Home Administration ଜାନୁଆରୀ ୮ ରୁ ପ୍ରବାସୀ ଭାରତୀୟ ଦିବସ

ଜାନୁଆରୀ ୮ ରୁ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱର :  ଆସନ୍ତା ବର୍ଷ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ, ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ।ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ଏହାର ଉଦ୍ଦେଶ୍ୟ ।୧୯୧୫ମସିହା ଜାନୁଆରୀ ୯ ତାରିଖରେ  ଜାତିର ଜନକ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ  ପ୍ରବାସୀ ଭାରତୀୟ ଦିବସ ପ୍ରତି ବର୍ଷ ପାଳନ କରାଯାଇଥାଏ । 

୨୦୦୩ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଆସିଥିବା ବେଳେ ୨୦୧୫ ପରଠାରୁ ଏହା ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଛି ଏବଂ ଅଦ୍ୟାବଧି ୧୭ ଥର ଏହା ବିଭିନ୍ନ ସ୍ଥାନରେ  ଅନୁଷ୍ଠିତ ହୋଇସାରିଛି । ୨୦୨୩ରେ ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅନୁଷ୍ଠିତ ହୋଇଥିବା ବେଳେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି । 

ଏହି ବୃହତ୍ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ ଆବଶ୍ୟକ ସମନ୍ଵୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି ନିମନ୍ତେ        ଆଲୋଚନା ପାଇଁ ଭାରତ ସରକାରଙ୍କ  ବିଦେଶ ମନ୍ତ୍ରାଳୟର ୫ ଜଣିଆ ଅଧିକାରୀ ପ୍ରତିନିଧି ଦଳ ଗତ ସେପ୍ଟେମ୍ବର୨୫ ରୁ ୨୭ତାରିଖ ଓଡ଼ିଶା ଆସି ମୁଖ୍ୟଶାସନ ସଚିବ ଏବଂ ଅନ୍ୟ ସଂପୃକ୍ତ ବିଭାଗର         ସଚିବ ମାନଙ୍କ ସହ ଆଲୋଚନା କରିବା ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ।       

ଏହି କାର୍ଯ୍ୟକ୍ରମ ଉଭୟ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଏକ ବୃହତ୍ ସମ୍ମିଳନୀ ହେବ, ଯେଉଁଥ‌ିରେ ପାଖାପାଖ୍ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ ।          କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନ ମନ୍ତ୍ରୀ,ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମେତ ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦାନର କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ  ସମାରୋହ ଓ ୩ୟ ଦିନରେ  ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ ।ଦ୍ୱିତୀୟ ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ର  ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି ।  ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ(ପ୍ଲିନାରି ସେସନ) ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ ଏବଂସଂଧ୍ୟାରେ ସାଂସ୍କୃତିକ  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀମାନଙ୍କୁ  ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟ ସ୍ଥଳ, ଦର୍ଶନୀୟ ସ୍ଥାନ ଓ  ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବୈଠକରେ ପ୍ରକାଶ କରିଥିଲେ ।