ରଗୁଡିକ ଗଞ୍ଜାମର ପାଲୁର, ସୁନ୍ଦରଗଡ଼ର ବଣାଇ, ଯାଜପୁରର ଛତିଆ ଓ କେନ୍ଦୁଝରରେ କାର୍ଯ୍ୟ କରୁଛି ।

ଏଠାରେ ଯାନ ଚାଳନା ପ୍ରଶିକ୍ଷଣ ନେବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ମାଗଣା ପ୍ରଶିକ୍ଷଣ, ଖାଇବା, ରହିବା ସହ ଭତ୍ତା ଓ ଡ୍ରାଇଭିଂ ଲାଇସେନ୍ସ ପାଇଥାନ୍ତି । ଯାହା ସାରା ଦେଶରେ ବିରଳ । ସେଠାରୁ ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ସୁବାହକମାନଙ୍କ ନିଯୁକ୍ତି ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରୟାସ କରିଥାଏ ।

ଏଠାରେ ସୂଚନାଯୋଗ୍ୟ, ନାଭିସ ଏଚଆର୍ ବିଦେଶରେ ନିଯୁକ୍ତି ପ୍ରଦାନରେ ଆମ ଦେଶର ଏକ ଅଗ୍ରଣୀ ସଂସ୍ଥା। ଏହିକ୍ରମରେ ଏହି ବୁଝାମଣା ଏକ ବୃହତ ସମ୍ଭାବନା ସୃଷ୍ଟି କରିଛି । ଓଡ଼ିଶାର ଯୋଗ୍ୟ ଚାଳକମାନେ ଆଗକୁ ଜାପାନ ଯାଇ ଉଚ୍ଚ ବେତନରେ ନିଯୁକ୍ତିର ସୁଯୋଗ ପାଇବେ ।