Home General ଜାନୁଆରୀ ୨୬ ଥିଲା ସ୍ୱାଧୀନତା ଦିବସ

ଜାନୁଆରୀ ୨୬ ଥିଲା ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଦେଶ ସ୍ୱାଧୀନ ହେବାର ୧୭ବର୍ଷ ପୂର୍ବରୁ ଜାନୁଆରୀ ୨୬କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ୧୯୪୭ ଅଗଷ୍ଟ ୧୫ତାରିଖରେ ଭାରତ ସ୍ୱାଧୀନ ହେବାପରେ ଆମ ଦେଶର ସମ୍ବିଧାନ ୧୯୫୦ ଜାନୁଆରୀ ୨୬ରେ ଲାଗୁ ହେବାରୁ ଏହି ଦିନଟିକୁ ସାଧାରତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି ।

ଇତିହାସର ଦସ୍ତାବିଜ ଅନୁଯାୟୀ ୧୯୨୮-୨୯ ର କଲିକତା କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ସଂକଳ୍ପ ପାରିତ କରାଯାଇ ବ୍ରିଟିଶ ସରକାରଙ୍କୁ ବର୍ଷେ ସମୟ ଦିଆଯାଇଥିଲା । ୧୯୨୯-୩୦ ର କଂଗ୍ରେସ ଅଧିବେଶନ ଲାହୋରରେ ଅନୁଷ୍ଠିତ ହେବାବେଳେ ୧୯୨୯ ଡିସେମ୍ବର ୩୧ ରାତି ୧୨ଟାରେ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରାଯାଇ ସେଠାରେ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରାଯାଇଥିଲା । ତେବେ ୧୯୩୦ ଜାନୁଆରୀ ୨ ତାରିଖରେ ଲାହୋର କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନତାର ଶପଥପତ୍ର ଗାନ୍ଧୀଜୀ ଉପସ୍ଥାପନ କରିଥିଲେ ଏବଂ ସେଦିନ ନିଷ୍ପତ୍ତି ନିଆଯାଇଥିଲା ଯେ ପ୍ରତିବର୍ଷ ଜାନୁଆରୀ ୨୬କୁ ସ୍ୱାଧୀନତା ଦିବସ ଭାବେ ପାଳିିବା ସହିତ ଲୋକେ ବ୍ରିଟିଶ ଶାସନର ଅବସାନ ପାଇଁ ସଂକଳ୍ପପତ୍ର ଦୋହରାଇବେ ବୋଲି ।

୧୯୩୦ ଜାନୁଆରୀ ୨୬ରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ଅବସରରେ ଚରଖା ଚିହ୍ନିତ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରି ଲୋକେ ସଙ୍କଳ୍ପ ଗ୍ରହଣ କରିଥିଲେ । ଏହି ଅବସରରେ କଟକ କାଠଗଡା ସାହି ସ୍ଥିତ ରାଜକୃଷ୍ଣ ବୋଷଙ୍କ ଲୋକସେବା ପ୍ରେସ ପରିସରରେ ପ୍ରଥମେ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ମ୍ୟୁନିସିପାଲିଟି ପଡିଆରେ ଶପଥଗ୍ରହଣ ସମାରୋହ ହେବବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ତେବେ ଶେଷ ମୂହୂର୍ତ୍ତରେ ସରକାର ମ୍ୟୁନିସିପାଲଟି ପଡିଆରେ ୧୪୪ ଧାରା ଜାରି କରିବାରୁ କାଠଯୋଡି ନଦୀ କୂଳବର୍ତ୍ତୀ ଗୋପବନ୍ଧୁ ଚୌଧୁରୀଙ୍କ ଘର ହତା ଓ ସନସାଇନ୍‍ ପଡିଆରେ ଶପଥପାଠ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସେତେବେଳେ ୫ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ପର୍ଯ୍ୟାୟରେ କାରାରୁଦ୍ଧ ଥିବା ସତ୍ୟାଗ୍ରହୀମାନେ ଜେଲ ଭିତରେ ପୁଲିସ୍‍ ଲାଠିକୁ ଭ୍ରୁକ୍ଷେପ ନକରି ତ୍ରିରଙ୍ଗା ଝଣ୍ଡା ଉଡାଇ ସ୍ୱାଧୀନତା ଦିବସ ପାଳନ କରୁଥିଲେ । ଏମିତିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ବର୍ଲିନରେ ଜାନୁଆରୀ ୨୬ ଅବସରରେ ତ୍ରିରଙ୍ଗ ଝଣ୍ଡା ଉତ୍ତୋଳନ କରିଥିଲେ ।

ବ୍ରିଟିଶ ସଂସଦରେ ଭାରତ ସ୍ୱାଧୀନତା ବିଲ୍‍ ପାରିତ ହେବାବେଳେ ୧୯୪୮ ଜୁନ୍‍ ସୁଦ୍ଧା କ୍ଷମତା ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା । ଏ ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମର ଆଗଧାଡିର ନେତାମାନେ ଜାନୁଆରୀ ୨୬ରେ ବ୍ରିଟିଶ ସରକାର ସ୍ୱାଧୀନତା ଦିଅନ୍ତୁ ବୋଲି ଆଶା ରଖିଥିଲେ । ତେବେ ସେତେବେଳର ଭାଇସରାୟ ଲର୍ଡ ମାଉଣ୍ଟବେଟେନ ତାଙ୍କ ସାମରିକ ଜୀବନର ଏକ ଗୌରବାବହ ସ୍ମୃତିକୁ ଉଖାରି ଅଗଷ୍ଟ ୧୫ରେ କ୍ଷମତା ହସ୍ତାନ୍ତର ପାଇଁ ଘୋଷଣା କରିଥିଲେ ଏବଂ ତଦନୁଯାୟୀ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇଥିଲା ।

ତେବେ ୧୯୩୦ରୁ ଜାନୁଆରୀ ୨୬କୁ ସ୍ୱାଧୀନତା ଦିବସ ଭାବେ ପାଳନ କରା ହୋଇଆସୁଥିବା ପରିପ୍ରେକ୍ଷୀରେ ଭାରତର ସମ୍ବିଧାନ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ପ୍ରଣୟନ ସଭାରେ ପାରିତ ହୋଇଥିଲେ ମଧ୍ୟ ଏହାକୁ ୧୯୫୦ଜାନୁଆରୀ ୨୬ ରୁ ଲାଗୁ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବରେ ଏବଂ ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । (ତଥ୍ୟ)