ଭୁବନେଶ୍ୱର : ୧୯୪୭ ଅଗଷ୍ଟ ୧୫ର ୧୭ବର୍ଷ ପୂର୍ବରୁ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିଲା । ଇତିହାସର ଏହି ଗୌରବାବହ ସ୍ମୃତିକୁ ଉଜ୍ଜିବୀତ କରି ରଖିବାପାଇଁ ସ୍ୱାଧୀନତାପ୍ରାପ୍ତି ପରେ ୧୯୫୦ ଜାନୁଆରୀ ୨୬ରେ ଦେଶର ସମ୍ବିଧାନ ଲାଗୁ କରାଯାଇ ସେହିବର୍ଷ ଠାରୁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି ।
୧୯୪୯ ମସିହା ନଭେମ୍ବର ୨୬ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଦେଶର ନୂଆ ସମ୍ବିଧାନ ଗୃହୀତ ହୋଇଥିଲେ ମଧ୍ୟ ଏହାକୁ ଲାଗୁ କରିବାପାଇଁ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା ।
ଇତିହାସର ତଥ୍ୟ ଅନୁଯାୟୀ ୧୯୨୮ର କଲିକତା କଂଗ୍ରେସ ଅଧିବେଶନରେ ସ୍ୱାଧୀନତା ସଂକ୍ରାନ୍ତୀୟ ପ୍ରସ୍ତାବ ଗ୍ରହଣ କରାଯାଇ ଇଂରେଜ ସରକାରଙ୍କୁ ବର୍ଷେ କଣ୍ଟ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ୧୯୨୯ ଡିସେମ୍ବର ୩୧ରେ ଲାହୋର କଂଗ୍ରେସ ଅଧିବେଶନ ବସିଥିଲା ଏବଂ ଏହି ଅଧିବେଶନ କାଳରେ ୧୯୩୦ ଜାନୁଆରୀ ୨ରେ ଗ୍ରହଣ କରାଯାଇଥିବା ଐତିହାସିକ ପ୍ରସ୍ତାବରେ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ନିଜେ ମହାତ୍ମା ଗାନ୍ଧୀ ପୂର୍ଣ୍ଣ ସ୍ୱରାଜର ସଙ୍କଳ୍ପପତ୍ର ପ୍ରସ୍ତୁତ କରିଥିଲେ ଏବଂ ଏହା ଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିଲା । ଓଡିଆ ଭାଷାରେ ଏହି ସଙ୍କଳ୍ପର ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ନିଷ୍ପତ୍ତି ମୁତାବକ ଜାନୁୟାରୀ ୨୬ତାରିଖରେ ଲୋକେ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରି ତାହା ସମ୍ମୁଖରେ ପୂର୍ଣ୍ଣ ସ୍ୱରାଜର ସଙ୍କଳ୍ପ ପାଠ କରିବା ସହ ସ୍ୱାଧୀନତା ଭାରତୀୟମାନଙ୍କର ଅଧିକାର ଏବଂ ଏହା ହାସଲ କରିବାପାଇଁ ଦେଶବାସୀ ଯେକୌଣସି ତ୍ୟାଗ ବରଣ କରିବାକୁ ପ୍ରସ୍ତୁତ ବୋଲି ଶପଥ ନେଇଥିଲେ ।
୧୯୩୦ ଜାନୁୟାରୀ ୨୬ ଠାରୁ ପ୍ରତିବର୍ଷ ଏହି ଦିନକୁ ଯେଭଳି ପ୍ରତିପାଳନ କରାଯାଉଥିଲା ତାହା ଦେଶପ୍ରେମର ଲହର ସୃଷ୍ଟି କରୁଥିଲା । ଏମିତିକି କଂଗ୍ରେସ ସଂଗଠନକୁ ବେଆଇନ୍ ଘୋଷଣା କରାଯାଉଥିଲାବେଳେ ବି ତ୍ରିରଙ୍ଗା ଝଣ୍ଡା ତଳେ ସଙ୍କଳ୍ପପତ୍ର ପାଠକରି ଓଡିଶା ସମେତ ସମସ୍ତ ରାଜ୍ୟର ଦେଶପ୍ରେମୀମାନେ ଗିରଫ ହେଉଥିଲେ । ଭାରତଛାଡ ଆନ୍ଦୋଳନ ସମୟରେ ଓଡିଶାର ବ୍ରହ୍ମପୁର ଜେଲରେ ୧୯୪୩ ଜାନୁଆରୀ ୨୬ରେ ସ୍ୱାଧୀନତା ଦିବସ ପାଳନ ପାଇଁ ପତାକା ଉତ୍ତୋଳନ କରିଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ନିର୍ମମ ଲାଠିମାଡ କରାଯାଇଥିଲା ଏବଂ ସେଥିରେ ଅନେକ ଯୁବ ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ ।
ସ୍ୱାଧୀନତା ଦିବସ ଭାବେ ଜାନୁଆରୀ ୨୬କୁ ଗାଁ ଗଣ୍ଡାରେ ପାଳନ କରାଯିବା ଫଳରେ ନୂଆ ନୂଆ ସଂଗ୍ରାମୀ ସୃଷ୍ଟି ହୋଇଥିଲେ । ଜେଲ ଭିତରେ ଗାନ୍ଧୀଜୀ ଓ ଅନ୍ୟମାନେ ଜାନୁଆରୀ ୨୬ ପ୍ରତିପାଳନ କରୁଥିଲେ । ଇତିହାସର ତଥ୍ୟ ମୁତାବକ ୧୯୪୩ ଜାନୁଆରୀ ୨୬ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ବର୍ଲିନ୍ ଠାରେ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରି ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରିଥିଲେ ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯାଇଥିଲା ଏବଂ ସମ୍ବିଧାନ ତିଆରି କରିବାଲାଗି ଡକ୍ଟର ବି ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସାତଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରଣୟନ କମିଟି ଗଠନ କରାଯାଇଥିଲା । ଚିଠା ସମ୍ବିଧାନ ଉପରେ ଅନ୍ୟୁନ ୭୬୩୫ ସଂଶୋଧନ ଆସିଥିଲେ ମଧ୍ୟ ସେଥିରୁ ୨୪୭୩ ସଂଶୋଧନ ଉପରେ ଆଲୋଚନା ହୋଇଥିଲା । ଶେଷରେ ୧୯୪୯ ଡିସେମ୍ବର ୨୬ରେ ସମ୍ବିଧାନ ପ୍ରଣୟନ ସଭା ନୂଆ ସମ୍ବିଧାନକୁ ଗ୍ରହଣ କରିନେବା ସହ କେନ୍ଦ୍ର ସରକାର ଏହାକୁ ୧୯୫୦ ଜାନୁଆରୀ ୨୬ରୁ ଲାଗୁ କରିଥିଲେ । (ତଥ୍ୟ)