ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱର ଠାରେ ଭିନ୍ନକ୍ଷମ ସମସ୍ୟା ଉପରେ ପ୍ରଥମ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ଉତ୍ସବ ଭଳି ରାଜ୍ୟରେ ଏଭଳି ଅଭିନବ ଚଳଚିତ୍ର ମହୋତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଯୋଜନା ଅନୁଯାୟୀ, ଏସଏସଇପିଡି ବିଭାଗ ଚଳଚ୍ଚିତ୍ର ର୍ନିମାତା ଏବଂ ପ୍ରଯୋଜକମାନଙ୍କୁ ଭିନ୍ନକ୍ଷମ ସମସ୍ୟା ଉପରେ ସେମାନଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରିବା ପାଇଁ ନିମନ୍ତ୍ରଣ କରିବ ଏବଂ ଜାନୁଆରୀ, ୨୦୨୫ ର ଦ୍ୱିତୀୟ ସପ୍ତାହରେ ଏଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରେଷ୍ଠ ତିନୋଟି ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯିବ ।
ଜୁରି ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ୟାନେଲ ୫ଟି କ୍ଷୁଦ୍ର ଚଳଚ୍ଚିତ୍ର ଚୟନ କରିବା ସହ ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ପ୍ରାୟ ୨୫୦ରୁ ୩୦୦ ଭିନ୍ନକ୍ଷମ ପିଲାଙ୍କ ଉପସ୍ଥିତିରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
ନିର୍ଦ୍ଦେଶନା, ସାଉଣ୍ଡ ଡିଜାଇନିଂ, ଏଡିଟିଂ, ସିନେମାଟୋଗ୍ରାଫି ଏବଂ କଣ୍ଟେଣ୍ଟଣ୍ଟ ରାଇଟିଂ ଫିଲ୍ମରେ ଅତି କମରେ ଜଣେ ବିଶେଷଜ୍ଞଙ୍କ ସହ ଭିନ୍ନକ୍ଷମ କ୍ଷେତ୍ରର ଜଣେ ବିଶେଷଜ୍ଞ କିମ୍ବା ଜଣେ ମନୋବିଜ୍ଞାନୀ ରହିବେ ।
ମହୋତ୍ସବ ଆୟୋଜନ ପୂର୍ବରୁ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଚଳଚ୍ଚିତ୍ର ମହୋତ୍ସବ ଘୋଷଣା ଓ ଟିଜର/କ୍ଷୁଦ୍ର ଭିଡିଓ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ, ଯେଉଁଥିରେ ଏସ୍ଏସ୍ଇପିଡିର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭିନ୍ନକ୍ଷମ, ସାମାଜିକ କର୍ମୀ ଓ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ ।
ଏହି ମହୋତ୍ସବରେ ଭାଗ ନେବାପାଇଁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ସକାଶେ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପୋଷ୍ଟର, ପମ୍ଫେ୍ଲଟ୍ ଲଗାଯିବା ସହ ଭାରତର ସମସ୍ତ ଫିଲ୍ମ ର୍ନିମାଣ କରୁଥିବା ସମସ୍ତ କଲେଜକୁ ଇ-ମେଲ୍ ସୂଚନା ପଠାଯିବ ।
ଗଣମାଧ୍ୟମ କଭରେଜ୍ ମାଧ୍ୟମରେ ପ୍ରଚାର ପ୍ରସାର, ପ୍ରିଣ୍ଟ ମିଡିଆ ସହଯୋଗୀ, ଟିଭି ମିଡିଆ ସହଯୋଗୀ ଏବଂ ରେଡିଓ ଇତ୍ୟାଦି ମାଧ୍ୟମରେ କାର୍ଯ୍ୟକ୍ରମର ବ୍ୟାପକ ପ୍ରକାଶନ ଦିଗରେ କାର୍ଯ୍ୟ କରାଯିବ । (ତଥ୍ୟ)